
କେନ୍ଦ୍ରାପଡା: ଫାର୍ମାସୀ ଛାତ୍ରଙ୍କ ଟାଏକୋଣ୍ଡୋ ନିଶା । ନିଜେ ଖେଳି ବ୍ଲାକବେଲ୍ଟ ହାତେଇଥିବା ବେଳେ କୋଚ୍ ଭାବେ ଅନେକ ଖେଳିଳି ଗଢୁଛନ୍ତି । ପିଲାଙ୍କୁ ପ୍ରଶିକ୍ଷଣ ଦେଇ ଜିଲ୍ଲାସ୍ତରଠୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ କରୁଛନ୍ତି ତୟାର । ଆମେ କହୁଛୁ ୨୨ ବର୍ଷୀୟ ଟାଏକୋଣ୍ଡୋ କୋଚ୍ ତଥା ନିଞ୍ଜା ଟାଏକୋଣ୍ଡୋ ଏକାଡେମୀ ପ୍ରଶିକ୍ଷକ ଶେଖ ତଫିରୁଦ୍ଦିନଙ୍କ କଥା । ପିଲାଟି ଦିନରୁ ଟାଏକୋଣ୍ଡୋ ପ୍ରତି ଆଗ୍ରହୀ ହୋଇ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଥିବା ବେଳେ ଅନ୍ତର୍ଜାତୀୟ ସ୍ତରର ଟାଏକୋଣ୍ଡୋ ଖେଳାଳି ସୃଷ୍ଟି କରୁଛନ୍ତି । ଏହି ଏକାଡେମିର 3 ଖେଳାଳି ଏବଂ କୋଚ୍ ପ୍ରଥମ ଏସିଆନ ଓପନ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ଚମ୍ପିଆନସିପ ଭାଗ ନେବାକୁ ଥିବା ଓଡିଶା ଦଳରେ ସ୍ଥାନ ପାଇଛନ୍ତି । ଏପଟେ ଏସିଆନ ଓପନ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ଚମ୍ପିଆନସିପ୍ ପାଇଁ ମନୋନୀତ ହୋଇଥିବା ଖେଳାଳିଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ ଶୁଭେଚ୍ଛା ଜଣାଇଛନ୍ତି ।
ଆସନ୍ତା 13-14 ତାରିଖ ଅର୍ଥାତ ଦୁଇ ଦିନ ପାଇଁ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦରେ ଅନୁଷ୍ଠିତ ହେବ ପ୍ରଥମ ଏସିଆନ ଓପନ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ଚମ୍ପିଆନସିପ । ଓଡିଶା ଦଳର ୨୨ ଜଣିଆ ଟାଏକୋଣ୍ଡୋ ଖେଳାଳି ଏଥିରେ ଭାଗ ନେବାକୁ ଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରୁ ଓଡିଶା ଟିମରେ ଚାରି ଜଣ ସାମିଲ ହୋଇଛନ୍ତି । ଏହି ଚାରି ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ନିଞ୍ଜା ଟାଏକୋଣ୍ଡୋ ଆସୋସିଏସନର କୋଚ୍ ନିଜେ ଖେଳିବାକୁ ଥିବା ବେଳେ ତିନି ଜଣ ପ୍ରଶିକ୍ଷାର୍ଥୀ ରହିଛନ୍ତି । ୨୨ ବର୍ଷୀୟ ଯୁବକ ନିଜେ ଖେଳିବା ସହିତ କୋଚ୍ ଭାବେ ଅନ୍ୟ ଖେଳାଳିଙ୍କୁ ଏହି ସ୍ଥାନରେ ପହଞ୍ଚାଇବା ପାଇଁ ପ୍ରୟାସ କରି ପ୍ରଶଂସିତ ହୋଇଛନ୍ତି ।
