‘୧୫ ମାସରେ ୪୦୦୦ ଦୁଷ୍କର୍ମ ମାମଲା’, ରାଜ୍ୟରେ ମହିଳା ସୁରକ୍ଷା ଉପରେ ସ୍ନେହାଙ୍ଗିନୀଙ୍କ ପ୍ରଶ୍ନ

ଭୁବନେଶ୍ବର: ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ହେବା ପରେ ବଡ଼ ବୟାନ ଦେଇଛନ୍ତି ସ୍ନେହାଙ୍ଗିନୀ ଛୁରିଆ । “ରାଜ୍ୟରେ ୧୫ ମାସରେ ୪ ହଜାରରୁ ଉର୍ଦ୍ଧ୍ବ ଦୁଷ୍କର୍ମ ହୋଇଛି । ମହିଳାଙ୍କ ସୁରକ୍ଷା ଓ ସମ୍ମାନ ବିପଦ ଭିତରକୁ ଠେଲି ହୋଇଯାଇଛି । ମିଶନ ଶକ୍ତିକୁ ଟାର୍ଗେଟ କରି ବନ୍ଦ କରିବାକୁ ଉଦ୍ୟମ ହେଉଛି । ରାଜ୍ୟରେ ମହିଳା ମାନଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନରେ ରାଜ୍ୟ ବିଜେପି ସରକାର ବିଫଳ ହୋଇଛନ୍ତି ।” ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତି ପାଇବା ପରେ ଏଭଳି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ମହିଳାଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧି ପାଉଥିବା ବେଳେ, ବିଜୁ ମହିଳା ଜନତା ଦଳ ରାଜ୍ୟର ଅବହେଳିତ ଓ ନିଷ୍ପେସିତ ମହିଳାଙ୍କ ସ୍ୱର ହେବା ସହ ତାଙ୍କ ନ୍ୟାୟ ପାଇଁ ଲଢେଇ କରିବ ବୋଲି ସେ କହିଛନ୍ତି ।4000 Women Raped In Past 15 Months Women Safety Dignity in Danger BMJD President Snehangini Chhuria (ETV Bharat)’ଅସୁରକ୍ଷିତ ହୋଇପଡିଛନ୍ତି ମହିଳା’:ପୁଣିଥରେ ବିଜେଡିର ମହିଳା ସଭାନେତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ପୁଣିଥରେ ଦଳର ମହିଳା ସଭାନେତ୍ରୀ ଭାବେ ଦାୟିତ୍ୱ ଦେଇଥିବାରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଦାୟିତ୍ୱ ନେବା ପରେ ସ୍ନେହଙ୍ଗୀନି କହିଛନ୍ତି, “ଗତ ୧୫ ମାସର ବିଜେପି ଶାସନରେ ରାଜ୍ୟର ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ମହିଳାଙ୍କ ସମ୍ମାନ କ୍ଷୁଣ୍ଣ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ମହିଳାଙ୍କୁ ସ୍ୱାବଲମ୍ୱୀ କରାଯାଇଥିଲା । ମହିଳାମାନେ ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ଏହା ସହିତ ସମାଜରେ ନିଜର ପ୍ରତିଷ୍ଠା ହାସଲ କରିବାରେ ସକ୍ଷମ ହୋଇଥିଲେ । ବିଜେପି ସରକାରଙ୍କ ୧୫ ମାସର ଶାସନ ସମୟରେ ମହିଳା ମାନଙ୍କୁ ସମାଜରେ ପ୍ରତିଷ୍ଠା ଓ ସମ୍ମାନ ଦେଉଥିବା କାର୍ଯ୍ୟକ୍ରମ ମିଶନ ଶକ୍ତି ଏବେ ବନ୍ଦ ହେବାକୁ ବସିଲାଣି ।”

ସ୍ନେହଙ୍ଗୀନୀ ଆହୁରି ମଧ୍ୟ କହିଛନ୍ତି, “ଗତ ୧୫ ମାସରେ ପ୍ରାୟ ୪ ହଜାର ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ରାଜ୍ୟରେ ପ୍ରାୟ ୧୫ ଜଣ ମହିଳା ପ୍ରତିଦିନ ଦୁଷ୍କର୍ମର ଶିକାର ହେଉଛନ୍ତି । ବିଭିନ୍ନ ଅତ୍ୟାଚାରର ଶିକାର ହେଉଥିବା ମହିଳା ଓ ଛାତ୍ରୀମାନେ ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଦୁଷ୍କର୍ମ, ଅସଦାଚରଣ ଘଟଣା ପ୍ରତିଦିନ ଖବରକାଗଜରେ ଶିରୋନାମା ମଣ୍ଡନ କରୁଛି । ସରକାର ଏହାକୁ ରୋକିବା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି । କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ଅପରାଧୀମାନଙ୍କୁ ଗିରଫ କରାଯାଉଛି । କିନ୍ତୁ ସେପରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଯାହା ଫଳରେ ଅପରାଧୀମାନଙ୍କ ମନୋବଳ ବୃଦ୍ଧି ପାଉଛି । ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା, ସମ୍ମାନ ପାଇଁ ଲଢେଇ ଜାରି ରହିବ । ବିଜୁ ମହିଳା ଜନତା ଦଳ ଆଜି ସଙ୍କଳ୍ପ ନେଉଛି ଯେ, ରାଜ୍ୟର ମହିଳା ମାନଙ୍କ ନ୍ୟାୟ ପାଇଁ ସ୍ୱର ଶାଣିତ କରିବ ।”