
ଝାରସୁଗୁଡାର ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଏକ ମସଜିଦକୁ ଯାଇ ପ୍ରାର୍ଥନା କରୁଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ସେ ଝାରସୁଗୁଡାର ତେଲିଭଟ୍ଟା ଇସଲାମ ନଗରସ୍ଥିତ ହଜରତ ବାବା ଅବଦୁଲ ଗଫାର୍ ମସଜିଦର ଉର୍ଷ ମୁବାରକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ସେ ମୁସଲିମ ମହିଳାଙ୍କ ପରି ବେଶ ଧାରଣ କରି ପ୍ରାର୍ଥନା କରିଥିଲେ।ତେବେ ଏହାର କାରଣ ହେଲା ସେ ଲୋକସଂପର୍କ ବଢାଇବା ପାଇଁ ପ୍ରତିଦିନ ବିଭିନ୍ନ ସଂପ୍ରଦାୟ ତଥା ବର୍ଗର ଲୋକଙ୍କୁ ଭେଟୁଛନ୍ତି। ବିଭିନ୍ନ ଲୋକଙ୍କ ଦୁଃଖସୁଖ ସମୟରେ ତାଙ୍କ ପାଖରେ ପହଞ୍ଚୁଛନ୍ତି। ଫଳରେ ଦୀପାଳିଙ୍କର ସେହି ପୂର୍ବ ଲୋକପ୍ରିୟତା ବର୍ତ୍ତମାନ ସୁଦ୍ଧା ସେ ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି।ସେହିପରି ସେ ଗଣେଶ ପୂଜାରେ ମଧ୍ୟ ନିଜକୁ ସାମିଲ କରାଇଛନ୍ତି। ଝାରସୁଗୁଡାରେ ଆୟୋଜିତ ବିଭିନ୍ନ ଗଣେଷ ପୂଜା ମଣ୍ଡପକୁ ଯାଇ ପ୍ରାର୍ଥନା କରିଛନ୍ତି। ସେ କେଉଁଠାରେ ଗଣେଶଙ୍କୁ ଆଳତି କରି ପ୍ରଣାମ କରୁଛନ୍ତି ତ କେଉଁଠି ପ୍ରସାଦ ସେବନ କରୁଛନ୍ତି। ଗଣେଶ ପୂଜା ବେଳେ ଦୀପାଳି ପୁରା ସମୟ ନିଜକୁ ପ୍ରଭୃ ଗଣେଶ ଏବଂ ଝାରସୁଗୁଡାବାସୀଙ୍କ ନିକଟରେ ସମର୍ପଣ କରିଦେଇଥିଲେ।