ପଞ୍ଜାବରେ ଭୟଙ୍କର ବନ୍ୟା ପରିସ୍ଥିତି, ଲୋକଙ୍କୁ ସହାୟତାର ହାତ ବଢାଇଲେ ହରଭଜନ ସିଂ

ପଞ୍ଜାବ : ବନ୍ୟା ଯୋଗୁଁ ପଞ୍ଜାବରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ପଞ୍ଜାବକୁ ଅଧିକ କ୍ଷତି ସହିବାକୁ ପଡିଛି । ଜୀବନ ବଞ୍ଚାଇବାକୁ ଲୋକ ଘର ଛାଡିବା ସହ ଚାଷ ମଧ୍ୟ ନଷ୍ଟ ହୋଇଛି । ଏପରି ପରିସ୍ଥିତିରେ ପୂର୍ବତନ ଭାରତୀୟ ସ୍ପିନର ଏବଂ ରାଜ୍ୟସଭା ସାଂସଦ ହରଭଜନ ସିଂ ଦାୟିତ୍ବ ନେଇଛନ୍ତି ।ସୂଚନାନୁଯାୟୀ, ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ୟା ପ୍ରଭାବିତ ପଞ୍ଜାବ ପାଇଁ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବା ସହ ଆମ୍ବୁଲାନ୍ସକୁ ମଞ୍ଜୁରୀ ଦେଇଛନ୍ତି ହରଭଜନ ସିଂ । ସେ ତାଙ୍କ ସାଂସଦ ପାଣ୍ଠିରୁ ରିଲିଫ୍ କାର୍ଯ୍ୟ ପାଇଁ ୮ଟି ଷ୍ଟିମର ଡଙ୍ଗାକୁ ମଞ୍ଜୁରୀ କରିଛନ୍ତି । ନିଜସ୍ବ ସମ୍ବଳ ବଳରେ ଆହୁରି ୩ଟି ଡଙ୍ଗା ମଧ୍ୟ ଯୋଗାଇ ଦେଇଛନ୍ତି ବୋଲି କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି । ଏହା ସହିତ ଗୁରୁତର ରୋଗୀଙ୍କ ପାଇଁ ମଧ୍ୟ ୩ଟି ଆମ୍ବୁଲାନ୍ସ କିଣିଛନ୍ତି ।ପଞ୍ଜାବ ଗୁରୁତର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛି । ଏନେଇ ରାଜ୍ୟ ସରକାର ଏବଂ ସ୍ୱେଚ୍ଛାସେବୀ ଗୋଷ୍ଠୀମାନେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଲୋକଙ୍କ ପାଇଁ ହରିଜନ ତାଙ୍କ କ୍ରିକେଟ୍ ଟିମକୁ ସହାୟତା ମାଗିଛନ୍ତି । ତାଙ୍କ ଅନୁରୋଧରେ ଏକ କ୍ରିକେଟ୍ ଟିମ୍ ୩୦ ଲକ୍ଷ ଟଙ୍କା ଦେବା ସହିତ ତାଙ୍କର ୨ ଜଣ ଘନିଷ୍ଠ ବନ୍ଧୁ ୧୨ ଲକ୍ଷ ଏବଂ ୬ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏଥି ସହିତ ଖାଦ୍ୟ ଏବଂ ଔଷଧ ଭଳି ଅତ୍ୟାବଶ୍ୟକୀୟ ଜିନିଷଗୁଡ଼ିକ ମଧ୍ୟ ପ୍ରଭାବିତ ପରିବାରଗୁଡ଼ିକୁ ନିୟମିତ ଭାବରେ ଯୋଗାଇ ଦିଆଯାଉଛି । ଆମ ଆଦମୀ ପାର୍ଟି (ଆପ) ରାଜ୍ୟସଭା ସଦସ୍ୟ ହରଭଜନ ସିଂ ଲଗାତାର ପରିସ୍ଥିତି ଉପରେ ନଜର ରଖିଛନ୍ତି । ଏହା ବ୍ୟତୀତ ଆବଶ୍ୟକ ହେଲେ ଅଧିକ ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।