ଅଭିଜିତ ମଜୁମଦାର ଅସୁସ୍ଥ, ବାଲୁକା କଳାରେ ସୁସ୍ଥତା କାମନା କଲେ ସୁଦର୍ଶନ

ପୁରୀ: ଓଡ଼ିଆ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଅସୁସ୍ଥ । ସୂଚନା ଅନୁସାରେ, ଲିଭର ଜନିତ ସମସ୍ୟା ଯୋଗୁଁ ଅସୁସ୍ଥ ହୋଇଥିବାରୁ ଅଭିଜିତଙ୍କୁ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ପରେ ଏମ୍ସରେ ଭର୍ତ୍ତି କରାଯାଇଛି । ତେବେ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ଫ୍ୟାନ୍ସ ସମେତ ସେଲିବ୍ରିଟି ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଏପରିକି ଅନେକ କଳାକାର ସମେତ ନେତା, ମନ୍ତ୍ରୀ ତାଙ୍କୁ ଭେଟି ସ୍ୱାସ୍ଥ୍ଯବସ୍ଥା ପଚାରି ବୁଝିଛନ୍ତି । ଏପରି ସମୟରେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅଭିଜିତଙ୍କ ସୁସ୍ଥତା କାମନା କରିଛନ୍ତି । ସେ ବାଲୁକା କଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ମହାପ୍ରଭୁଙ୍କ ନିକଟରେ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିଛନ୍ତି ।

ବାଲୁକା କଳାରେ ସୁସ୍ଥତା କାମନାରବିବାର ଦିନ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ର ଆଙ୍କିଛନ୍ତି । ଏହି ବାଲୁକାଚିତ୍ରରେ ସେ ଲେଖିଛନ୍ତି, “Get well soon, Abhijit Majumdar (ଶୀଘ୍ର ସୁସ୍ଥ ହୁଅ, ଅଭିଜିତ ମଜୁମଦାର) । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଆଶୁ ଆରୋଗ୍ୟ ପ୍ରାର୍ଥନା କରୁଛୁ ।” ଏହା ସହ ସେ କହିଛନ୍ତି, ”ଲୋକପ୍ରିୟ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର ଯିଏ ଘରେ ଘରେ ପରିଚିତ, ତାଙ୍କ ଅସୁସ୍ଥତା ଆମକୁ କଷ୍ଟ ଦେଇଛି । ତାଙ୍କ ଫ୍ୟାନ୍ସ ସମେତ ସମସ୍ତ ଓଡ଼ିଶାବାସୀ ତାଙ୍କ ସୁସ୍ଥାତ ପାଇଁ ପ୍ରାର୍ଥନା କରୁଛନ୍ତି । ଯଥାଶୀଘ୍ର ସେ ସୁସ୍ଥ ହୋଇ ଫେରନ୍ତୁ ଏବଂ ତାଙ୍କ ସଙ୍ଗୀତ ଯାତ୍ରା ଜାରି ରଖନ୍ତୁ । ଆମେ ମଧ୍ୟ ବାଲୁକା କଳା ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ତାଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ । ସେ ଶୀଘ୍ର ଆରୋଗ୍ୟ ହୋଇ କୋଟି କୋଟି ଶ୍ରୋତାଙ୍କ ନିକଟରେ ପୁଣି ନିଜ ସଙ୍ଗୀତ ଜାରି ରଖନ୍ତୁ ।”

ରବିବାର ଦିନ ଏମ୍ସରେ ପହଞ୍ଚି ଅଭିଜିତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ”ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମଙ୍କ ସହ ଆଲୋଚନା କରିଛି । ଧିରେ ଧିରେ ଅଭିଜିତ ମଜୁମଦାରଙ୍କ କ୍ଷେତ୍ରରେ ଉନ୍ନତି ଆସୁଛି । ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା ଚାଲିଛି । ଅନ୍ତରୀଣ ଅଙ୍ଗ ସବୁ ଠିକ ଅଛି । କଥାବାର୍ତ୍ତା ତ ହେଉନାହାନ୍ତି ହେଲେ ଶୀଘ୍ର ସୁସ୍ଥତା ପାଇଁ ସରକାର ଓ ଡାକ୍ତରୀ ଦଳଙ୍କ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି । ଆବଶ୍ୟକ ପଡିଲେ ଦିଲ୍ଲୀ ଏମ୍ସକୁ ଅଭିଜିତଙ୍କୁ ନିଆଯିବ । ଆଗାମୀ ଦିନରେ ଏକ ସ୍ବତନ୍ତ୍ର ଟିମ୍ ତାଙ୍କ ଆରୋଗ୍ୟ ପାଇଁ କାର୍ଯ୍ୟ କରିବେ । ସମସ୍ତ ଚିକିତ୍ସା କରିବାର ବ୍ୟବସ୍ଥା ସରକାର ବହନ କରିବେ । ଆଜି(ସୋମବାର) ଏମ୍ସ ନିର୍ଦ୍ଦେଶକ ଏବଂ ଡାକ୍ତରୀ ଟିମ୍ ସହ କଥା ହେବୁ । ତାପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ।”