
ବୌଦ୍ଧ: ଉଛୁଳା ମହାନଦୀରେ ଚାଲିଛି ପ୍ରଭୁ କୃଷ୍ଣଙ୍କ ଚାପଖେଳ । ଆଜି ହେଉଛି ଭାଦ୍ରବ ପୂର୍ଣ୍ଣିମା ବା ପବିତ୍ର ଭାଗବତ ଜନ୍ମ । ଏଥିପାଇଁ ଉତ୍ସବ ମୁଖର ସାରା ବୌଦ୍ଧ ସହର । ସାତ ଦିନ ଧରି ଚାଲିଥିବା ଭାଗବତ ପାରାୟଣ ଉଦଯାପିତ ହେବା ସହ ବୌଦ୍ଧର ସାତ ଗୋଟି ଭାଗବତ ଗୁଢ଼ୀ ବା ମନ୍ଦିରରୁ ଠାକୁରଙ୍କୁ ନେଇ ମହାନଦୀରେ ଚାପ ଖେଳ ଅନୁଷ୍ଠିତ ହୋଇଛି । ଭାଗବତ ଜନ୍ମକୁ ନେଇ ବୌଦ୍ଧ ଜିଲ୍ଲାରେ ବେଶ୍ ସ୍ବତନ୍ତ୍ର ଭାବେ ପାଳନ କରାଯାଏ ।
ମହାନଦୀରେ ଚାପ ଖେଳ:ଭାଦ୍ରବ ପୂର୍ଣ୍ଣିମା ଅବସରରେ ମହାନଦୀରେ ଅନୁଷ୍ଠିତ ହୋଇଛି ଚାପ ଖେଳ । ସାତ ଦିନର ଭାଗବତ କଥା ପରେ ଆଜି ବୌଦ୍ଧର ସାତ ଗୋଟି ସ୍ଥାନରେ ଥିବା ଭାଗବତ ଗୁଢ଼ୀ ବା ପୀଠରୁ ଠାକୁରଙ୍କୁ ସ୍ୱତନ୍ତ୍ର ବିମାନରେ ନଗର ପରିକ୍ରମା ପରେ ମହାନଦୀରେ ଚାପ ଖେଳ ଅନୁଷ୍ଠିତ ହୋଇଥିଲା ।
ଭାଗବତ ଜନ୍ମକୁ ସ୍ବତନ୍ତ୍ର ଭାବେ ପାଳନ କରେ ବୌଦ୍ଧ:ବୌଦ୍ଧର ପୋଡାପୋଡା, ମାଳିସାହି, ସୁଦସାହି, କେଉଟସାହି, ନୂଆସାହି, ରାଜନପାଲି ଓ କାଲେଶ୍ଵର ଭଳି ସ୍ଥାନରେ ଶତାଧିକ ବର୍ଷରୁ ପ୍ରତିଷ୍ଠା ହୋଇଛି ଭାଗବତ ଗୁଢ଼ୀ ବା ମନ୍ଦିର । ଆଜି ଭାଗବତ ଜନ୍ମ ତିଥିରେ ବୌଦ୍ଧର ଆଳତୀ ଘାଟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଠାକୁରଙ୍କୁ ସ୍ବତନ୍ତ୍ର ବିମାନରେ ସହର ପରିକ୍ରମା:ଗତ ସାତ ଦିନ ଧରି ବୌଦ୍ଧର ଏଭଳି ସାତଟି ପୀଠରେ ଭାଗବତ ପାରାୟଣ ଚାଲିଥିବା ବେଳେ ଆଜି ଭାଗବତ ଠାକୁରଙ୍କୁ ସ୍ୱତନ୍ତ୍ର ବିମାନରେ ଶ୍ରଦ୍ଧାଳୁ ଓ ଭକ୍ତ ମାନେ ସାରା ବୌଦ୍ଧ ସହର ପରିକ୍ରମା କରାଇଥିଲେ । ବୌଦ୍ଧ ସହରର ବିଭିନ୍ନ ବସ୍ତିରେ ଭାଗବତ ଠାକୁରଙ୍କ ଦିବ୍ୟ ବିମାନକୁ ସ୍ୱାଗତ କରାଯାଇଥିଲା । ଏହା ପରେ ଭାଗବତ ଠାକୁରଙ୍କ ଘଟକୁ ଡ଼ଙ୍ଗାକୁ ଡ଼ଙ୍ଗା ଯୋଡି ପ୍ରସ୍ତୁତ ସ୍ୱତନ୍ତ୍ର ଚାପରେ ମହାନଦୀର ଉଛୁଳା ନଦୀ ଗର୍ଭରେ ସାତ ଥର ପରିକ୍ରମା କରାଯାଇଥିଲା ।
ସାତଟି ଭାଗବତ ପୀଠ, ସାତଟି ଚାପ:ଏହି କାର୍ଯ୍ୟକୁ ବୌଦ୍ଧର କୈବର୍ତ୍ତ ସମ୍ପ୍ରଦାୟର ଲୋକେ ସମ୍ପାଦନା କରିଥାନ୍ତି । ସାତଟି ଭାଗବତ ମନ୍ଦିରର ସାତଟି ଚାପ ଯାତ୍ରା ସମସ୍ତଙ୍କୁ ବେଶ ଆକର୍ଷିତ କରିଥାଏ । ମହାନଦୀ ଅବବାହିକାରେ ଏଭଳି ବିରଳ ଉତ୍ସବ ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ଏଥିପାଇଁ ମହାନଦୀ କୂଳରେ ପ୍ରଭୁଙ୍କ ଚାପ ଖେଳ ଦେଖିବାକୁ ଅନେକ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।ଭାଗବତ ଜନ୍ମ କଣ ?ଭାଦ୍ରବ ପୂର୍ଣ୍ଣିବା ବା ଇନ୍ଦୁ ପୂର୍ଣ୍ଣିମା ତିଥିରେ ସଂସ୍କୃତ ଭାଗବତ ଆରମ୍ଭ ହୋଇଥିବାରୁ ଏହି ତିଥିକୁ ଭାଗବତ ଜନ୍ମ ଭାବେ ପାଳନ କରାଯାଏ ।