ବୃଦ୍ଧଙ୍କ ପେଟରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି

ବ୍ରହ୍ମପୁର: MKCG ମେଡିକାଲରେ ବିରଳ ଅସ୍ତ୍ରୋପଚାର । ୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟ ନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି । ମେଡିକାଲର ENT ବିଭାଗର ଉଦ୍ୟମରେ ପ୍ରାୟ ସପ୍ତାହେ ପରେ ବୃଦ୍ଧଙ୍କ ପେଟରୁ ଦାନ୍ତକାଠିକୁ ବାହାର କରାଯାଇଛି । ବିଭାଗୀୟ ମୁଖ୍ୟ ଆସୋସିଏଟ୍ ପ୍ରଫେସର୍ ଡା. ସଞ୍ଜିତ କୁମାର ମିଶ୍ରଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ଟିମ୍ ଅସ୍ତ୍ରୋପଚାର କରି ବୃଦ୍ଧଙ୍କ ପେଟରୁ ଦାନ୍ତକାଠିକୁ ବାହାର କରିଛନ୍ତି । ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି ।

କଣ ଥିଲା ଘଟଣା:

ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନାଟଙ୍ଗା ଗ୍ରାମର ୮୦ ବର୍ଷୀୟ କାମରାଜୁ ନାୟକ ବୃଦ୍ଧ ଗତ ବୁଧବାର ସକାଳେ ଦାନ୍ତ ଘଷୁଥିବା ବେଳେ ଅସାବଧାନତା ବଶତଃ ଦାନ୍ତକାଠିକୁ ଗିଳି ଦେଇଥିଲେ । ବହୁ ଚେଷ୍ଟା ସତ୍ତ୍ବେ ପେଟରୁ ଦାନ୍ତକାଠି ବାହାରିନଥିଲା । ଫଳରେ ଖାଦ୍ୟ ଖାଇବାରେ ସମସ୍ୟା ସହ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ । ପ୍ରାୟ ସପ୍ତାହେ ଯାଏଁ ଯନ୍ତ୍ରଣା ଭୋଗିବା ସହ ତରଳ ଖାଦ୍ୟ ଖାଇ ରହିଥିଲେ । ଏନେଇ ବୃଦ୍ଧ କାମରାଜୁଙ୍କ ପରିବାର ଲୋକ ବିଭିନ୍ନ ମେଡ଼ିକାଲ ବୁଲି ଶେଷରେ ଗତ ସୋମବାର ଦିନ ବ୍ରହ୍ମପୁର MKCG ମେଡିକାଲରେ ପହଞ୍ଚିଥିଲେ । ସେଠାରେ ENT ବିଭାଗର ଡାକ୍ତର, କାମରାଜୁଙ୍କ ଚିକିତ୍ସା କରିବା ପରେ ଖାଦ୍ୟ ନଳୀରେ ଦାନ୍ତକାଠି ରହିଥିବା ଜଣାପଡିଥିଲା । ପରେ ବିଭିନ୍ନ ପରୀକ୍ଷା କରାଯାଇଥିଲା । ବୃଦ୍ଧଙ୍କ ରକ୍ତଚାପ ଉଚ୍ଚ ରହିଥ‌ିବାରୁ ନିଶ୍ଚେତକ ଦେଇ ବିଭାଗ ପକ୍ଷରୁ ଏହାକୁ ବାହାର କରାଯିବାକୁ ସ୍ଥିର କରାଯାଇଥିଲା ।


ସ୍ବତନ୍ତ୍ର ଡାକ୍ତରୀ ଟିମ୍ କରିଥିଲେ ଅସ୍ତ୍ରୋପଚାର:

ପରିବାର ଲୋକ କାମରାଜୁଙ୍କୁ MKCG ମେଡିକାଲରେରେ ଭର୍ତ୍ତି କରାଇବା ପରେ ଦାନ୍ତକାଠିକୁ ବାହାର କରିବାକୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ଏସୋଫାଗୋସ୍କୋପ୍ (Esophagoscope) ପଦ୍ଧତିରେ ଦୀର୍ଘ ଏକ ଘଣ୍ଟା ଧରି ଅସ୍ତ୍ରୋପଚାର ପରେ ଖାଦ୍ୟନଳୀରୁ ଦାନ୍ତ କାଠିଟିକୁ ବାହାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି ।