ଉଦଳା ଗଣଦୁଷ୍କର୍ମର ନାଟକ ରଚିଥିଲେ ମା ଝିଅ, ପୋଲିସ ଖୋଲିଦେଲା ଅସଲ ମୁଖା

ଉଦଳା: ଗଣଦୁଷ୍କର୍ମର ନାଟକ ରଚିଥିଲେ ମା ଝିଅ । ପୋଲିସ ଓ ଗଣମାଧ୍ୟମକୁ ଭୁଆଁ ବୁଲାଉଥିଲେ । ହେଲେ ସତ ବେଶି ସମୟ ଧରି ଲୁଚି ରହିଲାନି ସାମ୍ନାକୁ ଆସିଲା। ସବୁ ସତ ପୋଲିସ ଆଗରେ ଓଗାଳିଥିଲେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ୨୯ ତାରିଖ ଦିନ ମାଆ ଓ ଝିଅ ଆସି ଉଦଳା ଥାନାରେ ପହଞ୍ଚିଥିଲେ । ଝିଅକୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ କଲେ । ପୋଲିସ ଅଭିଯୋଗକୁ ଭିତ୍ତି କରି ଆରମ୍ଭ କଲେ ତଦନ୍ତ । ହେଲେ ଶେଷରେ ଜଣାପଡ଼ିଲା ଏହା ମିଛ ଘଟଣା । ଏବଂ ତାଙ୍କ ସହିତ କିଛି ଦୁଷ୍କର୍ମ ହୋଇ ନ ଥିବା ପୋଲିସ ଆଗରେ ସ୍ବୀକାର କରିଛି ଯୁବତୀ । ତେବେ କାହିଁକି ମା’ ଝିଅ ଏପରି କରିଥିଲେ ? କାହା କଥାରେ କରିଥିଲେ ଆସନ୍ତୁ ଜାଣିବା….ଅଗଷ୍ଟ ୧୩ ତାରିଖ ଶରତ ଅଞ୍ଚଳର ଶ୍ୟାମସୁନ୍ଦର ରଣା କିଛି ଯୁବତୀଙ୍କୁ ବାହାର ରାଜ୍ୟକୁ ଚାଲାଣ କରିଥିଲେ । ଏହାକୁ ନେଇ ସେହି ଗାଁର ଭାଗବତ ଟୁଡୁ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ଅଗଷ୍ଟ ୧୯ ତାରିଖରେ କପ୍ତିପଦା ଥାନା ଅଞ୍ଚଳର ନାନା ସୋଏ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ବେଳେ ପୀଡ଼ିତାଙ୍କ ଭାଇ ଗାର୍ତି ସିଂ ଅଭିଯୋଗ କରିଥିଲେ । ପରେ ନାନା ସୋଏ ଏବେ ବାରିପଦା ଜେଲ୍ ରେ ରହୁଛନ୍ତି । ସବୁଠୁ ବଡ କଥା ହେଉଛି ନାନା ଓ ଶ୍ୟାମସୁନ୍ଦର ଦୁଇ ଜଣ ଜେଲରେ ମିଶିକି ଏହି ପ୍ଲାନ୍ କରିଥିଲେ । କିପରି ଅଭିଯୋଗକାରୀ ମାନଙ୍କୁ ଫସାଇବେ ସେ ନେଇ ଜେଲ୍ ଭିତରେ ହିଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଯାହାକୁ ନେଇ ଏହି ଯୁବତୀଙ୍କୁ ଗଣ ଦୁଷ୍କର୍ମର ଅଭିଯୋଗ କରିବା ପାଇଁ କହିଥିଲେ ।ଶ୍ୟାମସୁନ୍ଦରଙ୍କ ସମ୍ପର୍କୀୟ ଭଉଣୀ ଲଳିତା ସିଂ ଓ ତାଙ୍କ ଝିଅ ସୁମୀ ସିଂ ଗଣ ଦୁଷ୍କର୍ମର ନାଟକ ରଚିଥିଲେ । ୨୮ ତାରିଖ ଦିନ ବାଙ୍ଗିରିପୋଷିରୁ ଦୁଇ ଜଣ ଯୁବକ ଏକ ଓମିନି ଗାଡ଼ିରେ ଯୁବତୀଙ୍କୁ ଆଣିଥିଲେ । ରାସ୍ତାରେ ଆଉ ତିନି ଜଣ ଗାଡ଼ିରେ ଉଠିଥିବା ବେଳେ ସେହି ଯୁବତୀଙ୍କୁ ଉଦଳା ବାଲେଶ୍ଵର ମୁଖ୍ୟ ରାସ୍ତାରେ ଗାଡ଼ି ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ଯୁବତୀ । ତେବେ ଯୁବତୀ ଜଣକ ଚିତ୍କାର କରିବାରୁ ଯୁବକ ମାନେ ତାଙ୍କୁ ଛାଡି ସେଠାରୁ ଫେରାର ହୋଇଥିଲେ । ଏହା ପରେ ଯୁବତୀ ଜଣକ ଘରକୁ ଯାଇ ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରିଥିଲେ ।ତେବେ ବାଙ୍ଗିରିପୋଷି ଓ ଉଦଳା ପୋଲିସ ଏହାର ତଦନ୍ତ କରିଥିଲେ । ତେବେ ଏହା ସମ୍ପୂର୍ଣ ଭାବେ ମିଛ ଘଟଣା ବୋଲି ଯୁବତୀ ଜଣକ ପରେ ପୋଲିସ ଆଗରେ ସ୍ବୀକାର କରିଥିଲେ । ତେବେ ମିଛ ଅଭିଯୋଗ କରିଥିବାରୁ ଅଭିଯୋଗକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି । ଆଜି ଏହି ଘଟଣାକୁ ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଉଦଳା ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏହାସହ ମିଛ ଅଭିଯୋଗକାରୀ ଆଇନରୁ ଉର୍ଦ୍ଧ୍ବରେ ନୁହଁନ୍ତି ତାଙ୍କ ବିରୁଦ୍ଧ ରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।