କିଏ ଏହି ପ୍ରଶିକ୍ଷାର୍ଥୀ ଓ କଣ ତାଙ୍କର ଶିକ୍ଷାଗତ ଯୋଗ୍ୟତା ?Ninja Taekwondo Academy କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଗୁଆଳସିଂ ପଞ୍ଚାୟତ ଅନ୍ତର୍ଗତ ମୋଗଲବାଗ ଗାଁର ଶେଖ ତଫିରୁଦ୍ଦିନ । ପିଲାଟି ବେଳୁ ଟାଏକୋଣ୍ଡୋ ଖେଳ ପ୍ରତି ରୁଚି ରହିଥିବା ବେଳେ ଭୁବନେଶ୍ୱରର ଏକ ଏକାଡେମୀରୁ ସେ ପ୍ରଶିକ୍ଷଣ ନେଇଥିଲେ । ଗ୍ରାମାଞ୍ଚଳ ଓ କେନ୍ଦ୍ରାପଡାର ଦୁଇଟି ସ୍ଥାନରେ ଟାଏକୋଣ୍ଡୋ ପ୍ରଶିକ୍ଷଣ ଦେଉଥିବା ବେଳେ ପ୍ରଶିକ୍ଷଣ ପାଇଁ ସ୍ଥାନ ଅଭାବ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ଏନେଇ ତଫିରୁଦ୍ଦିନ କୁହନ୍ତି, “ଟାଏକୋଣ୍ଡୋ ହେଉଛି ଦକ୍ଷିଣ କୋରିଆର ଜାତୀୟ ଖେଳ ଏବଂ ଏହା ଏକ ମାର୍ଶଲ ଆର୍ଟ । ଭଲିବଲ, ଫୁଟବଲ ଭଳି ଏହା ଅଲିମ୍ପିକରେ ସ୍ଥାନ ପାଇଛି । ଏହି ଖେଳ ଖେଳି ଜଣେ ଅଲିମ୍ପିକ ପର୍ଯ୍ୟନ୍ତ ଯାଇପାରିବେ । ଟାଏକୋଣ୍ଡୋ ଖେଳିଲେ ଜଣଙ୍କ ଶରୀର ଫିଟ୍ ରହିବ, ବର୍ତ୍ତମାନ ଯାହା ସାମାଜିକ ପରିସ୍ଥିତି ହେଲାଣି ଜଣେ ଝିଅ ପାଇଁ ଏହା ଅତ୍ୟନ୍ତ ଜରୁରୀ । ଏହା ଆତ୍ମସୁରକ୍ଷା ପାଇଁ ନିହାତି ଆବଶ୍ୟକ । ୨୦୧୪ ମସିହାରେ ମୁଁ ଟାଏକୋଣ୍ଡୋ ପ୍ରତି ଆଗ୍ରହୀ ହେଲି ଓ ଏହି ଖେଳରେ ଯୋଗଦେଲି । ପ୍ରଶିକ୍ଷଣ ସମୟରେ ମୁଁ ଜିଲ୍ଲା ଓ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେଇଥିଲି । ସେତେବେଳେ ଯେହେତୁ କେନ୍ଦ୍ରାପଡା ଜିଲ୍ଲାରେ ଟାଏକୋଣ୍ଡୋ ପ୍ରଶିକ୍ଷଣ ପାଇଁ ବିଶେଷ ସୁବିଧା ନଥିଲା ତେଣୁ ମୁଁ ଭୁବନେଶ୍ୱରରେ ରହି ମାସିକ ସର୍ବନିମ୍ନ ୧୫୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରଶିକ୍ଷଣ ଫି ଦେଇ ପ୍ରଶିକ୍ଷଣ ନେଇଥିଲି ।
