
କାଠମାଣ୍ଡୁ: ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ପୂର୍ବତନ ପ୍ରଧାନବିଚାରପତି ସୁଶିଲା କାର୍କୀ । ଆଜି(ଶୁକ୍ରବାର) ରାତ୍ରିରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡଲଙ୍କ ବାସଭବନରେ ଶପଥ ଗ୍ରହଣ କରିବେ । ନେପାଳରେ ଦୁର୍ନୀତି ବିରୋଧରେ ଦେଖା ଦେଇଥିବା ବିରାଟ ଜନଆନ୍ଦୋଳନ ଯୋଗୁଁ କେପି ଶର୍ମା ଓଲି 4 ଦିନ ତଳେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।ନେପାଳରେ ଜରୁରୀକାଳୀନ ପରିସ୍ଥିତି:ଆଜି ରାତିରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ କ୍ୟାବିନେଟ ବୈଠକରେ ସୁଶିଲା କାର୍କୀ ଦେଶରେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରିବେ । କ୍ୟାବିନେଟର ସୁପାରିଶ କ୍ରମେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଶୁକ୍ରବାର ଅର୍ଦ୍ଧରାତ୍ରିରୁ ନେପାଳରେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରାଯିବ । ନେପାଳ ସମ୍ବିଧାନର ଧାରା 273 ଅନୁଯାୟୀ, ଦେଶରେ ଜାତୀୟ ବିପତ୍ତି ଯଥା- ଯୁଦ୍ଧ, ପ୍ରାକୃତିକ ବିପତ୍ତି, ସଶସ୍ତ୍ର ବିଦ୍ରୋହ ଏବଂ ଅତି ଜରୁରୀକାଲୀନ ପରିସ୍ଥିତିରେ ଦେଶରେ ଅଧିକତମ 6 ମାସ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରା ଯାଇପାରିବ ।କିଛି ସମୟ ଆଗରୁ ନେପାଳର Gen Z ଦଳ ସୁଶିଲା କାର୍କୀଙ୍କ ନେତୃତ୍ବରେ ଦେଶର ଶାସନ ଭାରକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ପରିପ୍ରେକ୍ଷୀରେ ସର୍ବାଧିକ ମତ ମଧ୍ୟ ଗୃହୀତ ହୋଇଥିଲା । ଏହା ସହିତ ତାଙ୍କର ଯୁବବର୍ଗଙ୍କ କିଛି ଦାବି ରହିଥିଲା । ଯାହା ମଧ୍ୟରେ ନେପାଳର ସଂସଦକୁ ଭଙ୍ଗି କରିବା ଏକ ମୁଖ୍ୟ ଦାବି ରହିଥିଲା ।
ସୁଶିଲା କର୍କୀ କିଏ ?ସୁଶିଲା କାର୍କୀ ନେପାଳର ପୂର୍ବତନ ବିଚାରପତି ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ତାଙ୍କର କାର୍ଯ୍ୟକାଳ ତାଙ୍କର ନିରପେକ୍ଷ ନ୍ୟାୟ ଓ ନିର୍ଭୀକତା ପାଇଁ ପ୍ରସିଦ୍ଧ । ଏଥିପାଇଁ ତାଙ୍କୁ ଏକ ସଚ୍ଚୋଟ କାର୍ଯ୍ୟକର୍ତ୍ତା ଭାବେ ଗ୍ରହଣ କରାଯାଇଥାଏ । ସେ ଭାରତର ବନାରସ ହିନ୍ଦୁ ୟୁନିଭର୍ସିଟି ବା BHUରୁ ପାଠପଢା ସମ୍ପର୍ଣ୍ଣ କରିଛନ୍ତି । ସେ 1975 ମସିହାରେ BHUରୁ ରାଜନୀତି ବିଜ୍ଞାନରେ ପାଠପଢା ସମ୍ପାଦନ କରିଛନ୍ତି ।ନେପାଳର ବିରାଟନଗରରେ 7 ଜୁନ 1952 ମସିହାରେ ଜନ୍ମିତ ସୁଶିଲା କାର୍କୀ, ନେପାଳର ପ୍ରଥମ ମହିଳା ନ୍ୟାୟାଧିଶ ଅଟନ୍ତି । ସେ 2016 ରୁ 2017 ମସିହା ପର୍ଯ୍ୟନ୍ତ କାର୍ଯ୍ୟଭାର ଗ୍ରହଣ କରିଥିଲେ । ନେପାଳର Gen Z ଦଳ ସୁଶିଳାଙ୍କ ନେତୃତ୍ବକୁ ସ୍ବାଗତ କରିଛନ୍ତି ।