ଭୂସ୍ଖଳନ ପରେ କଳିଙ୍ଗା ଘାଟି ମରାମତି ତଦାରଖ କଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର ୨୧/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଲାଇଫଲାଇନ୍ ଭାବେ ପରିଚିତ କଳିଙ୍ଗା ଘାଟିରେ ଭୂସ୍ଖଳନକୁ ଇତିମଧ୍ୟରେ ଛଅ ଦିନ ବିତିଛି। ଯେଉଁ ବାଟ ଦେଇ ପ୍ରତିଦିନ ଶତାଧିକ ଯାନବାହନ ଯାତାୟାତ କରିବା ସହ ଘାଟି ସବୁବେଳେ ଚଳଚଞ୍ଚଳ ଲାଗୁଥିଲା, ଆଜି ସେଠାରେ ନିରବତା ରାଜୁତି କରୁଛି। ଯୁଆଡ଼େ ଦେଖିଲେ ସିଆଡ଼େ କେବଳ ବଡ଼ ବଡ ପଥର ଖଣ୍ଡ ଦିଶୁଛି। ରାସ୍ତା ସଂପୂର୍ଣ୍ଣ ଭାବେ ଧୋଇଯିବା ଯୋଗୁ ଏହି ରାସ୍ତା ଦେଇ ଯାନବାହାନ ଚଳାଚଳ ବନ୍ଦ ରହିଛି।ରବିବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉକ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଯଥାଶୀଘ୍ର କିପରି ପରିସ୍ଥିତିରେ ସୁଧାର ଅଣା ଯାଇ ଯାତାୟତ ସ୍ବାଭାବିକ ହୋଇପାରିବ ସେ ଦିଗରେ ସରକାର ଗୁରୁତ୍ୱ ଦେଉଥିବା ବିଧାୟକ ଶ୍ରୀ ନାୟକ କହିଛନ୍ତି।

ଦକ୍ଷିଣ ଓ ପଶ୍ଚିମ ଓଡିଶାକୁ ସଂଯୋଗ କରିବାରେ ଏହି ଘାଟି ରାସ୍ତାର ବହୁ ଗୁରୁତ୍ୱପୂର୍ଣ ଭୁମିକା ରହିଥିବା ବେଳେ ପ୍ରତିଦିନ ଏହି ରାସ୍ତା ଦେଇ ଛୋଟ ବଡ ଶତାଧିକ ମାଲବାହି ଗାଡି ଠାରୁ ଆରମ୍ଭ କରି ଯାତ୍ରୀବାହୀ ଗାଡି ଯାତାୟତ କରିଥାଏ। ଭୁସ୍ଖଳନ ଫଳରେ ଗମନାଗମନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ ଭୁମିକା ବହନ କରୁଥିବା ଏହି ୧୫୭ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ ଠପ୍ ହୋଇଯାଇଛି।ପୁର୍ବରୁ ଏହି ଘାଟିରେ ମାଟି ଅତଡା ଓ ପଥର ଖସି ରାସ୍ତା ଉପରକୁ ଆସୁଥିବା ବେଳେ ମଙ୍ଗଳବାର ଘଟିଥିବା ଭୁସ୍ଖଳନ ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଦୁଇ ଜିଲ୍ଲାର ବରିଷ୍ଠ ଅଧିକାର ମାନେ ଘଟଣାସ୍ଥଳରେ ପହଞ୍ଚି କାମର ତଦାରଖ କରୁଛନ୍ତି। ବଡ ବଡ ମେସିନ ଯୋଗେ ଭଞ୍ଜନଗର ଓ ଉଦୟଗିରି ପଟର ରାସ୍ତା ଉପରେ ପଡିଥିବା ପଥର ଓ ମାଟି ବାହାର କରାଯାଉଥିବା ଜଣାପଡିଛି।