ଅନ୍ୟ ଜାତିରେ ପ୍ରେମ ବିବାହ କଲା ଝିଅ; ପ୍ରତୀକାତ୍ମକ ଶବସତ୍କାର, ଶୁଦ୍ଧିକ୍ରିୟା କଲେ ପରିବାର ବର୍ଗ

ଗଞ୍ଜାମ: ଗାଁ ଦାଣ୍ଡରେ ଶୁଭୁଥିଲା ‘ରାମ ନାମ ସତ୍ୟ ହେ’ ଧ୍ୱନୀ । ପ୍ରତିଟି ଅନ୍ତିମ ଶୋଭାଯାତ୍ରା ଭଳି ଗାଁ ଦାଣ୍ଡରେ ବାଜିଥିଲା ଘଣ୍ଟ ଓ ମୃଦଙ୍ଗ । ଏପରିକି ଗାଁ ଦାଣ୍ଡରେ ଅନୁରୂପ ଭାବରେ କୋକେଇ କାନ୍ଧରେ ବୋହି ନେଇଥିଲେ ଜନ୍ମକଲା ବାପା । ଶେଷରେ ଗାଁ ଶ୍ମଶାନରେ ତାହାକୁ ଦାହ ମଧ୍ୟ କରାଯାଇଥିଲା । ହେଲେ ଏହା ସତସତିକା ମୃତଦେହକୁ ନେଇ ଅନ୍ତିମ ସତ୍କାର କରାଯାଇ ନଥିଲା କି କୌଣସି ଚଳଚିତ୍ର ପାଇଁ ସୁଟିଂ ହୋଇନଥିଲା । ବରଂ ନିଜର ଜନ୍ମକଲା ଝିଅ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିବାରୁ ପରିବାର ବର୍ଗ କରିଥିଲେ ଏଭଳି ପ୍ରତୀକାତ୍ମକ ଶବସତ୍କାର ଏବଂ ସାମିଲ ହୋଇଥିଲେ ଶୁଦ୍ଧିକାର୍ଯ୍ୟରେ । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ବଳିଆପଲି ଗ୍ରାମରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା ।

ଆଧୁନିକତା ଯୁଗରେ ଏବେବି ଗ୍ରାମାଞ୍ଚଳରେ ଅନ୍ଧବିଶ୍ୱାସ ଓ କୁ-ସଂସ୍କାର ଭଳି ଘଟଣା ବାରମ୍ୱାର ଦେଖିବାକୁ ମିଳୁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଥିବା ଏହି ଘଟଣା ପୁଣି ସଭ୍ୟ ସମାଜ ପ୍ରତି ଉଠାଇଛି ଅଙ୍ଗୁଳି । ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଜଣେ ଯୁବତୀ ଅନ୍ୟ ଜାତିରେ ପରିବାର ବର୍ଗଙ୍କ ଅନିଚ୍ଛାରେ ପ୍ରେମ ବିବାହ କରିଥିବାରୁ ପରିବାର ବର୍ଗ ଓ କୂଳ ସମାଜ ଏନେଇ ପ୍ରତୀକାତ୍ମକ ଶବସତ୍କାର କରି ଶୁଦ୍ଧିକାର୍ଯ୍ୟରେ ସାମିଲ ହେବା ଭଳି ଏକ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି । ସେପଟେ ଏନେଇ କୌଣସି ବିଧିବଦ୍ଧ ଏତଲା ହୋଇନଥିବା ଜଣାଯାଇଛି ।

