
ମୁମ୍ବାଇ : ଦିଲ୍ଲୀ ରଣଜୀ ଟ୍ରଫି ଟିମ ପୂର୍ବ ଅଧିନାୟକ ମିଥୁନ ମନହାସ ହୋଇପାରନ୍ତି ବିସିସିଆଇ ଅଧ୍ୟକ୍ଷ । ଜମ୍ମୁ କଶ୍ମୀରରେ ଜନ୍ମିତ ଏହି କ୍ରିକେଟର ବିସିସିଆଇର ନୂଆ ସଭାପତି ହେବା ପାଇଁ ଦୌଡ଼ ଆଗରେ ରହିଛନ୍ତି । ବିସିଆଇ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ ।ଆସନ୍ତା ୨୮ ତାରିଖରେ ବିସିସିଆଇର ବାର୍ଷିକ ସାଧାରଣ ପରିଷଦ ବୈଠକରେ ନୂଆ ସଭାପତି ଭାବେ ତାଙ୍କ ନାମ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ମିଥୁନ ଯଦି ସଭାପତି ହୁଅନ୍ତି ତେବେ ପ୍ରଥମ ଥର ପାଇଁ କୌଣସି ଅନକ୍ୟାପ୍ଡ ଖେଳାଳି ବିସିସିଆଇର ନେତୃତ୍ୱ ନେବେ । ଅର୍ଥାତ୍ ମିଥୁନ ମନହାସ ପ୍ରଥମ କ୍ରିକେଟର ହେବେ ଯିଏ ଅନ୍ତର୍ଜାତୀୟ କ୍ରିକେଟ୍ ନ ଖେଳିବା ସତ୍ତ୍ୱେ ବିସିସିଆଇର ମୁଖ୍ୟ ହେବେ ।ମିଥୁନ ମନହାସ ନିଦ୍ବନ୍ଦ୍ବରେ ନିର୍ବାଚତି ହୋଇପାରନ୍ତି । ସେହିପରି ଦେବଜିତ ସାଇକିଆ ବିସିସିଆଇ ସଚିବ ରହିପାରନ୍ତି ଏବଂ ରାଜୀବ ଶୁକ୍ଲା ଉପାଧ୍ୟକ୍ଷ ହୋଇପାରନ୍ତି । ରାଜୀବ ଶୁକ୍ଲାଙ୍କ କାର୍ଯ୍ୟକାଳ ସରିବା ପରେ ସେ ଅନ୍ତରୀମ ଅଧ୍ୟକ୍ଷ ଭାବେ କାମ କରୁଛନ୍ତି । ଏବେ ରହିଥିବା କୋଷାଧ୍ୟକ୍ଷ ପ୍ରଭତେଜ ଭାଟିଆଙ୍କ ପ୍ରମୋସନ ହୋଇ ସଂଯୁକ୍ତ ସଚିବ ହୋଇପାରନ୍ତି । ରଘୁରାମ ଭଟ୍ଟ କୋଷାଧ୍ୟକ୍ଷ ହେବେ ଏବଂ ଅରୁଣ ଧୁମଲ ଆଇପିଏଲ ଚେୟାରମ୍ୟାନ୍ ହୋଇପାରନ୍ତି ।ମିଥୁନ ମନହାସ ୧୫୭ ପ୍ରଥମ ଶ୍ରେଣୀ ମ୍ୟାଚ୍, ୧୩୦ ଲିଷ୍ଟ ଏ ମ୍ୟାଚ୍ ଏବଂ ୯୧ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ମିଥୁନ ମନହାସ ଘରୋଇ କ୍ରିକେଟରେ ପ୍ରାୟ ୧୫,୦୦୦ ରନ୍ କରିଛନ୍ତି । ମିଥୁନ ମନହାସ ବର୍ତ୍ତମାନ ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନରେ ପ୍ରଶାସକ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ସେ ଦୁଲୀପ ଟ୍ରଫିରେ ଉତ୍ତର ଜୋନ୍ ପାଇଁ ସଂଯୋଜକ ଥିଲେ । ଆଇପିଏଲ ଫ୍ରାଞ୍ଚାଇଜ୍ ଗୁଜରାଟ ଟାଇଟନ୍ସର ସପୋର୍ଟ ଷ୍ଟାଫ୍ ଭାବରେ କାର୍ଯ୍ୟ କରୁଛନ୍ତି । ୪୫ ବର୍ଷୀୟ ମିଥୁନ ରୋଜର ବିନ୍ନିଙ୍କ ସ୍ଥାନ ନେବେ ।