ଆଇପିଏଲ ଦେଖିବା ହେବ ମହଙ୍ଗା, ଏବେ ଟିକେଟରେ ଲାଗିବ ୪୦% ଜିଏସଟି, ଜାଣନ୍ତୁ ନୂଆ ରେଟ୍

ଆଇପିଏଲ ମ୍ୟାଚ୍ ଦେଖିବାକୁ ଫ୍ୟାନ୍ସଙ୍କୁ ଏବେ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଆଇପିଏଲ ଟିକେଟ ପାଇଁ ଏବେ ପୂର୍ବ ତୁଳନାରେ ଅଧିକ ଟଙ୍କା ଦେବାକୁ ହେବ । ୩ ସେପ୍ଟେମ୍ବରରେ ହୋଇଥିବା ଜିଏସଟି କାଉନସିଲ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଇପିଏଲ ଏବଂ ଏହାଭଳି ଖେଳାଯାଉଥିବା ଖେଳ ଟିକେଟରେ ଏବେ ୪୦ ପ୍ରତିଶତ ଜିଏସଟି ଲାଗୁ ହେବ ।ପୂର୍ବରୁ ଆଇପିଏଲ ଟିକେଟରେ ୨୮ ପ୍ରତିଶତ ଜିଏସଟି ଲାଗୁଥିଲା । ଆଉ ଏବେ ଆଇପିଏଲ ଟିକେଟରେ ସବୁଠାରୁ ଅଧିକ ଟ୍ୟାକ୍ସ ସ୍ଲାବ୍ ଅର୍ଥାତ୍ ୪୦ ପ୍ରତିଶତରେ ସାମିଲ କରାଯାଇଛି । ଏଥିରେ କ୍ୟାସିନୋ, ରେସ କ୍ଲବ ଏବଂ ବିଳାସପୂର୍ଣ୍ଣ ପ୍ରଡକ୍ଟସ ମଧ୍ୟ ସାମିଲ ରହିଛି । ଏହି ନିଷ୍ପତ୍ତି ପରେ ଏବେ ଆଇପିଏଲ ଟିକେଟ ଦାମ ଉପରେ ପ୍ରଭାବ ପଡିବ ।ପୂର୍ବରୁ ୫୦୦ ଟଙ୍କାରେ ମିଳୁଥିବା ଆଇପିଏଲ ଟିକେଟ ଜିଏସଟି ସହିତ ୬୪୦ ଟଙ୍କାରେ ମିଳିଥିଲା । ଯାହା ଏବେ ୭୦୦ ଟଙ୍କାରେ ମିଳିବ । ଫ୍ୟାନ୍ସଙ୍କୁ ଏବେ ଅଧିକ ୬୦ ଟଙ୍କା ଖର୍ଚ୍ଚ କରିବାକୁ ହେବ । ସେହିପରି ୧୦୦୦ ଟଙ୍କିଆ ଟିକେଟ ଏବେ ୧୪୦୦ ଟଙ୍କା ପଡିବ । ଯାହା ପୂର୍ବରୁ ୧୨୮୦ ଟଙ୍କାରେ ମିଳୁଥିଲା । ୨୦୦୦ ଟଙ୍କିଆ ଟିକେଟ ୨୮୦୦ ଟଙ୍କାରେ ମିଳିବ । ଯାହା ପୂର୍ବରୁ ୨,୫୬୦ ଟଙ୍କାରେ ମିଳୁଥିଲା ।ସୂଚନାଯୋଗ୍ୟ, ଦୁନିଆର ସବୁଠାରୁ ବଡ଼ ଟି୨୦ ଲିଗ ଆଇପିଏଲରେ ଏଯାଏଁ ୧୮ଟି ସିଜିନ ଖେଳାଯାଇଛି । ଆଇପିଏଲ ୧୮ ସିଜିକୁ ଆରସିବି ଜିତିଥିଲା । ଫାଇନାଲରେ ପଞ୍ଜାବକୁ ୬ ରନରେ ହରାଇଥିଲା ।