୨୦୧୮ ମସିହାରେ ମୁଁ ଦକ୍ଷିଣ କୋରିଆରୁ ବ୍ଲାକବେଲ୍ଟ ପାଇବା ପରେ କେନ୍ଦ୍ରାପଡା ଜିଲ୍ଲାରେ ଏବେ ନିଞ୍ଜା ଟାଏକୋଣ୍ଡୋ ଏକାଡେମୀ କରି ପ୍ରଶିକ୍ଷଣ ଦେବା ଆରମ୍ଭ କଲି । ମୁଁ ବର୍ତ୍ତମାନ ଡେରାବିଶ୍ ବ୍ଲକ କ୍ୟାମ୍ପସ ଓ ଗରପୁରର ସଂଜୀବନି ବିଦ୍ୟା ମନ୍ଦିର କ୍ୟାମ୍ପସରେ ୨୫ ରୁ ୩୦ ଜଣଙ୍କୁ ଟ୍ରେନିଂ ଦେଉଛି । ଏହି ଟ୍ରେନିଂ ପାଇଁ ବହୁତ କମ ଫି ରଖାଯାଇଛି ଯେଉଁଥିରେ କି ଟାର୍ଗେଟ ପ୍ୟାଡ଼, ପ୍ରୋଟେକ୍ସନ ଗାର୍ଡ ଇତ୍ୟାଦି ସେମାନଙ୍କୁ ଦିଆଯାଉଛି । ଏହି ଟାଏକୋଣ୍ଡୋ ଖେଳ ପାଇଁ ହେଡ଼ ଗାର୍ଡ ଓ ଚେଷ୍ଟ ଗାର୍ଡ ରହିଛି ଯାହାକି ସେନ୍ସର ଲଗା ଆସିଥାଏ ତାହାର ସର୍ବନିମ୍ନ ମୂଲ୍ୟ ଲକ୍ଷେରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । ମୁଁ ଏହି ଦୁଇଟି ଗାର୍ଡ ପାଇଁ ପ୍ରଶାସନ ପାଖରେ ବହୁଥର ଅନୁରୋଧ କରି ଆସିଛି । ଟ୍ରେନିଂ ପାଇଁ ଏକ ଘର ଦେବାକୁ ଜିଲ୍ଲାର ଦୁଇଜଣ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ଅନୁରୋଧ କରି ଚିଠି ଦେଇଛି । ବର୍ଷାଦିନେ ଖୋଲା ସ୍ଥାନରେ ଟ୍ରେନିଂ ଦିଆଯିବା ବେଳେ ଅସୁବିଧା ହେଉଛି । ଆମକୁ ଏକ ବନ୍ଦ ସ୍କୁଲ କିମ୍ବା ଇଣ୍ଡୋର ହଲ ଦିଆଯାଉ ଯେଉଁଠାରେ କି ବର୍ଷା ହେଲେ ମଧ୍ୟ ଟ୍ରେନିଂ ପାଇଁ ଅସୁବିଧା ହେଉନଥିବ । କେନ୍ଦ୍ରାପଡା ଶ୍ୟାମଗୁଡ଼ିଆଠାରେ ଏକ ଇଣ୍ଡୋର ହଲ ରହିଛି ହେଲେ ତାହା ଏଠାରୁ ୧୨ କିଲୋମିଟରରୁ ଉର୍ଦ୍ଧ୍ବ ବାଟ ହେବ ଯେଉଁଠାକୁ ଏହି ଛୋଟଛୋଟ ପିଲାମାନେ ପ୍ରଦିଦିନ ଯାଆସ କରିବା ଅସୁବିଧା ହେବ । ଆମେ ଏଠାରେ ସୁପର ସବ ଜୁନିୟର ବା ୩ ବର୍ଷ ବୟସରୁ ପିଲାମାନଙ୍କୁ ଟ୍ରେନିଂ ଦେଉଛୁ ।