ଶ୍ରୀମନ୍ଦିର ପରିସରରେ ଆଜିଠାରୁ ଆରମ୍ଭ ହେଲା ଶିଶୁ ସ୍ତନ୍ୟପାନ କକ୍ଷ

ପୁରୀ : ଶ୍ରୀମନ୍ଦିର ପରିସରରେ ଆରମ୍ଭ ହେଲା ଶିଶୁ ସ୍ତନ୍ୟପାନ କକ୍ଷ । ବିଭିନ୍ନ ସମୟରେ ଶିଶୁଙ୍କୁ ନେଇ ଶ୍ରୀମନ୍ଦିରକୁ ଭକ୍ତମାନେ ଆସିଥାନ୍ତି । ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଲାଗି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପରିସରରେ ସ୍ତନ୍ୟପାନ କରାଇବା ପାଇଁ ସ୍ୱତନ୍ତ୍ର କକ୍ଷ ବ୍ୟବସ୍ଥା କରାଯାଇଛି । ଆଜିଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି l ଯେଉଁଠାରେ ମା ମାନେ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇ ପାରିବେ lଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢ଼ୀ, ବିଦାୟୀ ଆରକ୍ଷୀ ଅଧୀକ୍ଷକ ପୀନାକ୍ ମିଶ୍ର, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ବରିଷ୍ଠ ସୁପରଭାଇଜର୍ ବକ୍ସି ପ୍ରତିହାରୀ, ସହକାରୀ ପ୍ରଶାସିକା ଶୁଭଶ୍ରୀ ସୁଚୀସ୍ମିତା ଏବଂ ଅନ୍ଯ ଅଧିକାରୀ ଏ ସମ୍ବନ୍ଧରେ ଆଲୋଚନା କରି ଏହି ସ୍ବତନ୍ତ୍ର ଗୃହ ସ୍ଥାପନା ପାଇଁ ସ୍ଥାନ ନିରୂପଣ କରିଥିଲେ । ଶ୍ରୀମନ୍ଦିର ପରିସରରେ ପ୍ରଶାସନର ଶାଖା କାର୍ଯ୍ଯାଳୟ ନିକଟରେ ଏହା କାର୍ଯ୍ୟକ୍ଷମ ହେବାକୁ ନିଷ୍ପତ୍ତି ହୋଇଥିଲା l ଆଜି ଏହା କାର୍ଯ୍ୟକାରୀ ହୋଇଛି lସମ୍ପୃକ୍ତ ଗୃହରେ ଗୋପନୀୟତା, ପରିମଳ ଏବଂ ମା’ ତଥା ଶିଶୁଙ୍କ ସ୍ବାଛନ୍ଦ୍ୟ ଉପରେ ଦୃଷ୍ଟି ଦିଆଯିବ l ଏହି ଗୃହ ସକାଶେ ଜଣେ ସ୍ୱତନ୍ତ୍ର ମହିଳା ସହାୟିକା ମଧ୍ଯ ରହିବେ l ଦୀର୍ଘ ଦିନ ଧରି ଏନେଇ ଦାବି ହୋଇ ଆସୁଥିବା ବେଳେ ଭକ୍ତ ଶ୍ରଦ୍ଧାଳୁ ତଥା ବିଶେଷ କରି ମହିଳାଙ୍କ ପ୍ରତି ଉତ୍ତରଦାୟିତ୍ବ ନିର୍ବାହ ପାଇଁ ଏହି ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଥିପାଇଁ ସ୍ଵତନ୍ତ୍ର ମାର୍ଗ ଦର୍ଶିକା ପ୍ରସ୍ତୁତ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।