ସ୍ବଦେଶୀ ଚିପ୍ ବିକଶିତ କଲା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ, ସହଜରେ ଟ୍ରାକ ହେବେ ଅପରାଧୀ

ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଆହ୍ବାନରେ ମେଡ୍ ଇନ୍ ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍ ପ୍ରସ୍ତୁତ କରି ଦେଶରେ ପ୍ରଶଂସା ସାଉଣ୍ଟିଛି ବ୍ରହ୍ମପୁର ସହର ଉପକଣ୍ଠ ନିକଟବର୍ତ୍ତୀ ଶୀତଳାପଲ୍ଲୀ ଠାରେ ଅବସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ (PMEC) । ନୂଆଦିଲ୍ଲୀରେ ସେପ୍ଟେମ୍ବର 2 ତାରିଖରୁ ଉଦଘାଟିତ ହୋଇଥିବା ତିନି ଦିନିଆ ‘ସେମିକନ୍‌ ଇଣ୍ଡିଆ 2025’ ସମ୍ମିଳନୀରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ କରି ନିର୍ମିତ ସ୍ବଦେଶୀ ଚିପ୍‌ଗୁଡ଼ିକ ପ୍ରଦାନ କରିଥିଲେ, ଯେଉଁଥିରେ ଓଡ଼ିଶାରେ ବିକଶିତ 3ଟି ଚିପ୍ସ ରହିଛି । ସେଥିମଧ୍ୟରୁ PMECର ମଧ୍ୟ C2S0061 ଚିପ୍‌ ସାମିଲ ।

ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଏକ ସ୍ବତନ୍ତ୍ର ଗବେଷକ ଦଳ ପ୍ରାୟ ଦୀର୍ଘ ଦିନ ଧରି ସ୍ବଦେଶୀ ଜ୍ଞାନ କୌଶଳରେ ନୂଆ ଗବେଷଣା କରି ଏହି ଚିପ୍‌କୁ ପ୍ରସ୍ତୁତ କରିଛନ୍ତି । ଗତକାଲି (ମଙ୍ଗଳବାର) ନୂଆଦିଲ୍ଲୀରେ ଏହି ଚିପ୍‌ ପ୍ରଦର୍ଶିତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ ଏବଂ ବିଭିନ୍ନ ମହଲରେ PMECକୁ ପ୍ରଶଂସା କରାଯାଉଛି ।

PMECରେ ବିକଶିତ ହେଲା ସ୍ବଦେଶୀ ‘C2S0061’ ଚିପ୍‌ବ୍ରହ୍ମପୁରର ଉପକଣ୍ଠ ଶୀତଳାପଲ୍ଲୀ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ନୂତନ ଭାବରେ ଗବେଷଣାଗାରରେ ସେମିକଣ୍ଡକ୍ଟର ଚିପ୍ ‘C2S0061’ ପ୍ରସ୍ତୁତ କରାଯାଇଛି । ମହାବିଦ୍ୟାଳୟର ବିଦ୍ୟାର୍ଥୀ ଓ ଗବେଷକଙ୍କ ମିଳିତ ପ୍ରୟାସରେ ଏହି ପ୍ରଥମ ସ୍ବଦେଶୀ ସେମିକଣ୍ଡକ୍ଟର ଚିପ୍ ପ୍ରସ୍ତୁତ ହୋଇଛି । ପ୍ରଥମ ସୋପାନରେ ପ୍ରସ୍ତୁତ ହୋଇଥିବା ସେମିକଣ୍ଡକ୍ଟର ଚିପ୍ ଡିଜାଇନ୍ କରାଯାଇ ଏହାର ଅପଡେଟ୍ କରାଯିବା ପାଇଁ ଚଣ୍ଡିଗଡ଼ ମୋହାଲିରେ ଥିବା ସେମିକଣ୍ଡକ୍ଟର ଲାବରୋଟାରୀକୁ ପଠାଯାଇଥିଲା। ଏହାପରେ ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ ପ୍ରସ୍ତୁତ ହୋଇଛି ।ସହଜରେ ଟ୍ରାକ ହେବେ ଅପରାଧୀ:ଏହି ଚିପ୍ ଅପରାଧୀଙ୍କୁ ସହଜରେ ଟ୍ରାକିଂ କରିପାରିବ । ଏହି ଚିପ୍‌ଟି ଅତ୍ୟନ୍ତ ଛୋଟ ଅର୍ଥାତ ନାନୋ ଚିପ୍ ହୋଇଥିବାରୁ ଜନଗହଳି ସ୍ଥାନରେ ସହଜରେ ଅପରାଧିକ କାର୍ଯ୍ୟକଳାପ ତଥ୍ୟ ସଂଗ୍ରହ ହୋଇପାରିବ । କେନ୍ଦ୍ର ସରକାରଙ୍କ ଅନୁଦାନରେ ‘ହାର୍ଡୱେର ଇମ୍ପ୍ଲିମେଣ୍ଟେସନ୍‌ ଅଫ୍ ଫେସ୍ ରେକଗ୍‌ନିସନ୍ ସିଷ୍ଟମ୍ ଫର୍ କ୍ରିମିନାଲ୍ ଆଇଡେଣ୍ଟିଫିକେସନ୍ ୟୁଜିଙ୍ଗ୍ ଏଫ୍‌ପିଜିଏ ଆଣ୍ଡ୍ ଆପ୍ଲିକେସନ୍ ସ୍ପେଶିଫିକ୍ ଇଣ୍ଟିଗ୍ରେଟେଡ୍ ସର୍କିଟ’ ବିଷୟବସ୍ତୁକୁ ନେଇ ପାରଳା ଇଞ୍ଜିନୟରିଂ କଲେଜ‌ରେ ଗବେଷଣା ଜାରି ରହିଥିଲା ।

ଏହି ପ୍ରକଳ୍ପର ପ୍ରୋଜେକ୍ଟ ଚିଫ୍ ଇନ୍‌ଭେଷ୍ଟିଗେଟର ଡ. ରଘୁନନ୍ଦନ ସ୍ବାଇଁ ଏବଂ ସହଯୋଗୀ ଇନଭେଷ୍ଟିଗେଟର ଭାବରେ କଲେଜ ଇଟିସି ବିଭାଗର ସହକାରୀ ପ୍ରାଧ୍ୟାପକ ଡ.ଦିନେଶ କୁମାର ଦାଶ ଏହାର କାର୍ଯ୍ୟ କରୁଥିଲେ । ଏଥିରେ ଦୁଇ ଜଣ ଗବେଷିକା ଭାବରେ ରଶ୍ମିତା କର୍ଣ୍ଣ ଓ ସସ୍ମିତା ପାଢ଼ୀ ଦୀର୍ଘ ମାସ ଧରି କାର୍ଯ୍ୟ କରି ଆସୁଥିବା ବିଷୟକୁ ଇଟିଭି ଭାରତ ସହିତ ଆଲୋଚନା ସମୟରେ କହିଛନ୍ତି ।ପ୍ରକଳ୍ପର ସହଯୋଗୀ ଇନଭେଷ୍ଟିଗେଟର ଡ. ଦିନେଶ କୁମାର ଦାଶ କହିଛନ୍ତି, “ପୂର୍ବରୁ ଚାଇନା ଏବଂ ତାଇବାନ ଦେଶ ପ୍ରସ୍ତୁତ କରୁଥିଲେ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଆହ୍ବାନରେ ଅନୁପ୍ରାଣିତ ହୋଇ ଗତ ଦୁଇ ବର୍ଷ ପୂର୍ବ ବ୍ରହ୍ମପୁରର ପାରାଳା ମହାରାଜା ଇଞ୍ଜିନିରିଂ କଲେଜ ଏପରି ଚିପ୍ ପ୍ରସ୍ତୁତ କରିବାର ପରିକଳ୍ପନା କରିଥିଲା । ହେଲେ ଭାରତ ସରକାରଙ୍କ ମିନିଷ୍ଟର ଅଫ୍ ଇଲୋଟ୍ରନିକ୍ ଏଣ୍ଡ ଇନଫରମେସନ୍ ଟୋକ୍ନୋଲୋଜିଠାରୁ ଏହି ପ୍ରୋଜେକ୍ଟ ପାଇବା ପରେ ଆରମ୍ଭ ହୋଇଥିଲା ଉଦ୍ୟମ । ଯାହାକୁ ପରିକଳ୍ପନା କରିବା ପାଇଁ ଦିନରାତି ଏକ କରି ସ୍ବଦେଶୀ ଜ୍ଞାନ କୌଶଳ ବ୍ୟବହାର କରି ସମାଜର କଲ୍ୟାଣରେ କିପରି ବିନିଯୋଗ ହୋଇପାରିବ ସେ ନେଇ କାର୍ଯ୍ୟ କରିଥିଲେ । ଯାହକି ପୁରା ଟିମ୍‌ର ଉଦ୍ୟମରେ ଏଭଳି ସଫଳତା ପାଇତିବା ଯୋଗୁଁ ସମସ୍ତେ ବେଶ ଖୁସି ।”