ଭଞ୍ଜନଗର: ଗଞ୍ଜେଇ ସହ ମାରୁତି ଇର୍ଟିଗା ଜବତ, ୩ଗିରଫ

ଭଞ୍ଜନଗର ୧୮/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କନ୍ଧମାଳ ଜିଲ୍ଲାରୁ ଏକ କାର୍ ଯୋଗେ ଭୁବନେଶ୍ୱର କୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଗୁରୁବାର ମାଡି ବସିଛି ଅବକାରୀ ବିଭାଗ। ଅବକାରୀ ଟିମ୍ ଭଞ୍ଜନଗର ବ୍ରହ୍ମପୁର ରାସ୍ତା ବାଉଁଶଲୁଣ୍ଡିର ବାଇପାସ ଛକ ନିକଟରେ ଚଢ଼ାଉ କରି ୪୫ କେଜି ଗଞ୍ଜେଇ ସହ ଏକ କାରକୁ ଜବତ କରିଛି। ଏହି ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ଗଞ୍ଜାମ ଜିଲ୍ଲା କବିସୁର୍ଯ୍ୟନଗର ଥାନା ସାନ୍ତରାପୁରର ପ୍ରଦୀପ ବିଷୟୀ,କୋଦଳା ଥାନା ଦାନପୁର ଗ୍ରାମର ବାବୁଲା ଭୁୟାଁ ଓ ଜଗନ୍ନାଥ ବିଷୋୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଏସଆଇ ଅଲିଭା ମାଝୀ ସୁଚନା ଦେଇଛନ୍ତି।

ସୁଚନାନୁସାରେ, ଗୁରୁବାର ଗିରଫ ତିନି ଜଣ ଏକ ଇର୍ଟିଗା କାର ରେ ଗଞ୍ଜେଇ ଧରି କନ୍ଧମାଳ ଜିଲ୍ଲା ରୁ ଭାୟା ଭଞ୍ଜନଗର ଦେଇ କୋଦଳା ଅଭିମୁଖେ ଆସୁଥିଲେ।ଅବକାରୀ ଟିମ୍ ପେଟ୍ରୋଲିଙ୍ଗ କରୁଥିବା ସମୟରେ କୌଣସି ସୁତ୍ରରୁ ଖବର ପାଇ ଭଞ୍ଜନଗର ଅବକାରୀ ଟିମ୍ ଫୁଲବାଣୀ -ଭଞ୍ଜନଗର-ବ୍ରହ୍ମପୁର ରାସ୍ତା ର ବାଉଁଶଲୁଣ୍ଡି ବାଇପାସ ଛକ ନିକଟରେ ମାରୁତି ଇର୍ଟିଗା କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡି ମଧ୍ୟରୁ ଦୁଇଟି ଜରି ଅଖା ଭର୍ତ୍ତି ଗଞ୍ଜେଇ ବାହାରିଥିଲା। ପରେ ଗଞ୍ଜେଇ କୁ ଜବତ କରି ମାଜିଷ୍ଟ୍ରେଟ ଫକୀର ଜୀବନଜୋତି ନାୟକ ଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା।ଏହି ମାମଲାରେ ଅବକାରୀ ବିଭାଗ ଏକ ମାମଲା ରୁଜ୍ଜୁ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅବକାରୀ ନିରୀକ୍ଷକ ଡମ୍ବରୁଧର ହରିଜନ, ଏସଆଇ ଅଲିଭା ମାଝୀ ଙ୍କ ସମେତ ଅବକାରୀ କର୍ମଚାରୀ ପ୍ରମୁଖ ଚଢାଉରେ ସାମିଲ ଥିଲେ।