
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ୟୁନିୟନ ବ୍ୟାଙ୍କରେ ଟଙ୍କା ଜମା ରଖି ହଡପର ଶିକାର ହୋଇଥିବା ଜମାକାରୀ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଥିଲେ । ଜମାକାରୀଙ୍କ ଖାତାରୁ ଟଙ୍କା ଗାଏବ ହୋଇଯାଇଥିବା ଗତ ଏପ୍ରିଲ ମାସରେ ଜାଣିବା ପରେ ଗ୍ରାହକମାନେ ବ୍ୟାଙ୍କ ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ବ୍ୟାଙ୍କ ଓ ପୋଲିସର ତଦନ୍ତ ପରେ ବ୍ୟାଙ୍କର କିରାଣୀ ପ୍ରିୟମ ପ୍ରଥମ ସାବତ ପ୍ରାୟ ୭୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡପ କରିବା ଜାଣିବାକୁ ମିଳିଥିଲା । ଏହାପରେ ଗତ ଜୁନ ୨୬ ତାରିଖରେ କିରାଣୀ ପ୍ରିୟମ ପ୍ରଥମ ସାବତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଜାମିନ ନା ମଞ୍ଜୁର ପରେ ଜେଲ ହାଜତକୁ ପଠାଯାଇଥିଲା । ତେବେ ଦୀର୍ଘ ଦିନ ହେଲା ଜମା ଟଙ୍କା ନମିଳିବା ଯୋଗୁଁ ଜମାକାରୀମାନେ ବ୍ୟାଙ୍କକୁ ଦୌଡ଼ି ନିରାଶ ହେବା ପରେ ଠକାମିର ଶିକାର ହୋଇଥିବା ଗ୍ରାହକମାନେ ଆଜି ଧାରଣାରେ ବସିଥିଲେ । ଟଙ୍କା ନ ମିଳିଲେ ବ୍ୟାଙ୍କରେ ତାଲା ପକାଇବାକୁ ଧମକ ମଧ୍ୟ ଦେଇଥିଲେ ଧାରଣାରେ ବସିଥିବା ଗ୍ରାହକ । ଅପରପକ୍ଷେ ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜର କହିଥିଲେ ଟଙ୍କା ଠକେଇ ହୋଇଥିବା ଯୋଗୁଁ ଗ୍ରାହକମାନେ ବ୍ୟାଙ୍କ ସମ୍ମୁଖରେ ବସିଛନ୍ତି । ଏ ସମ୍ପର୍କରେ ରିଜିଓନାଲ ମ୍ୟାନେଜରଙ୍କୁ ଜଣାଯାଇଛି । ବିଳମ୍ବ ହେଲେ ମଧ୍ୟ ଟଙ୍କା ମିଳିବ ବୋଲି ସେ କହିଥିଲେ ।ଟଙ୍କା ଫେରି ପାଇବା ପାଇଁ ବ୍ୟାଙ୍କ ସମ୍ମୁଖରେ ଗ୍ରାହକମାନେ ଧାରଣାରେ ଦିନ ୧୧ଟା ରୁ ବସି ରହିବା ପରେ ଖବର ପାଇ ତହସିଲଦାର, ଥାନା ଆଇ ଆଇ ସି ପହଞ୍ଚି ଆଲୋଚନା କରିଥିଲେ । ପାଖାପାଖି ସାଢେ ୪ଟା ବେଳେ ବ୍ରହ୍ମପୁରରୁ ଡେପୁଟି ରିଜିଓନାଲ ମ୍ୟାନେଜରଙ୍କ ସହ ବ୍ରହ୍ମପୁରରୁ ବ୍ୟାଙ୍କର ଅଧିକାରୀମାନେ ପହଞ୍ଚି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ ଆସନ୍ତା ସେପ୍ଟେମ୍ବର ୨୯ ତାରିଖ ସୁଦ୍ଧା ସମସ୍ତଙ୍କୁ ସେମାନଙ୍କ ଜମା ଟଙ୍କା ମିଳିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।