
ଭଞ୍ଜନଗର ୧୦/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କଡା ନିୟମ, ହନ୍ତସନ୍ତ ସ୍ଥିତି, ଅସନ୍ତୋଷ ଓ ଶେଷରେ କୋହଳ ନିୟମ ଭିତରେ ଗତ ମାସ ୨୫ତାରିଖ ସୋମବାର ସରିଛି ଖରିଫ୍ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜୀକରଣ। ଏଥର ଚାଷୀ ସଂଖ୍ୟା ଗତବର୍ଷ ଠାରୁ ଟପି ଯାଇଛି I ଗତବର୍ଷ ଭଞ୍ଜନଗର ଉପଖଣ୍ଡର ୪୬ ହଜାର ୬୨୦ ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ଏଥର ୧୨୧ ଟି ପ୍ୟାକ୍ସ ଓ ୩୬ ଟି ଏସଏଚଜିଙ୍କ ନିକଟରେ ୪୯ ହଜାର ୭୬୧ ଚାଷୀ ପଞ୍ଜୀକରଣ କରିଛନ୍ତି। ଯେଉଁଥିରେ ୪ ହଜାର ୧୭୩ ଜଣ ଭାଗ ଚାଷୀ ରହିଛନ୍ତି। ଗତ ବର୍ଷ ଅପେକ୍ଷା ଚଳିତଥର ଉପଖଣ୍ଡରେ ୩ ହଜାର ୧୪୧ ଜଣ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି।
ଗତବର୍ଷ ଠାରୁ ଧାନର ମୂଲ୍ୟ କୁଇଣ୍ଟାଲ୍ ପ୍ରତି ୩୧ ଶହ ଟଙ୍କାକୁ ବଢ଼ିଥିବାରୁ ଏବର୍ଷ ଅଧିକ ଚାଷୀ ପଞ୍ଜୀକରଣ କରିବାକୁ ଆଗ୍ରହୀ ଥିଲେ। ମାତ୍ର ଉତ୍ତରାଧିକାରୀ ପ୍ରମାଣପତ୍ର ଭାବେ ବଂଶାବଳି ପ୍ରମାଣପତ୍ର ଓ ଅନୁମତିପତ୍ରର ଗୋଲକଧନ୍ଧା ଭିତରେ ଚାଷୀ ନୟାନ୍ତ ହୋଇ ପଡ଼ିଥିଲେ। ଆରଆଇଙ୍କ ଠାରୁ ବଂଶବଳୀ ପ୍ରମାଣପତ୍ର ଆଣିବା ଓ ଭାଇ ଭାଇ ବିବାଦରେ ଅନୁମତିପତ୍ର ଅଣିବା ଜଟିଳ ବ୍ୟବସ୍ଥା ଭିତରେ ଚାଷୀ ହନ୍ତସନ୍ତ ହୋଇଥିଲେ। ଅନେକ ଚାଷୀ ଏହି ସମସ୍ୟା କାରଣରୁ ପଞ୍ଜୀକରଣ କରିପାରିନଥିଲେ। ଅସନ୍ତୋଷ ବଢ଼ିବା ପରେ ଅନୁମତି ଆବଶ୍ୟକ ନାହିଁ ‘ସ୍ବ-ଘୋଷଣାପତ୍ର’ ଦେଇ ପଞ୍ଜୀକରଣ ହୋଇପାରିବ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଥିଲେ। ମାତ୍ର ବିଭାଗୀୟ ଚିଠି ନହେବାରୁ ‘ସ୍ୱ-ଘୋଷଣାପତ୍ର’ ଘୋଷଣା କେବଳ ଘୋଷଣରେ ରହିଯାଇଥିଲା। ପଞ୍ଜୀକରଣ ବହୁ ପଛରେ ରହିଥିଲା। ଶେଷବେଳକୁ ସରକାର ପୁଣି ପଞ୍ଜୀକରଣର ଅବଧି ଆଉ ୫ ଦିନ ଅର୍ଥାତ ୨୫ ତାରିଖ ପର୍ଯ୍ୟନ୍ତ ବଢ଼ାଇବା ସହ ‘ସ୍ବ-ଘୋଷଣାପତ୍ର’ ନେଇ ଚିଠି ପ୍ରକାଶ ପାଇଥିଲା । ଏହାପରଠାରୁ ପଞ୍ଜୀକରଣ ଦ୍ରୁତଗତିରେ ବଢ଼ିଚାଲିଲା। ଚାଷୀ ‘ସ୍ବ ଘୋଷଣାପତ୍ର’ ଦେଇ ପଞ୍ଜୀକରଣ କଲେ। ଶେଷ ବେଳକୁ ଏତେ ବଢ଼ିଲା ଯେ,ପଞ୍ଜିକରଣ ସଂଖ୍ୟା ଗତ ବର୍ଷକୁ ବି ଟପି ଯାଇଛି।
ଯୋଗାଣ ବିଭାଗରୁ ମିଳିଥିବା ସୁଚନାନୁସାରେ,
ଗତବର୍ଷ ଉପଖଣ୍ଡ ଅଧିନ ୮ଟି ବ୍ଲକର ୪୬ ହଜାର ୬୨୦ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଚଳିତ ଥର ଉପଖଣ୍ଡ ଅଧିନ ଆସିକା ବ୍ଲକର ୧୮ ଟି ପ୍ୟାକ୍ସ ଓ ୧୪ଟି ଏସଏଚଜିଙ୍କ ନିକଟରେ ସର୍ବାଧିକ ୮,୩୬୬ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ସେହିଭଳି ବେଲଗୁଣ୍ଠା ବ୍ଲକର ୧୩ଟି ପ୍ୟାକ୍ସ ଓ ୨ ଟି ଏସଏଚଜିଙ୍କ ନିକଟରେ ୪,୬୦୭ ଜଣ ଚାଷୀ,ଭଞ୍ଜନଗର ବ୍ଲକର ୧୨ଟି ପ୍ୟାକ୍ସ ଓ ୩ଟି ଏସଏଚଜିଙ୍କ ନିକଟରେ ୪,୫୭୨ ଜଣ ଚାଷୀ,ବୁଗୁଡ଼ା ବ୍ଲକର ୧୪ ଟି ପ୍ୟାକ୍ସରେ ୫,୭୮୮ ଜଣ ଚାଷୀ, ଧରାକୋଟ ବ୍ଲକର ୧୫ ଟି ପ୍ୟାକ୍ସ ଓ ୫ଟି ଏସଏଚଜିଙ୍କ ନିକଟରେ ୭,୫୭୨ ଜଣ ଚାଷୀ, ଜଗନ୍ନାଥପ୍ରସାଦ ବ୍ଲକର ୧୭ଟି ପ୍ୟାକ୍ସ ଓ ୩ଟି ଏସଏଚଜିଙ୍କ ନିକଟରେ ୫,୬୦୬ ଜଣ ଚାଷୀ, ଶେରଗଡ଼ ବ୍ଲକର ୧୫ଟି ପ୍ୟାକ୍ସ ଓ ୪ଟି ଏସଏଚଜିଙ୍କ ନିକଟରେ ୬,୮୪୪ ଜଣ ଚାଷୀ ଓ ସୋରଡ଼ା ବ୍ଲକର ୧୭ଟି ପ୍ୟାକ୍ସ ଓ ୫ ଟି ଏସଏଚଜିଙ୍କ ନିକଟରେ ୬,୪୦୬ ଜଣ ଚାଷୀ ଧାନ ବିକିବାଲାଗି ନାମ ପଞ୍ଜିକରଣ କରିଛନ୍ତି।