
ନୟାଗଡ : ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୟାଗଡ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ । ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ ୩୧ଜଣଙ୍କର ଶ୍ରମିକ କାର୍ଡ କରାଇଦେବା ପାଇଁ ଜଣେ ଶ୍ରମିକ ନେତାଙ୍କ ଠାରୁ ୬ହଜାର ଟଙ୍କା ଲାଞ୍ଚ ଅଫିସରେ ନେଉଥିଲେ । ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଟଙ୍କା ସହ ଚିତ୍ତରଞ୍ଜନଙ୍କୁ ଧରିଥିଲେ । ଚିତ୍ତରଞ୍ଜନ ଗତ ୩ବର୍ଷ ହେଲା ଏଠାରେ ରହିଥିବା ବେଳେ ତାଙ୍କ ନାଁରେ ବହୁ ଦୁର୍ନୀତି ଅଭିଯୋଗ ରହିଥିଲା ।ଭିଜିଲାନ୍ସ ଟିମ୍ ଚିତ୍ତରଞ୍ଜନଙ୍କ ଖଣ୍ଡପଡା ରୋଡରେ ରହିଥିବା ଭଡା ଘରେ ଚଢାଉ କରି ଖାମ୍ ଭିତରେ ଥିବା ୩୭ହଜାର ୫ଶହ ଟଙ୍କା ଜବତ କରିଛି । ସେପଟେ ଲାଞ୍ଚ ନେଉଥିବା କଥାକୁ ଅସ୍ବିକାର କରିଛନ୍ତି ଚିତ୍ତରଞ୍ଜନ। ଜଣେ ବ୍ଯକ୍ତି ଜୋର ଜବରଦସ୍ତ ତାଙ୍କ ଟେବୁଲରେ ଟଙ୍କା ରଖିଦେଇଥିବା ସେ ସଫେଇ ଦେଇଛନ୍ତି । ଭୂବନେଶ୍ବର ଭିଜିଲାନ୍ସର ଡିଏସପି ବ୍ରଜକିଶୋର ସାହୁଙ୍କ ନେତୃତ୍ବରେ ୧୦ଜଣିଆ ଟିମ୍ ଏହି ଚଢାଉରେ ସାମିଲ୍ ହୋଇଥିଲେ ।