ଟାରିଫ ପରେ ଭାରତ-ଆମେରିକା ସମ୍ପର୍କକୁ ନେଇ ବୟାନ ଦେଲେ ଟ୍ରମ୍ପ, କହିଲେ ମୋଦିଙ୍କ ସହ ଭଲ ବନ୍ଧୁ ହୋଇ ରହିବେ

ଟାରିଫକୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏହାରି ମଧ୍ୟରେ ଟ୍ରମ୍ପ ମୋଦିଙ୍କ ସହିତ ଥିବା ତାଙ୍କର ସମ୍ପର୍କକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ।ସୂଚନାନୁଯାୟୀ, ଭାରତ-ଆମେରିକା ସମ୍ପର୍କ ଖୁବ୍ ସ୍ବତନ୍ତ୍ର ଏବଂ ବର୍ତ୍ତମାନ ଟାରିଫକୁ ନେଇ ଚାଲିଥିବା ଉତ୍ତେଜନା ସତ୍ତ୍ବେ ମୋଦି ଏବଂ ସେ ଭଲ ବନ୍ଧୁ ହୋଇ ରହିବେ ବୋଲି ଟ୍ରମ୍ପ ଓଭାଲ ଅଫିସରେ କହିଛନ୍ତି । ମୋଦିଙ୍କୁ ଖୁବ୍ ଭଲ ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି । କିନ୍ତୁ ମୋଦି ଯାହା କରୁଛନ୍ତି ସେସବୁ ତାଙ୍କୁ ପସନ୍ଦ ନୁହେଁ ବୋଲି କହିଛନ୍ତି । ଏହା ସହିତ ଚିନ୍ତା କରିବାର କାରଣ କିଛି ନାହିଁ ବୋଲି ଟ୍ରମ୍ପ କହିଛନ୍ତି । ଏପରି ଉତ୍ତେଜନା କେବେ କେବେ ହୋଇଥାଏ, ଯାହା ଖୁବ୍ ସ୍ବାଭାବିକ ।ଏହା ବ୍ୟତୀତ ଟ୍ରମ୍ପ କହିଛନ୍ତି ଯେ, ଭାରତ ରୁଷରୁ ତୈଳ କିଣୁଥିବାରୁ ସେ ବହୁତ ନିରାଶ । ଯାହା ଫଳରେ ୫୦%ଟାରିଫ ଲାଗୁ କରାଯାଇଛି । କିନ୍ତୁ ମୋଦିଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । ଆହୁରି ମଧ୍ୟ କହିଛନ୍ତି ଯେ, କିଛି ମାସ ପୂର୍ବରୁ ମୋଦି ଏଠାକୁ ଆସିଥିଲେ । ଭାରତ ଏବଂ ଅନ୍ୟ ଦେଶମାନଙ୍କ ସହ କିପରି ବାଣିଜ୍ୟ ଚାଲିଛି ପଚାରିବାରୁ ଟ୍ରମ୍ପ ୟୁରୋପୀୟ ସଂଘ ପ୍ରତି ନିରାଶ ବୋଲି କହିଥିଲେ ।ଅନ୍ୟପଟେ ଭାରତ ରୁଷରୁ ତୈଳ କିଣି ପ୍ରଚୁର ଲାଭ କରୁଛି ବୋଲି ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ପିଟର ନାଭାରୋ କହିଥିଲେ । ଭାରତ ୟୁକ୍ରେନ ବିରୋଧରେ ରୁଷକୁ ଯୁଦ୍ଧରେ ସାହାଯ୍ୟ କରୁଛି ବୋଲି ମଧ୍ୟ କହିଥିଲେ । ଯାହା ବାଣିଜ୍ୟ ଦଳ ଏବଂ ରାଷ୍ଟ୍ରପତିଙ୍କୁ ନିରାଶ କରିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଥାକୁ ସମର୍ଥନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କୁ ପ୍ରଶଂସା କରିଥିଲେ ଟ୍ରମ୍ପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଭଲ ବନ୍ଧୁ ଓ ମହାନ ପ୍ରଧାନମନ୍ତ୍ରୀ ବୋଲି କହିଥିଲେ ଟ୍ରମ୍ପ । ଯାହା ପରେ ପ୍ରତିକ୍ରିୟା ଦେଇଛନ୍ତି ମୋଦି ।ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ ଲେଖିଛନ୍ତି ଯେ, ‘ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ଆମ ସମ୍ପର୍କର ସକାରାତ୍ମକ ମୂଲ୍ୟାଙ୍କନକୁ ଗଭୀର ଭାବରେ ପ୍ରଶଂସା ଏବଂ ପୂର୍ଣ୍ଣ ସମର୍ଥନ କରୁଛି । ଭାରତ ଏବଂ ଆମେରିକା ମଧ୍ୟରେ ଏକ ଅତ୍ୟନ୍ତ ସକାରାତ୍ମକ ଏବଂ ଦୂର ଦୃଷ୍ଟି ସମ୍ପନ୍ନ ବ୍ୟାପକ ଏବଂ ବିଶ୍ୱ ରଣନୈତିକ ସହଭାଗୀତା ରହିଛି ।ଭାରତ ଏବଂ ଆମେରିକା ମଧ୍ୟରେ ଏକ ବିଶେଷ ସମ୍ପର୍କ ରହିଛି ଏବଂ କେତେକ ସମୟରେ ଉତ୍ତେଜନାର ମୁହୂର୍ତ୍ତ ସୃଷ୍ଟି ହୋଇପାରେ, କିନ୍ତୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ ରହିବ ।ପୂର୍ବରୁ ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ଆମେରିକା ସମ୍ପର୍କ ଉପରେ କହିଥିଲେ, ମୁଁ ସବୁବେଳେ ମୋଦିଙ୍କ ସହିତ ବନ୍ଧୁ ହୋଇ ରହିବି, ସେ ଜଣେ ମହାନ ପ୍ରଧାନମନ୍ତ୍ରୀ । ଭାରତ ଏବଂ ଆମେରିକା ମଧ୍ୟରେ ଏକ ବିଶେଷ ସମ୍ପର୍କ ରହିଛି । ଚିନ୍ତା କରିବାର କିଛି ନାହିଁ ।ଶୁକ୍ରବାର ଦିନ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସ୍ୱତନ୍ତ୍ର ଆଦେଶ ଜାରି କରିଥିଲେ । ଏଥିରେ ଗ୍ରାଫାଇଟ୍, ଟଙ୍ଗଷ୍ଟନ୍, ୟୁରାନିୟମ୍, ସୁନା ବୁଲାନ୍ ଏବଂ ଅନ୍ୟାନ୍ୟ ଅନେକ ଧାତୁ ଉପରେ ଦେଶ-ଭିତ୍ତିକ ଶୁଳ୍କ ହଟାଇ ଦିଆଯାଇଥିଲା ।