
ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଟିମରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ସିରିଜ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ଉପ ଅଧିନାୟକ ଦାୟିତ୍ବ ମିଳିଛି । ଟିମକୁ ଫେରିଛନ୍ତି ଦେବଦତ୍ତ ପାଡ୍ଡିକିଲ । ସେହିପରି ଇଂଲଣ୍ଡ ଗସ୍ତ ବେଳେ କରୁଣ ନାୟରଙ୍କୁ ସ୍ଥାନ ମିଳିଥିଲା, କିନ୍ତୁ ଏଥର ତାଙ୍କୁ ବାଦ୍ ଦିଆଯାଇଛି ।ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ ଅକ୍ଟୋବରରୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ସେହିପରି ଦ୍ବିତୀୟ ଟେଷ୍ଟ ମ୍ୟାଚ ୧୦ ଅକ୍ଟୋବରରେ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ ।ରିଷଭ ପନ୍ତଙ୍କ ଆହତଜନିତ ସମସ୍ୟା ଯୋଗୁଁ ଟିମରେ ସ୍ଥାନ ମିଳିନି । ପନ୍ତ ତାଙ୍କ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ଏହି ଟେଷ୍ଟ ସିରିଜ୍ ପାଇଁ ଚୟନ ଦୌଡ଼ରୁ ବାଦ ଦିଆଯାଇଛି । ପନ୍ତଙ୍କ ପାଦରେ ଲାଗିଥିବା ଆଘାତ ସଂପୂର୍ଣ୍ଣ ଭାବେ ଠିକ୍ ହୋଇନାହିଁ । ଏଥିପାଇଁ ସେ ଏସିଆ କପରେ ଖେଳିପାରିନଥିଲେ । ଏବେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରୁ ମଧ୍ୟ ବାଦ୍ ପଡିଛନ୍ତି ।ପନ୍ତ ଏବେ ବେଙ୍ଗାଲୁରୁ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଆଘାତ ଯୋଗୁଁ ରିହାବିଲିଟେସନରେ ରହିଛନ୍ତି । କିନ୍ତୁ ସେ ଯାଏଁ ବ୍ୟାଟିଂ ଏବଂ ୱିକେଟକିପିଂରେ ଅଭ୍ୟାସ କରିନାହାନ୍ତି ।ଭାରତୀୟ ଟେଷ୍ଟ ଟିମ୍ : ଶୁବମନ ଗିଲ୍(ଅଧିନାୟକ), ଯଶସ୍ବୀ ଜୟସୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକିଲ୍ଲ, ଧ୍ରୁବ ଜୁରେଲ (ୱିକେଟ କିପର), ରବିନ୍ଦ୍ର ଜାଡେଜା ( ଉପଅଧିନାୟକ), ୱାଂଶିଟନ ସୁନ୍ଦର, ଜସପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ଏନ ଜଗଦୀଶନ(ୱିକେଟକପିର), ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ ।