ଲାଲକିଲ୍ଲା ପରିସରରୁ ସୁନା, ହୀରା ଲାଗିଥିବା ୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କଳସ ଚୋରି, ଧାର୍ମିକ କାର୍ଯ୍ୟକ୍ରମରେ ସୁଯୋଗ ନେଇ ଚୋର ଫେରାର

ନୂଆଦିଲ୍ଲୀ : ଲାଲକିଲ୍ଲା ପରିସରରୁ ଏକ କୋଟି ଟଙ୍କାର କଳସ ଚୋରି ହୋଇଛି । ଲାଲକିଲ୍ଲା ପରିସରରେ ଏକ ଧାର୍ମିକ ଅନୁଷ୍ଠାନ ଚାଲିଥିବା ବେଳେ ସମସ୍ତେ ବ୍ୟସ୍ତ ଥିବା ବେଳେ ଏହି କଳସ ଚୋରି ହୋଇଥିବା ଜଣାପଡିଛି । ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି । ତେବେ ମାମଲାରେ ବିଏନଏସ ୨୦୨୩, ୩୦୩(୨) ଅଧିନରେ ଏଫଆଇଆର ଦାୟର କରାଯାଇଛି ।ଖବର ମୁତାବକ, ନୂଆଦିଲ୍ଲୀରେ ଥିବା ଲାଲକିଲ୍ଲା ପରିସରରେ ଜୈନ ଧର୍ମର ଏକ କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ ଚୋର ସୁଯୋଗ ଦେଖି ଏକ କୋଟି ଟଙ୍କାରୁ ଅଧିକ ଦାମର ଏକ କଳସ ଚୋରି କରିନେଇଛି । ଏହି କଳସରେ ୭୬୦ ଗ୍ରାମର ସୁନା, ୧୫୦ ଗ୍ରାମର ହୀରା, ମାଣିକ, ମୋତି ଇତ୍ୟାତି ଲାଗିଥିଲା । ଏହି ଜୈନ କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଯୋଗ ଦେଇଥିଲେ ।ତେବେ ଘଟଣାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଦେଇଛି । ସିସିଟିଭି ଫୁଟେଜରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି କଏଦ ହୋଇଛି । ପୋଲିସ ସନ୍ଦିଗ୍ଧଙ୍କ ପରିଚୟ ଖୋଜି ଖୁବଶୀଘ୍ର ଗିରଫ କରିପାରେ ବୋଲି ଆଶଙ୍କା କରାଯାଉଛି ।ଏହି କଳସକୁ ନେଇ ବ୍ୟବସାୟୀ ସୁଧିର କୁମାର ଜୈନ କହିଛନ୍ତି, ଏହି କଳସ ବହୁମୂଲ୍ୟ ଏବଂ ଚୋର ଧାର୍ମିକ ବେଶଭୂଷା ଧାରଣ କରି ଆସି ଏହାକୁ ଚୋରାଇ ନେଇଥିବା ଅନୁମାନ କରାଯାଉଛି ।