ମା’ ଦୁର୍ଗାଙ୍କ ମେଢ଼ ନିର୍ମାଣରେ ଲାଗିଛନ୍ତି ମୁସଲମାନ କାରିଗର, ବାସ୍ତବରେ ଭାଇଚାରାର ସହର କଟକ

କଟକ: ବାଉଁଶ କଣିରେ ବନ୍ଧା ହୋଇ ସାରିଲାଣି ମେଢ । ତିଆରି ହେଉଛି ଛାଞ୍ଚ । ଏହା ଉପରେ ଶୋଭା ପାଇବ ଜରି, କାଗଜ, ପ୍ଲେଟ ଆଦିରେ ତିଆରି ସୁନ୍ଦର ସୁନ୍ଦର ଡିଜାଇନ । ଯାହା ଦ୍ବିଗୁଣିତ କରିବ ମା’ ଦୁର୍ଗାଙ୍କର ସୌନ୍ଦର୍ଯ୍ୟକୁ । ଏବେ ସେହି କାମରେ ବ୍ୟସ୍ତ କଟକର କାରିଗରମାନେ । ହାତରେ ଆଉ ମାତ୍ର କିଛି ଦିନର ସମୟ ଥିବା ବେଳେ ଦିନ ରାତି ଚାଲିଛି କାମ । ଗତ ତିନି ମାସ ତଳୁ କାମ ଆରମ୍ଭ କରିଦେଇଛନ୍ତି କାରିଗର ।ଚାନ୍ଦିମେଢକୁ ନେଇ କଟକ ସହର ପ୍ରସିଦ୍ଧି ଲାଭ କରିଥିବା ବେଳେ କଟକ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଜରିମେଢ, କାଗଜମେଢ, ପ୍ଲେଟମେଢ ଗୁଡିକର ମଧ୍ୟ ବେଶ ଚାହିଦା ରହିଛି କଟକ ସହର ତଥା ସାରା ରାଜ୍ୟରେ ଏପରିକି ରାଜ୍ୟ ବାହାରେ ମଧ୍ୟ । ପୂର୍ବରୁ ଦୂର୍ଗାପୂଜାରେ ଦେଖିବାକୁ ମିଳୁଥିଲା କେବଳ ଜରି ମେଢ କଟକ ସହରରେ । ଏବେ ସୁଦ୍ଧା ଜରି ମେଢ ପରମ୍ପରା ବଞ୍ଚି ରହିଥିବା ବେଳେ ଏଥିରେ ପରିଲକ୍ଷିତ ହୋଇଛି ସାମାନ୍ୟ ଭିନ୍ନତା । ବ୍ୟବହୃତ ହେଉଛି ନୂଆ ନୂଆ ମେଟେରିଆଲ ।ମୁସଲମାନ ସଂପ୍ରଦାୟର କାରିଗରମାନଙ୍କର ଏକ ବିଶେଷ ଭୂମିକା ରହିଥାଏ ଏହି ଜରିମେଢ ନିର୍ମାଣରେ । ଜରିମେଢ, କାଗଜ ମେଢ ହେଉ କିମ୍ବା ପ୍ଲେଟମେଢ… ଭାରି ଯତ୍ନର ସହିତ କରିବାକୁ ପଡେ ଏହି କାମ । ଦେଖନ୍ତୁ କିଏ କଇଁଚି ଧରି କାଟିବାରେ ବ୍ୟସ୍ତ ତ କିଏ ଚୁମକି ସଜାଇବାରେ ଲାଗିଛନ୍ତି ପ୍ରସ୍ତୁତ ଡିଜାଇନ ଉପରେ । ଆଉ କିଏ ବୁଲିଏନକୁ ଚମତ୍କାର ଭାବରେ ପକାଇଚାଲିଛନ୍ତି ଚିତ୍ର ଅନୁସାରେ । ଜରି, କାଗଜ, ଭେଲଭେଟ, ଜମ୍ବୁରା, କାର୍ଡ ବୋର୍ଡ ପେପର, ସୋଲ ଆଦିକୁ କାଟିବା ପରେ ତା’ ଉପରେ ଆଙ୍କିବାକୁ ପଡେ ଭିନ୍ନ ଭିନ୍ନ ଡିଜାଇନ ।ଆଉ ତା’ ଉପରେ ସଜାଯାଏ ବୁଲିଏନ, ଚୁମକି,ଭେଲଭେଟ ଆଦି ଜିନିଷ । ପ୍ରତି ବର୍ଷ ନୂଆ ନୂଆ ଡିଜାଇନ ଦେଖିବାକୁ ମିଳେ ଜରିମେଢ, ପ୍ଲେଟ ମେଢ ଗୁଡିକରେ । ଭିନ୍ନ ଭିନ୍ନ ରେଟ ରହିଛି ଅଲଗା ଅଲଗା ପ୍ରକାରର ମେଢ ପାଇଁ । ସବୁଠାରୁ ବଡ କଥା ହେଉଛି ଏହି ମେଢ ପ୍ରସ୍ତୁତି କ୍ଷେତ୍ରରେ କଟକ ସହରରେ ଏକ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିନ୍ତି ମୁସଲମାନ କାରିଗରମାନେ ।ପୁରୁଷ ପୁରୁଷ ଧରି ଏମାନେ ନିଜକୁ ନିୟୋଜିତ କରିଛନ୍ତି ମା ଦୁର୍ଗାଙ୍କର ଏହି ମେଢ ତିଆରି କାମରେ । ଏପରିକି ମହିଳାମାନେ ମଧ୍ୟ ଲାଗିପଡିଛନ୍ତି ମା’ଙ୍କ ଆଗମନ ପାଇଁ ମେଢ ପ୍ରସ୍ତୁତିରେ । ଶାରଦୀୟ ଦୂର୍ଗାପୂଜା ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ଭାଇ ଭଉଣୀମାନଙ୍କ କର୍ମବ୍ୟସ୍ତତାକୁ ଦେଖିଲେ ଲାଗେ…. ସତରେ ଇୟେ ବାସ୍ତବରେ ଭାଇଚାରାର ସହର ।