ଏଥର ପୂଜା ମଣ୍ଡପ ବୁଲିବା ହେବ ସହଜ, କମିଶନରେଟ ପୋଲିସ ଲଞ୍ଚ କରିବ ମୋବାଇଲ ଆପ୍ଲିକେସନ

ଭୁବନେଶ୍ୱର : ଏଥର ପୂଜା ମଣ୍ଡପ ବୁଲିବା ହେବ ସହଜ । କମିଶନରେଟ ପୋଲିସ ଲଞ୍ଚ କରିବାକୁ ଯାଉଛି ମୋବାଇଲ ଆପ୍ଲିକେସନ । ପୂଜା ମଣ୍ଡପ ବାଟ ଦେଖାଇବ ଏହି ଆପ । ଯାହାକୁ ବ୍ୟବହାର କରି ଯେ କେହି ବି ରାଜଧାନୀର ବିଭିନ୍ନ ପୁଜା ମଣ୍ଡପ ବୁଲିପାରିବ । ଆପ୍ଲିକେସନରେ ମିଳିବ ନିକଟବର୍ତ୍ତୀ ପୁଜା ମଣ୍ଡପର ଲୋକେସନ। ଭିଡ଼ରେ ନଯାଇ ଆପ୍ଲିକେସନ ଦେଖାଇବ ସହଜ ଓ ସର୍ଟକଟ ବାଟ । ପୁଜା ମଣ୍ଡପର ପାର୍କିଂ ସ୍ଥଳ ସହ ଶୌଚାଳୟର ସୁବିଧା ସହ ସୁଚନା କେନ୍ଦ୍ରକୁ ଯିବାକୁ ମଧ୍ୟ ଲୋକେସନ ମିଳିବ ।ଏପରିକି ଚୋରି ଓ ଛିନତାଇର ଶିକାର ହେଲେ ମଧ୍ୟ ତୁରନ୍ତ ରିପୋର୍ଟ କରିବାକୁ ରହିବ ସୁବିଧା। କେବଳ ସେତିକି ନୁହେଁ ସିସିଟିଭି ନଜରରେ ରହିବ ପୂଜା ପେଣ୍ଡାଲ ଓ ମେଲୋଡି ଓ ମୀନା ବଜାର ଭଳି ସ୍ଥାନ। ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପକୁ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ରହିଛି। ମହିଳାଙ୍କ ସୁରକ୍ଷା ନିମନ୍ତେ ପୂଜା ପେଣ୍ଡାଲ ଠାରୁ ଏକ କିଲୋମିଟର ପର୍ଯ୍ୟନ୍ତ ଲାଇଟ୍ ଲଗାଇବାର ବ୍ୟବସ୍ଥା ସହ ଭଲ୍ୟୁଣ୍ଟରଙ୍କୁ ନିୟୋଜିତ ହେବେ ।ଅନ୍ୟପଟେ ଟ୍ରାଫିକରୁ ବର୍ତ୍ତିବା ପାଇଁ ପୋଲିସ ପକ୍ଷରୁ ଏକ ଆଡଭାଇଜାରି ଜାରି କରାଯିବ । କେଉଁ କେଉଁ ପୂଜା ମଣ୍ଡପ ପାଇଁ କେଉଁ ବାଟେ ସାଧାରଣ ଲୋକ ଯିବେ ସେ ନେଇ ନିର୍ଦ୍ଦେଶାବଳୀ ରହିବ। ତେବେ ପୂଜା ସମୟରେ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଆଗୁଆ ଗିରଫଦାରୀ ହୋଇଛି। କିଛି ପେଷାଦାର ଅପରାଧୀଙ୍କୁ ୧୧୦ ଓ ବିଭିନ୍ନ ମାମଲାରେ ମଧ୍ୟ ଗିରଫ କରି କୋର୍ଟକୁ ପଠାଉଛି ପୋଲିସ ।