ଘଟଣା ରହିଥିଲା ଏହିପରି-ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ବଳିଆପଲି ଗ୍ରାମର ନିରଞ୍ଜନ ଗୌଡଙ୍କ ଝିଅ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିଲେ । ନିଜର ପରିବାରର ଅନିଚ୍ଛା ସତ୍ତ୍ୱେ ଅନ୍ୟ ଜାତିରେ ତଥା ସମାଜର ଛୋଟ ଜାତିରେ ବିବାହ କରିଥିବା ନେଇ ପରିବାର ଗର୍ବ ଓ କୂଳ ସମାଜ ଏହାକୁ ବିରୋଧ କରିଥିଲେ । ଶେଷରେ କନ୍ୟାର ପରିବାର ବର୍ଗ ଝିଅ ବଞ୍ଚି ଥାଉ ଥାଉ ଗାଁ ଦାଣ୍ଡରେ ଶୁଦ୍ଧି କ୍ରିୟା କରିବାକୁ ନିଷ୍ପତ୍ତି ନେଇଥିଲେ ।ଗାଁ ଦାଣ୍ଡରେ ହେଲା ପ୍ରତୀକାତ୍ମକ ଶବସତ୍କାର -ଗାଁ ଦାଣ୍ଡରେ ହେଲା ପ୍ରତୀକାତ୍ମକ ଶବସତ୍କାର । ଯେପରି ଜଣେ ବ୍ୟକ୍ତି ମୃତ୍ୟୁ ଘଟିବା ପରେ ଗାଁ ଦାଣ୍ଡରେ ଶେଷ ଯାତ୍ରାର ସମସ୍ତ କାର୍ଯ୍ୟକ୍ରମ ହୋଇଥାଏ ସେହିପରି ଅନୁରୂପ ଭାବରେ ଏକ କଦଳି ଗଛକୁ ମୃତଦେହ ସଜାଇ ନୂଆ ଲୁଗା ଗୁଡାଇ ଗାଁ ଦାଣ୍ଡରେ ଘଣ୍ଟ ମୃଦଙ୍ଗ ସହ ରାମ ନାମ ସତ୍ୟ ହେ କହି ଗ୍ରାମରୁ ଗ୍ରାମକୁ ପରିକ୍ରମା କରିବା ପରେ ଗାଁ ଶ୍ମଶାନରେ ଦାହ କାର୍ଯ୍ୟ କରାଯାଇଥିଲା । ଗଞ୍ଜାମ ଜିଲ୍ଲାରେ ଏପରି ଏକ ଘଟଣା ଘଟିବା ଏବଂ ଏହାର ଭିଡିଓ ଫୋଟ ଭାଇରାଲ ହେବା ପରେ ଏହା ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଛି ।

ଆଧୁନିକତା ଯୁଗରେ ଏବେବି ଗ୍ରାମାଞ୍ଚଳରେ ଅଭାବ ରହିଛି ସଚେତନତା-ଯୁଗ କୁଆଡେ ଗଲାଣି । ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ସମ୍ଭବ ହୋଇସାରିଲାଣି । ତଥାପି ଏଭଳି ଘଟଣା ଦେଖିଲେ ଲୋକେ ଆଜି ବି ସଚେତନ ହୋଇପାରିନଥିବା ସ୍ପଷ୍ଟ ପ୍ରମାଣିତ ହେଉଛି । ଝିଅ ଅନ୍ୟ ଜାତିରେ ପ୍ରେମ ବିବାହ କରିବ ବୋଲି ପରିବାର ବର୍ଗ ବଞ୍ଚି ଥାଉ ଥାଉ ଅପମାନ ସୂଚକ କାର୍ଯ୍ୟ କରି ଶୁଦ୍ଧିକ୍ରିୟା କରିବା ଘଟଣା ଏବଂ ଝିଅ ବଦଳରେ ପ୍ରତିକାତ୍ମକ କଦଳି ଗଛକୁ କାନ୍ଧରେ ଧରି ଘଣ୍ଟ ଓ ମୃଦଙ୍ଗ ବଜାଇ ଗାଁ ଶ୍ମଶାନକୁ ନେବା ଏବଂ ଦାହ କରିବା ଘଟଣା କେବଳ ଗୋଟିଏ ପରିବାରକୁ ନୁହେଁ ବରଂ ସଭ୍ୟ ସମାଜ ପ୍ରତି ଉଠାଇଛି ପ୍ରଶ୍ନବାଚୀ ।

