
ଦୁବାଇ : ଏସିଆ କପ ଭାରତ-ପାକିସ୍ତାନ ମ୍ୟାଚ ଭାରତ ଜିତିବା ପରେ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ । ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଛି । କେବଳ ମ୍ୟାଚ ଜିତିବା ପରେ ନୁହେଁ ଟସ୍ ସମୟରେ ସୂର୍ଯ୍ୟକୁମାର ଯାଦବ ସଲମାନ ଅଲି ଆଗାଙ୍କ ସହ ହାତ ମିଳାଇ ନଥିଲେ । ଶୋଏବ ଅଖତରଙ୍କଠାରୁ ଶାହିଦ ଆଫ୍ରିଦିଙ୍କ ପର୍ଯ୍ୟନ୍ତ ସମସ୍ତେ ଏ ପ୍ରସଙ୍ଗକୁ କଡ଼ା ନିନ୍ଦା କରିଛନ୍ତି । ଆଉ ଏ ବିଷୟରେ ଏକ ଟିଭି କାର୍ଯ୍ୟକ୍ରମରେ ମହମ୍ମଦ ୟୁସଫ ସୂର୍ଯ୍ୟକୁମାର ଯାଦବଙ୍କୁ ଗାଳି ଦେଇଥିଲେ । ଯାହାକୁ ନେଇ ବିବାଦ ଦେଖାଦେବା ପରେ ୨୪ ଘଣ୍ଟା ମଧ୍ୟରେ ଭୁଲ୍ ମାଗିଛନ୍ତି ପାକିସ୍ତାନୀ ଖେଳାଳି ।ୟୁସଫ ଟ୍ୱିଟ୍ କରି କହିଛନ୍ତି, “ମୁଁ କେବେ କୌଣସି ଖେଳାଳିଙ୍କୁ ଅସମ୍ମାନ କରିବାକୁ ଚାହୁଁ ନଥିଲି ଯିଏ ତାଙ୍କ ଦେଶ ପାଇଁ ଆଗ୍ରହ ଏବଂ ସମର୍ପଣ ସହିତ ଖେଳେ । କିନ୍ତୁ ଯେତେବେଳେ ଇରଫାନ ପଠାନ ଶାହିଦ ଆଫ୍ରିଦିଙ୍କୁ କୁକୁର ପରି ଭୁକିବା କଥା କହିଥିଲେ, ସେତେବେଳେ ଭାରତୀୟ ଗଣମାଧ୍ୟମ ଏବଂ ଲୋକମାନେ କାହିଁକି ତାଙ୍କୁ ପ୍ରଶଂସା କରୁଥିଲେ ? ମର୍ଯ୍ୟାଦା ଏବଂ ସମ୍ମାନ ବିଷୟରେ କଥା ହେଉଥିବା ସମସ୍ତ ଲୋକ କ’ଣ ତାଙ୍କ ବକ୍ତବ୍ୟକୁ ଖାରଜ କରିଦେବା ଉଚିତ୍ ନୁହେଁ ?”ପହଲଗାମ ଆକ୍ରମଣ ପରେ ପ୍ରଥମ ଥର ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ସହିତ କ୍ରିକେଟ୍ ମ୍ୟାଚ୍ ଖେଳୁଥିଲା । ସୋସିଆଲ ମିଡିଆରେ ଏହି ମ୍ୟାଚକୁ ବ୍ୟାନ୍ କରାଯାଉ ବୋଲି ଦାବି ହୋଇଥିଲା । କିନ୍ତୁ ମ୍ୟାଚ୍ ବ୍ୟାନ୍ ନ ହୋଇ ଟିମ୍ ଇଣ୍ଡିଆ ଖେଳିଥିଲା କିନ୍ତୁ ମ୍ୟାଚ ଜିତିବା ପରେ ଟିମ୍ ଇଣ୍ଡିଆ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ନ ମିଳାଇବାକୁ ନିଷ୍ପତ୍ତି ନେଇଥିଲା । ଏହାକୁ ନେଇ ବିବାଦ ଲାଗିବା ପରେ ପିସିବି ପ୍ରଥମେ ଏସିସି ଏବଂ ପରେ ଆଇସିସି ଦ୍ବାରସ୍ଥ ହୋଇଥିଲା । ପରବର୍ତ୍ତୀ ସମୟରେ ପିସିବି ମ୍ୟାଚ୍ ରେଫରିଙ୍କୁ ହଟାଇବା ପାଇଁ ଦାବି କରିଥିଲା, ଯାହାକୁ ଆଇସିସି ପ୍ରତ୍ୟାଖ୍ୟାନ କରିଛି ।ସେପଟେ ପାକିସ୍ତାନ ୟୁଏଇ ସହିତ ମୁକାବିଲା କରିବ । ଭାରତୀୟ କ୍ରିକେଟ୍ ଦଳ ଗ୍ରୁପ୍ A ରୁ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଆଜିର ପାକିସ୍ତାନ ବନାମ UAE ମ୍ୟାଚ୍ର ବିଜେତା ସୁପର-୪ କୁ ଯିବାରେ ଦ୍ୱିତୀୟ ଦଳ ହେବ, ଏବଂ ପରାଜିତ ଦଳ ବାଦ ଦିଆଯିବ ।