ହ୍ୱାଟ୍ସଆପରେ ଅଭିଯୋଗ କରିପାରିବେ କନ୍ଧମାଳବାସୀ, ଯିବାକୁ ପଡ଼ିବନି ପୋଲିସ୍ ଷ୍ଟେସନ୍

କନ୍ଧମାଳ: ଲୋକଙ୍କ ସୁରକ୍ଷା ଓ ତୁରନ୍ତ ସେବା ପହଞ୍ଚାଇବା ପାଇଁ କନ୍ଧମାଳ ପୋଲିସ୍ ଆରମ୍ଭ କରିଛି ମୋବାଇଲ ସେବା ସାଥି ଆପ୍ । ଏହି ସାଥି ଆପ୍ ଦ୍ବାରା ହ୍ୱାଟ୍ସଆପ୍ ନମ୍ୱରରେ ଯେ କେହି ବି ଜିଲ୍ଲାର ଯେକୌଣସି ସ୍ଥାନରେ ରହି ପୋଲିସକୁ ଅଭିଯୋଗ କରିପାରିବେ । ଅପରାଧର ସୀମା ଦିନକୁ ଦିନ ବଢ଼ି ଚାଲିଛି । ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ସବୁବେଳେ ତତ୍ପର ରହୁଛି । ଭିନ୍ନ ଭିନ୍ନ ଟିମ୍ ଗଠନ କରି ଅପରାଧୀଙ୍କୁ ଧରିବା ସବୁବେଳେ ଚେଷ୍ଟାରତ ପୋଲିସ । ତେବେ ପୋଲିସକୁ ଅପରାଧୀଙ୍କ ବିଷୟରେ ସୂଚନା ଦେବା କିମ୍ବା ନିଜ ସମସ୍ୟାକୁ ନେଇ ଅଭିଯୋଗ କରିବାକୁ ଚାହୁଁଥିଲେ ଆପଣଙ୍କୁ ଆଉ ପୋଲିସ ଷ୍ଟେସନ୍ ଯିବାକୁ ପଡ଼ିବ ନାହିଁ । ଘରେ ବସି ଆପଣ ନିଜ ମୋବାଇଲରେ ହିଁ ଅଭିଯୋଗ କରିପାରିବେ ।ଜନସାଧାରଣଙ୍କ ସୁରକ୍ଷାକୁ ନଜରରେ ରଖି ଏହି ସାଥି ଆପର ଶୁଭ ଉଦଘାଟନ କରିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର । କନ୍ଧମାଳ ଏସପି ହରିଶ୍ ବିଶିଙ୍କ ଏଭଳି ନିଆରା ପ୍ରୟାସକୁ ଭୁୟସି ପ୍ରଶସାଂ କରିବା ସହ କନ୍ଧମାଳ ବାସୀଙ୍କ ନିକଟରେ ଏହି ସେବା କିପରି ଗଣ ମାଧ୍ୟମ ଜରିଆରେ ପହଞ୍ଚିବ ସେଥିପାଇଁ ଚେଷ୍ଟା କରାଯାଇଛି ।ଲୋକଙ୍କ ସମସ୍ୟାକୁ କେମିତି ସହଜରେ ସମାଧାନ କରାଯାଇ ପାରିବ ସେନେଇ ଆରମ୍ଭ ହୋଇଛି ଏହି ଆପ୍ । ତେବେ କନ୍ଧମାଳ ପୋଲିସର ଏଭଳି ପ୍ରୟାସକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।