
ଭୁବନେଶ୍ୱର : ଜିଏସଟି କାଉନସିଲ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପ୍ଟେମ୍ବର ୩ ଓ ୪ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜିଏସଟି କାଉନସିଲର ୫୬ ତମ ବୈଠକ । ଦିଲ୍ଲୀ ଗସ୍ତ ପୂର୍ବରୁ ଓଡ଼ିଶା ଉପସ୍ଥାପନ କରିବାକୁ ଯାଉଥିବା ପ୍ରସ୍ତାବ ନେଇ ବୈଠକ କରିଛନ୍ତି ମୋହନ ମାଝୀ । ପରିବର୍ତ୍ତନ ହେବାକୁ ଥିବା ଜିଏସଟି ସ୍ଲାବ ସଂପର୍କରେ ବୈଠକରେ ଆଲୋଚନା ହୋଇଛି ।ବର୍ତ୍ତମାନ ୪ଟି ସ୍ଲାବ ୫, ୧୨, ୧୮ ଓ ୨୮ ପ୍ରତିଶତରେ ଜିଏସଟି ରହିଛି । ଏହାକୁ ପରିବର୍ତ୍ତନ କରାଯାଇ ୨ଟି ପର୍ଯ୍ୟାୟରେ ଲାଗୁ କରାଯିବାକୁ ପ୍ରସ୍ତାବ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ୫ ପ୍ରତିଶତ ଦ୍ରବ୍ୟ ଓ ସେବା କର ଲାଗୁ ହେବ । ସେହିପରି ଅନ୍ୟ ସାଧାରଣ ସାମଗ୍ରୀ ଉପରେ ଲାଗିବ ୧୮ ପ୍ରତିଶତ । ଲକଜୁରୀ ସାମଗ୍ରୀ ଓ ଟବାଟୋ ଆଦି ପଦାର୍ଥ ଉପରେ ସ୍ବତନ୍ତ୍ର ୪୦ ପ୍ରତିଶତ ଜିଏସଟି ଲାଗୁ କରାଯିବାର ବ୍ୟବସ୍ଥା ରହିଛି ।ଜିଏସଟି ବୈଠକରେ ଯୋଗ ଦେବା ସହ ଓଡ଼ିଶାରେ ସେମିକଣ୍ଡକଟର ସେକ୍ଟରରେ ପୁଞ୍ଜିନିବେଶ ନେଇ ମଧ୍ୟ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯଦି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟନ୍ତି ତେବେ ରାଜ୍ୟର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ମଧ୍ୟ ଆଲୋଚନା କରିପାରନ୍ତି ।