ବେଲଗୁଣ୍ଠା: ସାର ପାଇଁ ମଙ୍ଗଳପୁରରେ ଚାଷୀଙ୍କ ରାସ୍ତାରୋକ

ବେଲଗୁଣ୍ଠା ୨୩/୦୯ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ସାର ଅଭାବ ମେଣ୍ଡୁନି। ସବୁଠି ଦେଖିବାକୁ ମିଳିଛି ଅସନ୍ତୋଷ। ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସେବା ସମବାୟ ସମିତିରେ ଆଗରେ ଚାଷୀଙ୍କ ଲମ୍ବା ଲମ୍ବା ଧାଡ଼ି ଲାଗୁଛି। ଏପରିକି ବସ୍ତାଏ ସାର ପାଇଁ ଚାଷୀ ମାନେ ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହେଉଥିବା ଦେଖିବାକୁ ମିଳୁଛି। କିଛି ସ୍ଥାନରେ ଧାଡ଼ିରେ ରହୁଛି ଆଧାର କାର୍ଡ। ଯେତିକି ସାର ଆସିଛି ତା’ଠାରୁ ଦୁଇଗୁଣ ଅଧିକ ଚାଷୀ ଅପେକ୍ଷା କରୁଛନ୍ତି। ୟୁରିଆ ସାର ପାଇଁ ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ମଙ୍ଗଳବାର ବେଲଗୁଣ୍ଠା ବ୍ଲକ ଜିଲିବା ପ୍ରାଥମିକ ସେବା ସମବାୟ ସମିତିରେ ସାର ମିଳୁନଥିବା ନେଇ ତାତି ଉଠିଛନ୍ତି ଚାଷୀ। ସାର ମିଳିବା ଦାବିରେ ଶତାଧିକ ଚାଷୀ ବେଲଗୁଣ୍ଠା ବାଲିପଦର ରାସ୍ତା ମଙ୍ଗଳପୁର ଛକରେ ରାସ୍ତା ରୋକ କରିଥିଲେ। ଖବର ପାଇ ବେଲଗୁଣ୍ଠା ତହସିଲଦାର ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ସାରା ରାଜ୍ୟରେ ସାରର ଅଭାବ ପରିଲକ୍ଷିତ ହେବାରୁ ଚାଷୀ ନାହିଁ ନଥିବା ଅସୁବିଧାରେ ପଡୁଛି। ରୁଆ ବେଉଷଣ କାମ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏପରି ସମୟରେ ସମବାୟ ସମିତିଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ସାର ନମିଳିବା ଯୋଗୁଁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଲଗାଣ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଥିଲେ ମଧ୍ୟ ଚାଷୀମାନେ ତଳି ରୁଆ ବେଉଷଣ କାମ ଶେଷ କରିଥିଲା। ଏହି ସମୟରେ ସାରର ଆବଶ୍ୟକତା ଥିବାବେଳେ ସେବା ସମବାୟ ସମିତିରେ ସାର ମିଳୁ ନଥିବା ଜଣାପଡ଼ିଛି। ଫଳରେ ଚାଷୀ ହତାଶ ହୋଇ ଅଧିକ ଦରରେ ସାର କିଣୁଛନ୍ତି। ଚଳିତବର୍ଷ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବଢ଼ିଥିବାରୁ ଚାଷପ୍ରତି ଚାଷୀଙ୍କର ଆଗ୍ରହ ବଢ଼ିଥିଲା| ମାତ୍ର ସାରର ଅଭାବ ଚାଷୀଙ୍କୁ ନିରାଶ କରିଛି।ଚାଷୀଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଜିଲିବା ପ୍ୟାକ୍ସରେ ୟୁରିଆ ସାର ବଣ୍ଟନ ହେଉଥିଲା। ହେଲେ ୟୂରିଆ ସାର ଅନୁସାରେ ଅଧିକ ଚାଷୀ ରହିଥିଲେ।ସମିତିରେ ପ୍ରାୟ ୫୦୦ ବସ୍ତା ସାର ଗଚ୍ଛିତ ଥିବା ବେଳେ ୭୦୦ରୁ ଅଧିକ ଚାଷୀ ଜମା ହୋଇଥିଲେ | ଫଳରେ ସମିତି ସମ୍ମୁଖରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ପରେ ଶତାଧିକ ଚାଷୀ ବେଲଗୁଣ୍ଠା ବାଲିପଦର ରାସ୍ତା ମଙ୍ଗଳପୁର ଛକରେ ରାସ୍ତା ଅବରୋଧ କରିଥିଲେ।ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ବେଲଗୁଣ୍ଠା ଥାନା ଅଧିକାରିଣୀ ରେବତୀ ଶବର ଓ ଏସଡିପିଓ ଡ଼ ଦିପକ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରିଥିଲେ। ପରେ ରାସ୍ତାରୋକ ପ୍ରତ୍ୟାହୃତ ହେବା ସହ ଚାଷୀଙ୍କୁ ସାର ବଣ୍ଟନ କରାଯାଇଥିଲା।