ଏମିତିକି ୨୫-୩୦ ବର୍ଷ ବୟସର ଯୁବକ ଯୁବତୀ ମଧ୍ୟ ଟ୍ରେନିଂ ନେଇପାରିବେ । ମୁଁ ୧୭ ବର୍ଷ ବୟସରୁ ଅର୍ଥାତ ଗତ ୫ ବର୍ଷ ହେଲାଣି ଟାଏକୋଣ୍ଡୋ ଟ୍ରେନିଂ ଦେଇଆସୁଛି । ଏଠାରୁ ପ୍ରଶିକ୍ଷିତ ହୋଇ ପିଲାମାନେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ହେଉଥିବା ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଏଥର ପ୍ରଥମଥର ପାଇଁ ଏସିଆନ ଓପନ ଇଣ୍ଟରନ୍ୟାସନାଲରେ ପିଲାମାନେ ଭାଗ ନେବେ । ଗତବର୍ଷ ଆମ ଏକାଡେମୀର ଜଣେ ଛାତ୍ରୀ ଯିଏକି କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ପାଠ ପଢୁଛନ୍ତି ସେ ପଞ୍ଜାବର ଅମୃତସର ଠାରେ ଆୟୋଜିତ ଅଲ ଇଣ୍ଡିଆ ୟୁନିଭରସିଟି ଗେମରେ ଭାଗ ନେଇଥିଲେ । ମୁଁ ଆଶା କରେ ସେ ଏବର୍ଷ ଭଲ ଖେଳ ପ୍ରଦର୍ଶନ କରି ୱାର୍ଲଡ଼ ୟୁନିଭରସିଟି ଗେମ ପାଇଁ ଚୟନ ହେଉ । ହାଇଦ୍ରାବାଦରେ ଏସିଆନ ଓପନ ଚମ୍ପିୟାନସିପରେ ଭାଗ ନେବା ପାଇଁ ଆମ ଏକାଡେମୀର ତିନିଜଣ ଛାତ୍ରଛାତ୍ରୀ ଯାଉଛନ୍ତି । ଟାଏକୋଣ୍ଡୋର ପୁମସେ କ୍ୟାଟାଗୋରୀ ରହିଛି ଯେଉଁଥିରେ ଏମାନେ ଭାଗ ନେବେ । ମୁଁ ଜଣେ ଫାର୍ମାସୀ ଛାତ୍ର ଏବଂ ଏବେ ମୁଁ BPC (Bachelor in Physiotherapy) କୋର୍ସ କରୁଛି । ପାଠ ପଢିବା ସହ ଟାଏକୋଣ୍ଡୋ ପ୍ରଶିକ୍ଷଣ ଦେବା ଟିକିଏ କଷ୍ଟ ହେଉଛି ଯେମିତିକି ମୋ ନିଜ କ୍ଳାସ, କୋଚିଂ ଇତ୍ୟାଦିରେ ସମୟ ଦେଇ ଦୁଇ ଦୁଇଟି ଟାଏକୋଣ୍ଡୋ କ୍ଳାସ କରିବା କଷ୍ଟ।ଚମ୍ପିୟାନସିପ ବେଳେ ଅସୁବିଧା ବଢି ଯାଇଥାଏ । ଯେମିତିକି ସମସ୍ତଙ୍କ ପାଇଁ ଡକୁମେଣ୍ଟ ପ୍ରସ୍ତୁତ କରିବା କିପରି ପିଲାମାନେ ଯିବେ ସେନେଇ ପ୍ରସ୍ତୁତି କରିବା ଇତ୍ୟାଦି । ମୁଁ ଗୋଟିଏ ଲୋୟର ମିଡ଼ିଲ କ୍ଳାସ ଫ୍ୟାମିଲିର ପିଲା ତେଣୁ ଏହି ପ୍ରଶିକ୍ଷଣ ପାଇଁ କେତେ କଷ୍ଟ ମୁଁ ମୋ ଟ୍ରେନିଂ ନେବା ସମୟରେ ଜାଣିଛି । ତେଣୁ ପିଲାମାନଙ୍କୁ ଚାପ ନଦେଇ ସେମାନଙ୍କୁ ପ୍ରଶିକ୍ଷିତ କରି ଜିଲ୍ଲା, ରାଜ୍ୟ ଓ ଦେଶର ନାଁ ରଖିବା ପାଇଁ ଚେଷ୍ଟା ଜାରି ରଖିଛି ।”