କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ, ନବାନ୍ନ ଭକ୍ଷଣ କଲେ ସର୍ବସାଧାରଣ

କଳାହାଣ୍ଡି: ଆଜି ନୂଆ ଖାଇଲେ କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳବାସୀ । ଏଥିପାଇଁ ଚଳଚଞ୍ଚଳ ଗଡ଼ଜାତର ପୁରପଲ୍ଲୀ । କଳାହାଣ୍ଡି ମହାରାଜାଙ୍କ ପକ୍ଷରୁ ଲଗ୍ନ ଧାର୍ଯ୍ୟ ହେବା ପରେ ପବିତ୍ର ଭାଦ୍ରବ ମାସ ଶୁକ୍ଲ ପକ୍ଷ ଦଶମୀ ତିଥିର ସକାଳ ୮ଟା ୪୫ରୁ ୯ଟା ୦୫ ମିନିଟ୍ ମଧ୍ୟରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପୀଠରେ ନବାନ୍ନ ଲାଗି ହୋଇଥିଲା । ପରେ ସକାଳ ୧୦.୫୫ ରୁ ମଧ୍ୟାହ୍ନ ୧ଟା ମଧ୍ୟରେ ନବାନ୍ନ ଭକ୍ଷଣ କରିଥିଲେ ସର୍ବସାଧାରଣ ।କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପୀଠ ଓ ମଦନପୁର ରାମପୁରର ମା’ ଡୋକରି ଦେବୀଙ୍କ ପୀଠରେ ନୂଆ ଲାଗି ହେବାପରେ ମ.ରାମପୁରବାସୀ ନୂଆ ଖାଇଛନ୍ତି । ଏହି ଦିନ ଭବାନୀପାଟଣା ସହର ଓ ଦାଦପୁର ସମେତ କଳାହାଣ୍ଡି ଗଡ଼ଜାତର ପୁରାତନ ଜମିଦାରୀ ଅଞ୍ଚଳ ଲାଞ୍ଜିଗଡ଼ ,ମହୁଲପାଟଣା, କର୍ଲାପାଟ, ଜୟପାଟଣା, ମଦନପୁର ରାମପୁର ଏବଂ ଥୁଆମୂଲ ରାମପୁର ସହରବାସୀ ମଧ୍ୟ ନବାନ୍ନ ଖାଇ ବହୁ ଧୁମଧାମରେ ପାଳନ କରିଛନ୍ତି ନୂଆଁଖାଇ ପର୍ବ ।ନୂଆଁଖାଇ ହେଉଛି ଭାଇଚାରାର ପର୍ବ । ପର୍ବ ସମୟରେ ଯିଏ ଯେଉଁଠି ଥିଲେ ମଧ୍ୟ ଏକାଠି ହୁଅନ୍ତି । ସମସ୍ତେ ରାଗରୁଷା ଛାଡି ହସ ଉଲ୍ଲାସରେ ଏହି କୃଷିଭିତ୍ତିକ ନୂଆଁଖାଇ ପର୍ଵକୁ ପାଳନ କରୁଛନ୍ତି ।