
ବାଙ୍କୀ: ନଦୀ କୂଳରେ ବାଲିରେ ଫୁଲ ଥୋଇ ଖୁଦୁରୁକୁଣି ଓଷାର ଦୁହୁରି ଭସାଇବାକୁ ଯାଇଥିଲେ ପିଙ୍କି । ଖୁଦୁରୁକୁଣି ଓଷା ଥିବାରୁ କିଛି ଯୁବତୀ ଓ ମହିଳା ସାଙ୍ଗ ହୋଇ ମହାନଦୀକୁ କୂଳକୁ ଯାଇଥିଲେ । କିନ୍ତୁ ପିଙ୍କି ଯେ ଦୁହୁରି ଭସାଉ ଭସାଉ ନିଜେ ଭାସିଯିବେ କିଏ ବା ଜାଣିଥିଲା । ଅକାତ କାତ ପାଣିରେ ହଠାତ ପିଙ୍କିଙ୍କ ଗୋଡ଼ ଖସିଗଲା । ଉଦ୍ଧାର କରିବାକୁ ସାଙ୍ଗରେ ଯାଇଥିବା ମହିଳାମାନେ ବି ଚେଷ୍ଟା କଲେ । କିନ୍ତୁ ସୁଅ ଏତେ ଅଧିକ ଥିଲା ଯେ ପିଙ୍କିଙ୍କୁ ବଞ୍ଚାଇବା ମୁସ୍କିଲ ହୋଇଗଲା । ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ପହଞ୍ଚି ପିଙ୍କିଙ୍କୁ ଖୋଜିବାକୁ ଲାଗିଲେ । ସେପଟେ କିଛି ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପିଙ୍କିଙ୍କୁ ଖୋଜୁଛନ୍ତି ସତ । କିନ୍ତୁ ଘଟଣାକୁ ୩୦ ଘଣ୍ଟା ବିତିଯାଇଥିଲେ ବି ଏଯାଏଁ ପିଙ୍କିଙ୍କ ସନ୍ଧାନ ମିଳୁନି ।ବାଙ୍କୀ ବ୍ଲକ୍ ସୁବର୍ଣ୍ଣପୁର ଫାଣ୍ଡି ନିକଟସ୍ଥ ରତାଗଡ ଗାଁରେ ଘଟିଛି ଏମିତି ଅଘଟଣ । ଗତ ୧ ସେପ୍ଟେମ୍ବର ଭୋର ସମୟରେ ଯୁବତୀମାନଙ୍କ ସହିତ ବହୁ ମହିଳା ଖୁଦୁରୁକୁଣି ଓଷାର ଦୁହୁରି ଭସାଇ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ପିଙ୍କି ନାମକ ମହିଳା ଭାସି ଯାଇଥିଲେ । ମହାନଦୀରେ ପାଣିର ସ୍ରୋତ ପ୍ରଖର ଥିବାରୁ ମହିଳା ଜଣଙ୍କ ଭାସିଯାଇଥିବା ସ୍ଥାନୀୟ ଲୋକେ କହୁଛନ୍ତି । ତେବେ ପ୍ରଥମେ ଡମପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି ଜାରି ରଖିଥିବା ବେଳେ ଆଠଗଡ଼ ଓ ବାଙ୍କୀ ରୁ ଦୁଇଟି ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ୩୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଖୋଜାଖୋଜି କରୁଛନ୍ତି । କିନ୍ତୁ ନିଖୋଜ ମହିଳା ପିଙ୍କି ସ୍ୱାଇଁଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ ।ଅଗ୍ନିଶମ ବିଭାଗର ତିନି ଗୋଟି ଟିମ୍ ଓ ସ୍ଥାନୀୟ ଲୋକଙ୍କ ଖୋଜାଖୋଜି ଏବେ ବି ଜାରି ରହିଛି । ଲଗାଣ ବର୍ଷାରେ ନଈ ନାଳ ଭରି ରହିଛି । ଏହି ସମୟରେ କେହି ବି ନଦୀକୂଳକୁ ନଯିବା ପାଇଁ ପ୍ରଶାସନ ସତର୍କ କରିଛି । କିନ୍ତୁ ଖୁଦୁରୁକୁଣୀ ଥିବାରୁ ପିଙ୍କି ଏମିତି ନଈକୁ ଗାଧୋଇବାକୁ ଯାଇ ଭାସିଗଲେ । ଏନେଇ ଗାଁରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି