ବିଡ଼ିଓ ହେବ ତ ଏମିତି, ନିଜ ହାତରେ ଡ୍ରେନ ସଫା କରି ଏବେ ଚର୍ଚ୍ଚାରେ ବିଡ଼ିଓ ମ୍ୟାଡ଼ାମ

ନୂଆପଡା: ମଇଳା ଡ୍ରେନ ସଫା କରି ଚର୍ଚ୍ଚାରେ ବିଡ଼ିଓ ମ୍ୟାଡ଼ାମ । କହି କହି ଶୁଣିଲେନି କର୍ମଚାରୀ । କାନିକୁ ଅଣ୍ଟାରେ ଭିଡ଼ି ନିଜ ହାତରେ ଡ୍ରେନ ସଫା କଲେ ମ୍ୟାଡ଼ାମ । ଆଉ ଲୋକଙ୍କୁ ସଚେତନ କଲେ ନିଜ ଅଞ୍ଚଳ ନିଜେ ସଫା ରଖ । ଅଳିଆ ସଫା କରିବା କେବଳ ସଫେଇ କର୍ମଚାରୀଙ୍କ କର୍ତ୍ତବ୍ୟ ନୁହେଁ, ସେମାନଙ୍କୁ ଆମେ ମଧ୍ୟ ସହଯୋଗ କରିବା ଉଚିତ । ୟାଡ଼େ ସ୍ୟାଡ଼େ ଆଲିଆ ଫିଙ୍ଗ ନାହିଁ । ମ୍ୟାଡମଙ୍କର ଏଭଳି ମହତ କାର୍ଯ୍ୟକୁ ଦେଖି ଚାରିଆଡ଼ୁ ତାଙ୍କ ପ୍ରତି ଭୁୟସୀ ପ୍ରଶଂସା ଛୁଟିଲାଣି ଆଉ ଲୋକେ କହିଲେଣି ବିଡ଼ିଓ ହେବ ତ ଏମିତି । ଦେଖନ୍ତୁ କେମିତି ନିଜ ହାତରେ ଅଳିଆଗୁଡାକ କାଢି ପକାଉଛନ୍ତି । ନୂଆପଡ଼ାରେ ଦେଖିବାକୁ ମିଳିଛି ଏ ଦୃଶ୍ୟ । ନିଜ ହାତରେ ଡ୍ରେନ୍ ସଫା କରୁଥିଲେ ବିଡିଓ । ଧାଇଁ ଆସିଲେ ଗାଁ ଲୋକ । କହିଲେ ମ୍ୟାଡାମ୍ ଆପଣ ସଫା କରନ୍ତୁନି ।ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ କର୍ମି ଓରାମ ନିଜ ହାତରେ ଡ୍ରେନରୁ ମଇଳା ସଫା କରି ଏବେ ଚର୍ଚ୍ଚାରେ ରହିଛନ୍ତି । ଗତ ସୋମବାର ଦିନ ସିନାପାଲିଠାରେ ଗାଁରେ ପ୍ରଶାସନ ଅଭିଯୋଗ ଶୁଣାଣୀ ଶିବିର ଚାଳିଥିବା ବେଳେ ସ୍ଥାନିୟ ଗ୍ରାମବାସୀ ପ୍ରଶାସନ ଡ୍ରେନ ସଫାକରୁନାହିଁ ବୋଲି ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ସିନାପାଲି ବିଡିଓ କର୍ମୀ ଓରାମ ଘଟଣାସ୍ଥଳରେ ପହଞ୍ଚି ନିଜ ହାତରେ ଡ୍ରେନ ଭିତରେ ପଡିରହିଥିବା ଅଳିଆ ଆବର୍ଜନାକୁ ସଫାକରିଥିଲେ । ସ୍ଥାନିୟ ଲୋକମାନେ ଡ୍ରେନରେ ଅଳିଆ ଆବର୍ଜନା ଓ ପ୍ଲାଷ୍ଟିକ ସାମଗ୍ରି ଫିଂଗି ଦେଇଥିଲେ । ଯାହା ଫଳରେ ମଇଳା ଜମିବା ସହ ଡ୍ରେନରେ ପାଣି ନିଷ୍କାସନ ହୋଇନପାରୁ ନଥିଲା । ସିନାପାଲି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ କର୍ମି ଓରାମ ନିଜ ହାତରେ ଡ୍ରେନରୁ ମଇଳା ସଫା କରି ଥିଲେ ।ବିଡିଓ ମ୍ୟାଡ଼ାମଙ୍କ ଏଭଳି ମହତ କାର୍ଯ୍ୟକୁ ଦେଖି ସିନାପାଲି ଗ୍ରାମବାସୀ ସଚେତନ ହେବା ସହ ମ୍ୟାଡାମ୍ ଆପଣ ଆଉ ସଫା କରନ୍ତୁ ନାହିଁ ବୋଲି ଅନୁରୋଧ କରିଥିଲେ । ପରେ ଗାଁ ଲୋକେ ଅଳିଆ ଡ୍ରେନରେପକାଇବେ ନାହିଁ ବୋଲି ମଧ୍ୟ ବିଡ଼ିଓଙ୍କ ଆଗରେ ପ୍ରତିଶ୍ରୁତି ଦେଇଥିଲେ । ଯାହା ବି ହେଉନା କାହିଁକି ବିଡ଼ିଓ ମ୍ୟାଡ଼ାମଙ୍କର ଏହି କାର୍ଯ୍ୟ ସମସ୍ତଙ୍କ ମନ ଜିଣି ନେଇଛି । ସରକାରୀ ପଦବୀରେ ଥିଲେ ମଧ୍ୟ ତିଳେ ହେଁ ଗର୍ବ ନାହିଁ, ସାଧାରଣ ଲୋକଟିଏ ପରି ଅଳିଆ ସଫା କରି ଲୋକଙ୍କୁ ସଚେତନ କରାଇଲେ ।