
ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାର ଗୁଡ୍ଡାର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି । ସୂଚନା ଅନୁସାରେ, ସର୍ଚ୍ଚ ଅପରେସନ୍ ସମୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଜୋରରେ ଗୁଳି ବିନିମୟ ହୋଇଥିଲା । ତେବେ ଅଞ୍ଚଳରେ ୩ ରୁ ୪ ଜଣ ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା କରାଯାଉଛି, ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସର୍ଚ୍ଚ ଅପରେସନ ବେଳେ ଆତଙ୍କୀ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ସୁରକ୍ଷାବଳ ଏନକାଉଣ୍ଟର କରିଥିଲେ । ବର୍ତ୍ତମାନ ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ଅପରେସନ୍ ଜାରି ରହିଛି । ଘଟଣାରେ ୩ ଜଣ ଯବାନ ଆହତ ହୋଇଛନ୍ତି । ଆହତ ହେବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି ।ଖବର ଅନୁଯାୟୀ, ଗୁଡ୍ଡାର ଅଞ୍ଚଳରେ ଘେରି ରହିଥିବା ଆତଙ୍କବାଦୀମାନେ ଲସ୍କର-ଏ-ତୋଏବା ସଂଗଠନର ବୋଲି ଅନୁମାନ କରାଯାଉଛି । ସର୍ଚ୍ଚ ଅପରେସନ୍ ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇଥିଲେ । ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ଚାଲିଥିବା ବେଳେ ଜମ୍ମୁର ଆରଏସ ପୂରା ସେକ୍ଟରରେ ବିଏସଏଫ ଯବାନ ଅନ୍ତର୍ଜାତୀୟ ସୀମା ନିକଟରୁ ଜଣେ ପାକିସ୍ତାନୀ ନାଗରିକଙ୍କୁ ଅଟକ ରଖିଛନ୍ତି ।ସୂଚନା ଅନୁସାରେ, ବିଏସଏଫ ଯବାନମାନେ ଗତକାଲି ସନ୍ଧ୍ୟାରେ ସୀମା ନିକଟରେ ସନ୍ଦେହଜନକ ଗତିବିଧି ଦେଖି ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲେ । ଏହି ସମୟରେ ଜଣେ ପାକିସ୍ତାନୀ ନାଗରିକଙ୍କୁ କାବୁ କରିଥିଲେ ଯବାନ । ବିଏସଏଫ ପାକିସ୍ତାନୀ ନାଗରିକଙ୍କୁ ଅନ୍ତର୍ଜାତୀୟ ସୀମାରୁ ଅଟକ ରଖିଛି । ସୁରକ୍ଷା ବାହିନୀ ତାଙ୍କୁ ଘଟଣାସ୍ଥଳରେ ଅଟକ ରଖି ପଚରାଉଚରା ଆରମ୍ଭ କରିଛନ୍ତି । ବର୍ତ୍ତମାନ ତାଙ୍କର ପରିଚୟ ଏବଂ ସୀମା ପାର ହେବାର କାରଣ ଖୋଜା ଚାଲିଛି । ସୀମାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ପାଟ୍ରୋଲିଂ ଏବଂ ସର୍ଚ୍ଚିଂକୁ ଆହୁରି ଜୋରଦାର କରାଯାଇଛି ।