ଏହି ଘଟଣାକୁ ନେଇ ବାପା ନିରଞ୍ଜନ ଗୌଡଙ୍କ କହିବା କଥା, “ମୋର ପରିବାରରେ ଚାରି ଝିଅ ଏବଂ ଗୋଟିଏ ପୁଅ । ହେଲେ ଅନେକ ଦୁଃଖ କଷ୍ଟରେ ପିଲା ମାନଙ୍କୁ ପାଠ ପଢାଇ ଥିଲି । ହେଲେ ତୃତୀୟ କନ୍ୟା ପରିବାରର ଅନିଚ୍ଛା ସତ୍ତ୍ୱେ ବିବାହ କରି ଆମ ଜାତି ଠାରୁ ନିଚ୍ଚ ଜାତିକୁ ବିବାହ କରି ଚାଲିଯାଇଥିଲା । ଏହାକୁ କୂଳ ବନ୍ଧୁ ପରିବାର ବର୍ଗ ଗ୍ରହଣ କରିପାରିଲେ ନାହିଁ । ଯାହାକୁ ନେଇ ସେ ବଞ୍ଚି ଥାଉ ଥାଉ ପ୍ରତିକାତ୍ମକ ଶବ ଦାହ ଏବଂ ଶୁଦ୍ଧିକ୍ରିୟା ଭଳି କାର୍ଯ୍ୟ କରାଯାଇଛି । ଝିଅର ଜୀବିତରେ ହିଁ ଦଶାହକାର୍ଯ୍ୟ କରି ଗାଁର କୂଳ ଲୋକଙ୍କୁ ଦ୍ୱାଦଶ ଭୋଜି ଦେଇ ଶୁଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିଲା । ମୁଁ ବର୍ତ୍ତମାନ ଝିଅକୁ ସବୁଦିନ ପାଇଁ ଭୁଲି ଯାଇଛି

ସେପଟେ ନିରଞ୍ଜନଙ୍କ ପତ୍ନୀ ରୁନୁ ଗୌଡଙ୍କ କହିବା କଥା, “ନିଜର ଜନ୍ମ କଲା ଝିଅକୁ ଛୋଟରୁ ବଡ କରିଥିଲି ହେଲେ ସେ ଏପରି ନିଷ୍ପତ୍ତି ନେବା ଆଗରୁ ଆମ କଥା ଭାବିନଥିବା ଯୋଗୁଁ ଆମେ ଶେଷରେ ଏପରି କରିବାକୁ ବାଧ୍ୟ ହୋଇଥିଲୁ ।”ସେପଟେ ଏନେଇ ପୋଲିସ କିମ୍ୱା ପ୍ରଶାସନିକ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଭୁବନେଶ୍ୱରର ସୋସିଓଲୋଜିଷ୍ଟ ରେଣୁବାଳା ସାମନ୍ତରାୟଙ୍କୁ ଯେତେବେଳେ ଏପରି ପ୍ରଥା ଏବେ ବି ପ୍ରଚଳିତ ବୋଲି ପଚରାଗଲା, ସେ କହିଥିଲେ, “ସମସ୍ୟା ହେଉଛି ଆମେ ମୂଳକୁ ଯାଉନେ । ଆମେ କେବଳ ଏକ ପରିବାରକୁ ଦୋଷ ଦେଉଛେ । ଏହି ପରିବାରର ସଦସ୍ୟଙ୍କ ଶିକ୍ଷାଗତ ଯୋଗ୍ୟତା କଣ ? ସେମାନଙ୍କର ସାଂସ୍କୃତିକ ପରିବେଶ ଏବଂ ମୂଲ୍ୟବୋଧକୁ ବିଚାରକୁ ନିଆଯିବା ମଧ୍ୟ ଆବଶ୍ୟକ । ଆମେ କ’ଣ ଏପରି ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛେ କି ? ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଅଧିକାରୀମାନେ ଏହି ଘଟଣାର ସ୍ୱତଃସ୍ପୃତ ଭାବରେ ବିଚାର କରି ପିତାମାତାଙ୍କୁ ବୁଝାଇଲେ ଏପରି ପ୍ରଥାକୁ ରୋକାଯାଇପାରିବ । କେବଳ ବୁଝାଇବା ନୁହେଁ ବରଂ ସେମାନଙ୍କୁ ସଚେତନ କରାନ୍ତୁ ଯେ ଏପରି ପ୍ରଥା କ୍ଷତିକାରକ । ଏହା ସହିତ, ସାକ୍ଷରତା ସ୍ତର ବୃଦ୍ଧି କରିବା ପାଇଁ ପ୍ରୟାସ କରିବାକୁ ପଡିବ ଯାହା ଦ୍ୱାରା ଯୁବପିଢ଼ି ପ୍ରତିରୋଧ କରିବାକୁ ହାତ ମିଳାଇବେ ।”