ମୟୂରଭଞ୍ଜରେ ହେବ ନୂଆ ଆୟୁର୍ବେଦିକ କଲେଜ, ଖର୍ଚ୍ଚ ହେବ ୮୫ କୋଟି ଟଙ୍କା

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରେ ହେବ ନୂଆ ଆୟୁର୍ବେଦିକ କଲେଜ। ଖର୍ଚ୍ଚ ହେବ ୮୫ କୋଟି ଟଙ୍କା । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ଆୟୁର୍ବେଦ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଆୟୁର୍ବେଦ ହେଉଛି ସାରା ବିଶ୍ବକୁ ଭାରତର ଏକ ଅମୂଲ୍ୟ ଅବଦାନ। ଏହା ଜୀବନର ଏକ ଧାରା । ଆମ ଉଦ୍ଦେଶ୍ୟ ହେଉଛି ଆୟୁର୍ବେଦକୁ କେବଳ ଏକ ଚିକିତ୍ସା ପ୍ରଣାଳୀ ନୁହେଁ ବରଂ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଆମର ଜ୍ଞାନ ଓ ଦାର୍ଶନିକ ଦୃଷ୍ଟିକୋଣକୁ ଉପସ୍ଥାପିତ କରିବା ।ଚଳିତବର୍ଷ ଆଉ ୮ଟି ନୂତନ ପଞ୍ଚକର୍ମ କେନ୍ଦ୍ର ନିର୍ମାଣ କରାଯିବ ବୋଲି ଏହି ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ବରରେ ୩ଟି ଇଣ୍ଟିଗ୍ରେଟେଡ୍ ଆୟୁଷ ହସ୍ପିଟାଲ ନିର୍ମାଣ ଚାଲିଛି । ଆୟୁଷ ଚିକିତ୍ସା ପଦ୍ଧତି ଜରିଆରେ ଅଧିକ ଲୋକଙ୍କୁ ଉଚ୍ଚମାନର ସେବା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।