
ଭଞ୍ଜନଗର ୧୦/୦୯( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ନୂଆପଲ୍ଲୀ ଗ୍ରାମର ଜଣେ ୧୦ ବର୍ଷ ବୟସର ନାବାଳିକାକୁ କନ୍ଧମାଳ ଜିଲାର ଜଣେ ବ୍ୟକ୍ତି ଅପହରଣ କରିନେବା ବେଳେ ଧରାପଡିଛନ୍ତି ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି।ପରେ ତାଙ୍କୁ ତାରସିଂ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅପହର୍ତ୍ତା ଜଣକ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଶୁବଳବାଡି ଗ୍ରାମର ଶୁସାନ୍ତ ସେଠି ବୋଲି ଜଣାପଡିଛି।
ସୂଚନାନୁସାରେ, ନାବାଳିକାର ବାପା ତମିଲିନାଡୁକୁ କାମ କରିବାକୁ ଚାଲି ଯାଇଥିବା ବେଳେ ମାଆ ଅନ୍ୟର ଜମିରେ ଧାନ ରୋଇବାକୁ ଯାଇଥିଲା। ଏହାର ସୁଯୋଗ ନେଇ ମଙ୍ଗଳବାର ସକାଳ ପ୍ରାୟ ୧୦ ଟା ସମୟରେ ଅପହର୍ତ୍ତା ଜଣଙ୍କ ନାବାଳିକାକୁ ସ୍କୁଟିରେ ବସାଇ ଗାଲେରୀ ରାସ୍ତା ଦେଇ ବ୍ରାହ୍ମଣପଦର ଜଙ୍ଗଲ ରାସ୍ତାରେ ଦ୍ରୁତ ଗତିରେ ଚାଲି ଯାଉଥିଲା। ଏହି ସମୟରେ ନୂଆପଲ୍ଲୀ ଗ୍ରାମର ବିଲରେ କାମ କରୁଥିବା କିଛି ଲୋକ ଦେଖି ତତ୍କାଳ ଗାଲେରୀ ଗ୍ରାମର କିଛି ଯୁବକଙ୍କୁ ଫୋନ୍ କରି ଜଣାଇଥିଲେ।ପରେ ଗାଲେରୀର ଯୁବକମାନେ ମୁଖ୍ୟ ରାସ୍ତା ଉପରକୁ ଦୌଡ଼ି ଆସି ଅପହର୍ତ୍ତାକୁ କାବୁ କରିଥିଲେ।ପରେ ନାବାଳିକାର ମାଆ ଥାନାରେ ଏତଲା ଦେଇଥିଲେ। ନାବାଳିକାର ମାଙ୍କ ଏତଲାକୁ ଭିତ୍ତି କରି ତାରସିଂ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ଚାଲାଣ କରଛି।ଏହା ସହ ତା ନିକଟରୁ ଏକ ସ୍କୁଟି,୧୧୩୦ ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।