ଶିକ୍ଷକ ଚାକିରି ପାଇଁ ଟିଇଟି ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ କହିବା ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ଶିକ୍ଷକତା ଜାରି ରଖିବା କିମ୍ବା ପଦୋନ୍ନତି ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା-TET ପାସ୍ ବାଧ୍ୟତାମୂଳକ । ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ରାଜ୍ୟ ସରକାର ଏହାକୁ ତର୍ଜମା କରିବେ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶିକ୍ଷକଙ୍କ ସ୍ବାର୍ଥ ବି ଦେଖିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ସବୁ ଦିଗକୁ ବିଚାର ସହ ଶିକ୍ଷକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଆଯିବ।ଶିକ୍ଷକମାନେ ମୁକ୍ତ ଓ ବାଧ୍ୟତା ମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ (ଆର୍‌ଟିଇ ଆକ୍ଟ) ଲାଗୁ ହେବା ପୂର୍ବରୁ ନିଯୁକ୍ତ ହୋଇଛନ୍ତି ଏବଂ ଚାକିରି ଶେଷ ହେବାକୁ ୫ ବର୍ଷରୁ ଅଧିକ ସମୟ ରହିଛି, ସେମାନଙ୍କୁ TET ପାସ୍‌ ପାଇଁ ସର୍ବୋଚ୍ଚ ଅଦାଲତ ୨ ବର୍ଷ ସମୟ ଦେଇଛନ୍ତି । ତେବେ ସଂଖ୍ୟାଲଘୁ ସ୍କୁଲଗୁଡ଼ିକରେ ଆର୍‌ଟିଇ ଆଇନ କାର୍ଯ୍ୟକାରିତା ପ୍ରସଙ୍ଗରେ ବୃହତ୍ତର ଖଣ୍ଡପୀଠ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ସେଠାର ଶିକ୍ଷକମାନଙ୍କ ପାଇଁ ଟିଇଟି ଆବଶ୍ୟକତା ଲାଗୁ ହେବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଦେଇଛନ୍ତି ।ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍‌ସିଟିଇ) ୨୦୧୧ ଜୁଲାଇ ୨୯ରେ ଶିକ୍ଷକ ନିଯୁକ୍ତି ପାଇଁ TET ପାସ୍‌କୁ ବାଧ୍ୟତାମୂଳକ କରିଥିଲେ । ତେବେ ସ୍ଥିତିଗତ ବାସ୍ତବତାକୁ ବିଚାରକୁ ନେଇ ଯେଉଁ ଶିକ୍ଷକମାନଙ୍କ ଚାକିରି ସମୟ ୫ ବର୍ଷରୁ କମ୍‌ ବାକି ରହିଛି ଏବଂ ପଦୋନ୍ନତି ଚାହୁଁ ନାହାନ୍ତି, ସେମାନଙ୍କ କ୍ଷେତ୍ରରେ TET ଉତ୍ତୀର୍ଣ୍ଣ ହେବା ଆବଶ୍ୟକ ନାହିଁ ବୋଲି ଜଷ୍ଟିସ୍‌ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍‌ ମନମୋହନଙ୍କ ଖଣ୍ଡପୀଠ କହିଛନ୍ତି ।