ପରଲୋକରେ କିମ୍ବଦନ୍ତୀ ଅମ୍ପାୟାର ଡିକି ବାର୍ଡ, ଅନୀଲ କୁମ୍ବଲେଙ୍କ ସମେତ ବହୁ କ୍ରିକେଟର କରିଛନ୍ତି ଶୋକ ବ୍ୟକ୍ତ

ପରଲୋକରେ କିମ୍ବଦନ୍ତୀ ଅମ୍ପାୟାର ଡିକି ବାର୍ଡ। ୟର୍କସାୟାର କାଉଣ୍ଟି କ୍ରିକେଟ କ୍ଲବ ପକ୍ଷରୁ ଡିକି ବାର୍ଡଙ୍କ ମୃତ୍ୟୁ ସମ୍ପର୍କରେ ଘୋଷଣା କରାଯାଇଛି। ନିରପେକ୍ଷ ଓ ନିର୍ବିବାଦୀୟ ଅମ୍ପାୟରିଂ ଯୋଗୁଁ କ୍ରୀଡା ଜଗତରେ ଲୋକପ୍ରିୟତା ହାସଲ କରିଥିବା ଡିକି ବାର୍ଡଙ୍କୁ ମୃତ୍ୟୁ ବେଳକୁ ୯୨ ବର୍ଷ ହୋଇଥିଲା । ୧୯୩୩ ମସିହାରେ ଇଂଲଣ୍ଡର ୟର୍କସାୟାରରେ ଜନ୍ମିତ ଡିକି ବାର୍ଡ ନିଜେ ମଧ୍ୟ ଜଣେ କ୍ରିକେଟ ଖେଳାଳି ଥିଲେ। ୟର୍କସାୟାର ଓ ଲିସେଷ୍ଟରସାୟାର ପକ୍ଷରୁ ବ୍ୟାଟ୍ସମ୍ୟାନ ଭାବେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିବା ଡିକି ବାର୍ଡ ଆହତ ହେବାରୁ କ୍ରିକେଟ ଖେଳି ପାରିନଥିଲେ। ତେବେ କ୍ରିକେଟ ପ୍ରତି ତାଙ୍କ ଭଲ ପାଇବା ତାଙ୍କୁ ଅମ୍ପାୟାରିଂରେ ନୂଆ ଇନିଂସ ଆରମ୍ଭ କରିବାକୁ ପ୍ରୋତ୍ସାହିତ କରିଥିଲା। ୧୯୭୩ ମସିହାରୁ ସେ ଆନ୍ତର୍ଜାତିକ କ୍ରିକେଟରେ ଅମ୍ପାୟାରିଂ ଆରମ୍ଭ କରିଥିଲେ।୧୯୯୬ ମସିହା ପର୍ଯ୍ୟନ୍ତ ଆନ୍ତର୍ଜାତିକ କ୍ରିକେଟରେ ଅମ୍ପାୟାରିଂ କରି ସେ ବିଶ୍ୱ କ୍ରିକେଟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଏହି ସମୟ ମଧ୍ୟରେ ଡିକି ବାର୍ଡ ତିନିଟି ବିଶ୍ୱକପ୍ ସହ ୬୬ଟି ଟେଷ୍ଟ ମ୍ୟାଚ ଓ ୬୯ଟି ଆନ୍ତର୍ଜାତିକ ଦିନିକିଆ ମ୍ୟାଚରେ ଅମ୍ପାୟାରିଂ କରିଥିଲେ। କ୍ରିକେଟ ପଡିଆରେ ନିଜ ମଜାଳିଆ ସ୍ୱଭାବ ଓ ଆଚରଣ ପାଇଁ ପ୍ରସିଦ୍ଧି ଲାଭ କରିଥିବା ଡିକି ବାର୍ଡ ଦର୍ଶକମାନଙ୍କ ମଧ୍ୟରେ ମଧ୍ୟ ବେଶ ଲୋକପ୍ରିୟ ଥିଲେ। ୧୯୮୩ ମସିହାରେ ଖେଳା ଯାଇଥିବା ଭାରତ- ୱେଷ୍ଟଇଣ୍ଡିଜ ବିଶ୍ୱକପ ଫାଇନାଲ ମ୍ୟାଚରେ ଡିକି ବାର୍ଡ ଅମ୍ପାୟାରିଂ କରିଥିଲେ। ୧୯୯୬ ମସିହାରେ ଲର୍ଡସରେ ଖେଳା ଯାଇଥିବା ଇଂଲଣ୍ଡ- ଭାରତ ମ୍ୟାଚରେ ଅମ୍ପାୟାରିଂରୁ ଅବସର ନେଇଥିଲେ । ଏହି ମ୍ୟାଚରେ ତାଙ୍କୁ ଦର୍ଶକ ଓ ଖେଳାଳିମାନେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। କ୍ରିକେଟରୁ ଅବସର ନେବା ପରେ ସେ ନିଜ ଆତ୍ମଜୀବନୀ ବିୟଣ୍ଡ ଦ ବାଉଣ୍ଡ୍ରି ଲେଖିଥିଲେ। କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏହା ଆଜି ବି ବେଶ ଲୋକପ୍ରିୟ ରହିଛି । ୨୦୧୪ ମସିହାରେ ୟର୍କସାୟାର କାଉଣ୍ଟି କ୍ରିକେଟ କ୍ଲବ ତାଙ୍କୁ ସଭାପତି ଭାବେ ମନୋନୀତ କରିଥିଲା। ଡିକି ବାର୍ଡଙ୍କ ମୃତ୍ୟୁରେ ଅନୀଲ କୁମ୍ବଲେଙ୍କ ସମେତ ବହୁ କ୍ରିକେଟର ଶୋକ ବ୍ୟକ୍ତ କରିଛନ୍ତି ।