
ହାଇଦ୍ରାବାଦ: ଚୀନର ଲୋକପ୍ରିୟ ସର୍ଟ ଭିଡିଓ ପ୍ଲାଟଫର୍ମ ଟିକ୍ଟକ୍ (TikTok )କୁ ନେଇ ଆମେରିକା ଏବଂ ଚୀନ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି । ଖୋଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏନେଇ ସଙ୍କେତ ଦେଇଛନ୍ତି । ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଦେଶରେ TikTokକୁ କାର୍ଯ୍ୟ ଜାରି ରଖିବା ପାଇଁ ଚୀନ ସହିତ ଏକ ଚୁକ୍ତି ହୋଇଛି । କହିରଖୁଛୁ କି, ଆମେରିକା ସରକାର ଟିକ୍ଟକ୍ର ପ୍ୟାରେଣ୍ଟ କମ୍ପାନୀ ByteDanceକୁ ନିଜର ଆମେରିକୀୟ ଅଂଶଧନ ବିକ୍ରି କରିବା ପାଇଁ ବାରମ୍ବାର ଚାପ ପକାଉଥିଲେ । ଏପରି ନକଲେ ଆମେରିକାରେ ଟିକ୍ଟକ୍ ବନ୍ଦ କରିବା ନେଇ ଚେତାବନୀ ଦେଉଥିଲେ । ଏବେ ବାଣିଜ୍ୟିକ ଆଲୋଚନା ମାଧ୍ୟମରେ କିଛି ସକରାତ୍ମକ ନିଷ୍କର୍ସ ବାହାରିଥିବା ନେଇ ଟ୍ରମ୍ପ ସଙ୍କେତ ଦେଇଛନ୍ତି ।ସୋମବାର ଚୁକ୍ତି ପରେ ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, “ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚୀନ ମଧ୍ୟରେ ୟୁରୋପରେ ବଡ଼ ବାଣିଜ୍ୟ ବୈଠକ ବହୁତ ଭଲ ହୋଇଛି । ଏହା ଖୁବଶୀଘ୍ର ସମାପ୍ତ ହେବ । ଆମ ଦେଶର ଯୁବପିଢ଼ି ଯାହାକୁ ବଞ୍ଚାଇବାକୁ ଚାହୁଁଥିଲେ ସେହି ନିର୍ଦ୍ଦିଷ୍ଟ କମ୍ପାନୀ ଉପରେ ମଧ୍ୟ ଏକ ଚୁକ୍ତିନାମା ହୋଇଛି । ସେମାନେ (ଯୁବପିଢି) ବହୁତ ଖୁସି ହେବେ ! ମୁଁ ଶୁକ୍ରବାର ରାଷ୍ଟ୍ରପତି ଜିଙ୍କ ସହ କଥା ହେବି । ଆମର ସମ୍ପର୍କ ଏବେ ବି ବହୁତ ମଜଭୁତ ଅଛି ।”ମାଡ୍ରିଡରେ ଆମେରିକା ଏବଂ ଚୀନ ଅଧିକାରୀଙ୍କ ମଧ୍ୟରେ ଏକ ନୂତନ ପର୍ଯ୍ୟାୟ ଅର୍ଥନୈତିକ ଏବଂ ବାଣିଜ୍ୟ ଆଲୋଚନା ଚାଲିଛି । ଆମେରିକୀୟ ପ୍ରତିନିଧିମଣ୍ଡଳର ନେତୃତ୍ବ ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ଏବଂ ବାଣିଜ୍ୟ ପ୍ରତିନିଧି ଜେମସନ ଗ୍ରୀୟର ନେଉଛନ୍ତି, ଯେତେବେଳେ କି ଚୀନ ପ୍ରତିନିଧିମଣ୍ଡଳର ନେତୃତ୍ବ ଉପ-ପ୍ରଧାନମନ୍ତ୍ରୀ ହେ ଲାଇଫେଙ୍ଗ ନେଉଛନ୍ତି ।ଆମେରିକାରେ TikTok ବିବାଦ କଣ ?ଦୁନିଆର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ପ୍ରାୟ 11ରୁ 17 କୋଟି ୟୁଜର୍ସ ଚାଇନିଜ ଆପ୍ ଟିକ୍ଟକ୍କୁ ବ୍ୟବହାର କରନ୍ତି । ଗତବର୍ଷ ଆମେରିକା ଅଭିଯୋଗ ଆଣିଥିଲା ଯେ ଏହି ଆପ୍ ଦ୍ବାରା ଚୀନ ସରକାର ଆମେରିକୀୟ ୟୁଜରଙ୍କ ତଥ୍ୟ ଚୋରି କରୁଛନ୍ତି । ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଜାନୁଆରୀ 19, 2025ରେ ତତ୍କାଳୀନ ଆମେରିକା ସରକାର ଏହାକୁ ବ୍ୟାନ୍ ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଟ୍ରମ୍ପଙ୍କ ସରକାର ଆସିବା ପରେ ଟିକ୍ଟକ୍ ଆଗରେ ଆମେରିକାକୁ 50 ପ୍ରତିଶତ ଅଂଶୀଦାର ରଖିବାକୁ ପ୍ରସ୍ତାବ ରଖିଥିଲେ ।ଏହିପରି ଭାବରେ ଆମେରିକା ସରକାର ଅନେକ ଥର ଟିକ୍ଟକ୍କୁ ନିଜର ଆମେରିକା ପରିଚାଳନା ବିକ୍ରି କରିବାକୁ ସୁଯୋଗ ଦେଇଥିଲେ । କୁହାଗଲା ଯଦି 17 ସେପ୍ଟେମ୍ବର, 2025 ପର୍ଯ୍ୟନ୍ତ ବିକ୍ରି ପ୍ରକ୍ରିୟା ପୁରା ନହୁଏ, ତେବେ ଆମେରିକା ସମ୍ପୂର୍ଣ୍ଣ ଭାବେ ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଇବ । ଏହି ସମୟସୀମା ପୂର୍ବରୁ ଆମେରିକା ରାଷ୍ଟ୍ରପତି ସଙ୍କେତ ଦେଇଛନ୍ତି ଯେ ଟିକ୍ଟକ୍ ଆପ୍ ଆମେରିକାରେ ବନ୍ଦ ହେବନାହିଁ । ଚୀନ ସହିତ ବାଣିଜ୍ୟ ଆଲୋଚନା ମଧ୍ୟରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି । ରଏଟର୍ସର ଏକ ରିପୋର୍ଟ ଅନୁସାରେ, ଟିକ୍ଟକ୍କୁ ନେଇ ଆମେରିକା ଓ ଚୀନ ମଧ୍ୟରେ ବୁଝାମଣା ହୋଇଛି, ଯାହା ଅଧୀନରେ TikTokକୁ ଆମେରିକା-ନିୟନ୍ତ୍ରିତ ମାଲିକାନା ବ୍ୟବସ୍ଥାରେ ପରିଣତ କରାଯିବ । ତଥାପି, ଏହା ଶୁକ୍ରବାର ଡୋନାଲ୍ଡ ଟ୍ରମ୍ପ ଏବଂ ସି ଜିନପିଙ୍ଗ ନିଶ୍ଚିତ କରିବେ ।