
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍), ଅନୁପମ ଖେର ଷ୍ଟୁଡିଓ ସହଭାଗିତାରେ ବ୍ରହ୍ମପୁରସ୍ଥିତ ଗୌତମ ସିନେମା ହଲରେ ‘ତନଭି ଦି ଗ୍ରେଟ୍’ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମର ଆୟୋଜନ କରିଛି । ସ୍ନାୟୁ ବିବିଧତା ତଥା ଅଟିଜିମ୍ ଦ୍ୱାରା ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ସପକ୍ଷରେ ସମାଜରେ ଗ୍ରହଣୀୟତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।କାର୍ଯ୍ୟକ୍ରମରେ ସ୍ନାୟୁବିବିଧ ତଥା ଅଟିଜିମ୍ ଶିଶୁ, ସେମାନଙ୍କ ଯତ୍ନ ନେଉଥିବା ବ୍ୟକ୍ତି ବିଶେଷ, ଶିକ୍ଷାବିତ୍, ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଏନଜିଓ, ସରକାରୀ କର୍ମଚାରୀ ଓ ଅଞ୍ଚଳର ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ । ୬୦୦ରୁ ଅଧିକ ଦର୍ଶକ ଏହି ଚଳଚ୍ଚିତ୍ରକୁ ଦେଖିଥିବା ବେଳେ ଟିପିଏସ୍ଓଡିଏଲର ଏଭଳି ଉଦ୍ୟମକୁ ସେମାନେ ଉଚ୍ଚ ପ୍ରଶଂସା କରିଥିଲେ ।କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ, ସମସ୍ତ ବରିଷ୍ଠ ଅଧିକାରୀ, ସରକାରୀ ଅଧିକାରୀ, ଟାଟା ଷ୍ଟିଲ ଫାଉଣ୍ଡେସନ, ସର୍ବଶିକ୍ଷା ଅଭିଯାନ ଓ ଅନ୍ୟ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ସାମିଲ ଥିଲେ । ଏକ ସମାବେଶୀ ସମାଜ ଗଠନ ଦିଗରେ ଏହି ପଦକ୍ଷେପ କମ୍ପାନୀର ଦୃଢ଼ ପ୍ରତିବଦ୍ଧତାକୁ ପ୍ରମାଣ କରୁଛି ବୋଲି ଅଧିକାରୀମାନେ ମତ ରଖିଥିଲେ ।କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନେ । ବହୁସଂଖ୍ୟାରେ ପିଲାମାନେ ଏହି ଚଳଚ୍ଚିତ୍ର ଦେଖିବା ସହ ଅଟିଜିମ୍ ସମ୍ପର୍କରେ ସଚେତନ ହୋଇଥିଲେ । ଏଭଳି ହେବା ଦ୍ଵାରା ପିଲାମାନେ ଛୋଟ ବେଳୁ ସହଭାଗିତା ଓ ଅନ୍ତର୍ଭୁକ୍ତୀକରଣର ମୂଲ୍ୟବୋଧ କୁ ବୁଝିପାରିବେ ।ଟିପିଏସ୍ଓଡିଏଲ୍ ବିଦ୍ୟୁତ ବିତରଣ ଦାୟିତ୍ୱରୁ ଆଗକୁ ବଢ଼ି ସାମାଜିକ ଅନ୍ତର୍ଭୁକ୍ତୀକରଣ ସମେତ ଏକ ସହାନୁଭୂତିଶୀଳ ସଂପ୍ରଦାୟ ଗଠନ ଉପରେ ଧ୍ୟାନ ଦେଉଛି । ଯେଉଁମାନେ ଭିନ୍ନ, ସେମାନେ ଆମଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି – ଏହି ବାର୍ତ୍ତାର ପ୍ରଚାର କରି ସମାଜର ବିବିଧତା ଓ ସ୍ୱତନ୍ତ୍ରତାକୁ ପାଳନ କରିବା ଉପରେ କମ୍ପାନୀ ଗୁରୁତ୍ୱ ଦେଉଛି ।