
ଭୁବନେଶ୍ୱର : ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୩ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମୁଖ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଧନ୍ଦାମୂଳକ ଶିକ୍ଷାକୁ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଉଥିବା କହିଥିଲେ ମନ୍ତ୍ରୀ ।ଏହି ଶିକ୍ଷାକୁ ହାସଲ କରି ନିଜ ଗୋଡ଼ରେ ନିଜେ ଠିଆ ହେବେ ଯୁବକ ଯୁବତୀ, ତେଣୁ ସମସ୍ତେ ମିଳିତ ପ୍ରୟାସ କରିବାକୁ ଆହ୍ବାନ ଦେଇଥିଲେ ମନ୍ତ୍ରୀ । ସ୍ବାମୀ ବିବେକାନନ୍ଦଙ୍କ ଉଦାହରଣ ଦେଇ ଅନ୍ତର୍ନିହିତ ଶକ୍ତିକୁ ଚିହ୍ନିବାକୁ ପରାମର୍ଶ ଦେଇଥିଲେ । ୪୩ ବର୍ଷ ଧରି ଯୁକ୍ତ ଦୁଇ ପରୀକ୍ଷା ସଠିକ୍ ଭାବେ ପରିଚାଳନା କରିଥିବାରୁ ପରିଷଦକୁ ଧନ୍ୟବାଦ୍ ଦେଇଥିଲେ । ଦୁଇଟି ବୋର୍ଡକୁ ଗୋଟିଏ କରିବାକୁ ନିଷ୍ପତି ହୋଇସାରିଛି । ଏହା ହେଲେ ଏହାର ସୁଫଳ ପାଇବେ ସବୁ ଛାତ୍ରଛାତ୍ରୀ ବୋଲି କହିଥିଲେ ମନ୍ତ୍ରୀ ।ନୂତନ ଜାତୀୟ ଶିକ୍ଷା ନୀତି ଅଧୀନରେ ଚଳିତ ବର୍ଷ ପରିବେଶ ସନ୍ତୁଳନତା, ସୁରକ୍ଷା ବିଷୟକୁ ବାଧ୍ୟତା ମୂଳକ କରାଯାଇଛି । ଏହାଛଡା ୭ ଟି ଧନ୍ଦା ମୂଳକ ବିଷୟ କୁ କରିକୁଲମ୍ ରେ ରଖାଯାଇଛି ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।