ନିଖୋଜର ୮ମାସ ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା, ପ୍ରେମିକାକୁ ତଣ୍ଟିଚିପି ହତ୍ୟା କରିଥିବା ପ୍ରେମିକ ଗିରଫ

ଖୋର୍ଦ୍ଧା : ସନ୍ଦେହ ହେଲା କାଳ । ପ୍ରେମିକାକୁ ତଣ୍ଟିଚିପି ହତ୍ୟା କରିଥିଲା ପ୍ରେମିକ । ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ । ଏ ନେଇ ଶନିବାର ପୋଲିସ କମିଶନର ଏସ. ଦେବଦତ୍ତ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦେବାଶିଷ ହିଁ ଯୁବତୀଙ୍କୁ ସେଠାକୁ ନେଇ ହତ୍ୟା କରି ଫିଙ୍ଗିଥିବା ପୁଲିସ ନିକଟରେ ସ୍ଵୀକାର କରିଛି ।ସୂଚନା ଅନୁସାରେ ଶୁକ୍ରବାର କଳିଙ୍ଗମୁଣ୍ଡିଆରେ ଥିବା ଏକ ପଥର ଖଣି ପରିସରରୁ ଯୁବତୀଙ୍କ ମୃତଦେହ ଜବତ ହୋଇଥିଲା । ଯୁବତୀ ଜଣକ ଭରତପୁର ଥାନା ଅଞ୍ଚଳର । ମୃତ ଯୁବତୀଙ୍କ ନାଁ ନିରୁପମା ପରିଡ଼ା ଓରଫ ମିତା । ସେ ଭୁବନେଶ୍ୱର ଭରତପୁର ଅଞ୍ଚଳରେ କେୟାର୍ ଟେକର ଭାବେ କାମ କରୁଥିଲେ । ଗତ ଜାନୁୟାରୀ ସେ ନିଖୋଜ ହୋଇଯାଇଥିଲେ । ଏ ନେଇ ପରିବାର ଲୋକେ ଭରତପୁର ଥାନା‌ରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଯୁବତୀଙ୍କ ପତ୍ତା ପାଇ ନ ଥିଲା । ୮ମାସ ପରେ ଦେବାଶିଷକୁ ଧରି ପଚରାଉଚରା କରିବାରୁ ସେ ହତ୍ୟା କରିଥିବା ସ୍ଵୀକାର କରିଥିଲା । ମୃତଦେହ କେଉଁଠି ଫିଙ୍ଗିଥିଲା ସେ ନେଇ ଦେବାଶିଷ ପୋଲିସ ସହ ଘଟଣାସ୍ଥଳକୁ ଯାଇ ଦେଖାଇଥିଲା ।