
ରାଇରଙ୍ଗପୁର (ମୟୂରଭଞ୍ଜ): ସାମାନ୍ୟ ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କୁ ବାଉଁଶ ବାଡିରେ ନିସ୍ତୁକ ମାଡ଼ ମାରିବା ମହଙ୍ଗା ପଡ଼ିଛି ଶିକ୍ଷୟିତ୍ରୀଙ୍କୁ । ପିଲାଙ୍କୁ ମାଡ଼ ମାରିବା ଅଭିଯୋଗରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ଜନୈକା ଶିକ୍ଷୟିତ୍ରୀ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ପ୍ରତିମାଦେଇପୁର କ୍ଲଷ୍ଟର ଅନ୍ତର୍ଗତ ଖଣ୍ଡଦେଉଳା ସରକାରୀ ଉଚ୍ଚପ୍ରାଥମିକ ସ୍କୁଲରେ ଘଟି ଯାଇଥିଲା ଅଶୋଭନୀୟ ଘଟଣା । ଏହି ଘଟଣାକୁ ନେଇ ଅଭିଭାବକ ମହଲରେ ଉଦ୍ବେଗ ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଧାର୍ଯ୍ୟ ସମୟରେ ସ୍କୁଲରେ ପ୍ରାର୍ଥନା ପରେ ପିଲାମାନେ ନିଜ ନିଜ ଶ୍ରେଣୀକୁ ଚାଲିଯାଇଥିଲେ । ଏହାପରେ ଶିକ୍ଷୟିତ୍ରୀ ସୁକାନ୍ତି କର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀକୁ ପର୍ଯ୍ୟାୟ କ୍ରମେ ପାଠ ପଢ଼ାଇବାକୁ ଯାଇଥିବା ବେଳେ କେଉଁ କେଉଁ ଛାତ୍ରଛାତ୍ରୀ ମାନେ ଆଜି ପ୍ରାର୍ଥନା ପରେ ତାଙ୍କ ପାଦ ଛୁଇଁ ପ୍ରଣାମ କରିନାହାନ୍ତି ବୋଲି ପଚାରିଥିଲେ । ଯେଉଁ ପିଲାମାନେ ହାତ ଟେକିଥିଲେ, ସେମାନଙ୍କୁ ଏକ ବାଉଁଶ ବାଡ଼ିରେ ନିସ୍ତୁକ ପିଟିଥିଲେ ଶିକ୍ଷୟିତ୍ରୀ ସୁକାନ୍ତି କର ।ଶିକ୍ଷୟିତ୍ରୀଙ୍କ ମାଡ଼ରେ ପାଖାପାଖି ୩୧ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ଖବର ଅଭିଭାବକଙ୍କ ପାଖରେ ପହଞ୍ଚିଥିଲା । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ଅଭିଭାବକ ମାନେ ପ୍ରଧାନଶିକ୍ଷକଙ୍କୁ ଏ ବିଷୟରେ ଜଣାଇଥିଲେ । ଅଭିଭାବକ ମାନଙ୍କ ଠାରୁ ଅଭିଯୋଗ ପାଇବା ପରେ ପ୍ରଧାନ ଶିକ୍ଷକ ଏନେଇ ବେତନଟୀ ବ୍ଲକ୍ ଶିକ୍ଷା ଅଧିକାରୀ ବିପ୍ଳବ କର ଓ ସିଆର୍ସିସି ଦେବାଶିଷ ସାହୁଙ୍କୁ ଅବଗତ କରିଥିଲେ । ପରେ ବିଇଓ ବିପ୍ଲବ କର ଓ ସିଆର୍ସିସି ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ୩୧ ପିଲାଙ୍କୁ ଶିକ୍ଷୟିତ୍ରୀ ଜଣକ ମାଡ଼ ମାରିଥିବା ଜାଣିବାକୁ ପାଇଥିଲେ । ଏହି ଘଟଣାରେ ଚିଠି ନଂ ୨୫୭୭(୧୩/୯/୨୫) ମାଧ୍ୟମରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ନିଲମ୍ବନ କରିଛନ୍ତି ବେତନଟୀ ବିଇଓ ।
ଘଟଣା ସମ୍ପର୍କରେ ବେତନଟୀ ବ୍ଲକର ଶିକ୍ଷା ଗୋଷ୍ଠୀ ଅଧିକାରୀ (ବିଇଓ) ବିପ୍ଲବ କରଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଘଟଣା ସମ୍ପୂର୍ଣ୍ଣ ସତ୍ୟ ବୋଲି କହିଥିଲେ । “ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ବାଡିରେ ମାଡ ମାରିଥିବା ଅଭିଯୋଗ ପାଇ ସ୍କୁଲକୁ ଯାଇ ତଦନ୍ତ କରିଥିଲୁ । ଛାତ୍ରଛାତ୍ରୀମାନେ ମାଡ଼ ଖାଇଥିବା କହିବା ସହିତ ସ୍କୁଲର ଶିକ୍ଷୟିତ୍ରୀ ମଧ୍ୟ ଦୋଷ ସ୍ଵୀକାର କରିଥିଲେ । ଏପରିକି ଜଣେ ଛାତ୍ରୀ ମଧ୍ୟ ଶିକ୍ଷୟିତ୍ରୀଙ୍କ ମାଡରେ ଅଚେତ ହୋଇଥିଲେ । ପରେ ଛାତ୍ରୀଙ୍କୁ ମଧ୍ୟ ମେଡିକାଲ ନିଆ ଯାଇଥିଲା । ତେବେ କାର୍ଯ୍ୟାନୁଷ୍ଠାନ ସ୍ଵରୁପ ତାଙ୍କୁ ନିଲମ୍ବନ କରାଯାଇଥିଲା,” ବୋଲି କହିଛନ୍ତି ବିଇଓ ବିପ୍ଲବ କର ।