
ଭୁବନେଶ୍ବର: ରାଜ୍ୟରେ ନିଯୁକ୍ତି ପରୀକ୍ଷା ପାଇଁ ଆସିଲା ଏସଓପି । ଏଆଇ ଜରିଆରେ ପରୀକ୍ଷା ପରିଚାଳନାର ତଦାରଖ କରାଯିବ । ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟ ବିଭ୍ରାଟ ରୋକିବାକୁ ଜାରି ହୋଇଛି ମାର୍ଗଦର୍ଶିକା । ନୂଆ ଗାଇଡ ଲାଇନ ମୁତାବକ ସମସ୍ତ ପ୍ରଶ୍ନ ପତ୍ର ସରକାରୀ ସ୍ବୀକୃ ପ୍ରାପ୍ତ ପ୍ରେସରେ ମୁଦ୍ରଣ କରାଯିବ । ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ତତ୍ବବଧାନରେ ମୁଦ୍ରଣ ହେବ ।ପ୍ରଶ୍ନପତ୍ର ଏବଂ ଓଏମ୍ ଆର୍ ସିଟ୍ ର ଗୋପନୀୟ ମୁଦ୍ରଣ, ବାରକୋଡିଂ, ପ୍ୟାକେଜିଂ ଏବଂ ଟ୍ରେଜେରୀ ସ୍ତରରେ ପ୍ରଶ୍ନପତ୍ରର ସୁରକ୍ଷା ନେଇ ଜାରି ହୋଇଛି ଏସଓପି । ପରୀକ୍ଷାର ପ୍ରତ୍ୟେକ ପର୍ଯ୍ୟାୟ ବରିଷ୍ଠ ସରକାରୀ ଏବଂ ପୋଲିସ ଅଧିକାରୀଙ୍କ ତଦାରଖରେ ରହିବ । ଲିକ୍ ରୋକିବାକୁ ପ୍ରଶ୍ନପତ୍ର ମୁଦ୍ରଣ ପରେ ଅବଶିଷ୍ଟ ସାମଗ୍ରୀକୁ ନଷ୍ଟ କରାଯିବ ।ସରକାର ୧.୫ ଲକ୍ଷରୁ ଅଧିକ ପଦବୀ ପାଇଁ ନିଯୁକ୍ତି ପରୀକ୍ଷାକୁ ତ୍ରୁଟିମୁକ୍ତ ଏବଂ ସ୍ୱଚ୍ଛତା ନିଶ୍ଚିତ କରିବା ଲକ୍ଷ୍ୟରେ, ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାରଙ୍କ ତରଫରୁ ଜାରି ହୋଇଛି ଏସଓପି । ଏହା ସମସ୍ତ ବିଭାଗ, ନିଯୁକ୍ତି ବୋର୍ଡ ଏବଂ ଜିଲ୍ଲା ପ୍ରଶାସନ ପାଇଁ ପ୍ରଯୁଜ୍ୟ। ସୁରକ୍ଷିତ ଅନଲାଇନ ପରୀକ୍ଷା ପାଇଁ ଏନକ୍ରିପ୍ଟେଡ୍ ପ୍ଲାଟଫର୍ମ, ବ୍ରାଉଜର ଲକଡାଉନ ଟେକ୍ନୋଲୋଜି ବ୍ୟବହାର ହେବ। ଆଖିର ଗତିବିଧି, ସ୍କ୍ରିନ ସୁଇଚିଂ ଏବଂ ସନ୍ଦେହଜନକ ଆଚରଣ ନିରୀକ୍ଷଣ ପାଇଁ ଉନ୍ନତ ଏଆଇ ବ୍ୟବହାର କରାଯିବ। ସବୁ ପରୀକ୍ଷା କେନ୍ଦ୍ରଗୁଡିକ ଏକ ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ ସେଣ୍ଟରର ନିରୀକ୍ଷଣରେ ରହିବ।