ଦେବଭୂମି ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କୋପ, ବାଦଲଫଟା ବର୍ଷା ଯୋଗୁଁ ଅନେକ ହୋଟେଲ ଓ ଦୋକାନ କ୍ଷତିଗ୍ରସ୍ତ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଡେରାଡୁନର ପ୍ରସିଦ୍ଧ ସହସ୍ତ୍ରଧାରାରେ ପ୍ରକୃତିର ତାଣ୍ଡବ । ବିଳମ୍ୱିତ ରାତିରେ ବାଦଲ ଫାଟି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି । ପାଣିରେ ଭାସିଯାଇଛି କିଛି ଦୋକାନ । କାଦୁଅ ମିଶା ପାଣି ସହ ପଥର ଘରେ, ଦୋକାନରେ ଧସେଇ ପଶିଛି ।ସ୍ଥାନୀୟ ଜନପ୍ରତିନିଧି ମୁତାବକ, ମୁଖ୍ୟ ବଜାରରେ ମାଟି ଆସିବା ଯୋଗୁଁ ୨ରୁ ୩ଟି ହୋଟେଲ କ୍ଷତିଗ୍ରସ୍ତ ହୋଇଛି । ତପ୍କେଶ୍ୱର ମହାଦେବ ମନ୍ଦିରରେ ପାଣି ପଶିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ, ଜିଲ୍ଲା ମାଜିଷ୍ଟ୍ରେଟ୍ ସଭିନ୍ ବଂଶଲ୍ ଦାୟିତ୍ୱ ଗ୍ରହଣ କରିଥିଲେ । SDRF, NDRF ଏବଂ ପବ୍ଲିକ ୱାର୍କସ ବିଭାଗ ଦ୍ୱାରା JCB ଏବଂ ଅନ୍ୟାନ୍ୟ ଉପକରଣ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଡେରାଡୁନରେ ବାଦଲ ଫାଟିବା ଯୋଗୁଁ ଋଷିକେଶର ଚନ୍ଦ୍ରଭାଗା ନଦୀ ଉଛୁଳି ପଡ଼ିଛି । ନଦୀ ପାଣି ରାଜପଥରେ ପହଞ୍ଚିଛି । ଚନ୍ଦ୍ରଭାଗା ନଦୀରେ ଫସି ରହିଥିବା ତିନି ଜଣଙ୍କୁ SDRF ଦଳ ଉଦ୍ଧାର କରିଛି । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ଏସଡିଏମ କୁମକୁମ ଜୋଶୀ ରାତିରେ ଘଟଣାସ୍ଥଳକୁ ପହଞ୍ଚିଥିଲେ ।ପ୍ରବଳ ବର୍ଷା ଯୋଗୁଁ ଡେରାଡୁନର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ଛୁଟି ଘୋଷଣା କରିଛନ୍ତି । ଦୋକାନ ବୁଡିଛି, ମନ୍ଦିର ବି ପାଣି ଘେରରରେ ରହିଛି । ପାଣିରେ ୨ ଜଣ ଭାସି ଯାଇ ନିଖୋଜ ଥିବା ସୂଚନା ମିଳିଛି । ଆଇଟି ପାର୍କ ଡେରାଡୁନରେ ବିଳମ୍ବିତ ରାତିରୁ ପ୍ରବଳ ବର୍ଷା ଯୋଗୁଁ ପାଣି ଆସିବା ଯୋଗୁଁ ଅନେକ ଯାନବାହନ ରାସ୍ତାରେ ଖେଳଣା ପରି ଭାସୁଥିବା ଦେଖାଯାଇଥିଲା ।ବାଦଲ ଫଟା ବର୍ଷାରେ କ୍ଷୟକ୍ଷତିକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ”ସହସ୍ତ୍ରଧାରାରେ ବିଳମ୍ବିତ ରାତିରେ ବାଦଲଫଟା ବର୍ଷାରେ କିଛି ଦୋକାନ କ୍ଷତି ହୋଇଛି । ଜିଲ୍ଲା ପ୍ରଶାସନ, ଏସଡିଆରଏଫ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି । ଏ ନେଇ ମୁଁ ନିରନ୍ତର ସ୍ଥାନୀୟ ପ୍ରଶାସନ ସମ୍ପର୍କରେ ରହିଛି ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ।