
କଟକ : ଐତିହାସିକ କଟକ ବାଲିଯାତ୍ରା ୨୦୨୫ ପାଇଁ ଆସନ୍ତାକାଲି ଠାରୁ ଷ୍ଟଲ ବୁକିଂ କରି ପାରିବେ ବ୍ୟବସାୟୀ । ଚଳିତ ବର୍ଷ ନଭେମ୍ବର ୫ ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ କଟକ ବାଲିଯାତ୍ରା । ବାଲିଯାତ୍ରାରେ ସୁରୁଖୁରୁରେ ଷ୍ଟଲ ବଣ୍ଟନ ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।ଚଳିତ ବର୍ଷ କେବଳ ତଳ ବାଲିଯାତ୍ରା ପଡିଆରେ ବାଲିଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ତଳ ପଡ଼ିଆର ୬୦ ଏକର ପରିମିତ ଜାଗାରେ ବ୍ୟବସାୟୀଙ୍କ ପାଇଁ ୧୬୭୦ ଟି ଷ୍ଟଲ ନିର୍ମାଣ ହେଉଛି। ଏହି ସମସ୍ତ ଷ୍ଟଲ ନିଲାମ ହେବ। ଏହା ବ୍ୟତୀତ ଓରମାସ ଏବଂ ଅନ୍ୟାନ୍ୟ ସରକାରୀ ଷ୍ଟଲ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।ବ୍ୟବସାୟୀଙ୍କ ପାଇଁ ବାଲିଯାତ୍ରା ପ୍ଲଟ ଆବଣ୍ଟନ କେବଳ ନିଲାମ ମାଧ୍ୟମରେ କରାଯିବ। http://cuttack.odisha.gov.in ୱେବସାଇଟରେ ରହିଛି ସଂପୂର୍ଣ୍ଣ ବିବରଣୀ ଉପଲବ୍ଧ ହେଉଛି। ଜଣେ ବ୍ୟକ୍ତି ବା ଅନୁଷ୍ଠାନ ସର୍ବାଧିକ ୩ ଟି ପ୍ଲଟ ପାଇଁ ଆବେଦନ କରି ପାରିବେ।ପ୍ଲଟ ନିଲାମ ପ୍ରକ୍ରିୟା ସର୍ବନିମ୍ନ ବର୍ଗଫୁଟ ପ୍ରତି ୫୦ ଟଙ୍କା ରହିଥିବା ବେଳେ ନିଲାମ ବେଳେ ପାଞ୍ଚ ଟଙ୍କା ବା ପାଞ୍ଚ ଟଙ୍କାର ଗୁଣିତକ ଭାବେ ବୃଦ୍ଧି କରାଯିବ। ଅକ୍ଟୋବର ୧୩ ତାରିଖରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ବୋଲି କଟକର ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଦିବ୍ୟଲୋଚନ ମହନ୍ତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।