
ହାଇଦ୍ରାବାଦ: ଟେଲି-ଯୋଗାଯୋଗ ଭିତ୍ତିଭୂମିକୁ ବ୍ୟାପକ କରିବା ଉଦ୍ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) ଓଡ଼ିଶା ଗସ୍ତ ସମୟରେ ଝାରସୁଗୁଡ଼ାରେ BSNLର ‘ସ୍ବଦେଶୀ’ 4G ଷ୍ଟାକ୍ ଉଦଘାଟନ କରିଛନ୍ତି । ଏହାସହିତ ଭାରତ ଏବେ ଟେଲିକମ୍ ଉପକରଣ ନିର୍ମାଣ କରୁଥିବା ଦେଶଗୁଡ଼ିକ କ୍ଲବ୍ରେ ପ୍ରବେଶ କରିଛି । ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL)ର ରୌପ୍ୟ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଟେଲିକମ୍ ସେବା ପ୍ରଦାନକାରୀଙ୍କ 92,600ଟି 4G ପ୍ରଯୁକ୍ତିବିଦ୍ୟା ସାଇଟ୍ ସମେତ 97,500ରୁ ଅଧିକ ମୋବାଇଲ୍ 4G ଟାୱାର ମଧ୍ୟ କାର୍ଯ୍ୟକ୍ଷମ କରିଛନ୍ତି ।ଏହି ଟାୱାରଗୁଡ଼ିକ 37,000 କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ଭାବେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ‘ସ୍ବଦେଶୀ’ 4G ଷ୍ଟାକ୍ର ଶୁଭାରମ୍ଭ ଦ୍ବାରା ଭାରତ ଡେନମାର୍କ, ସ୍ବିଡେନ, ଦକ୍ଷିଣ କୋରିଆ ଏବଂ ଚୀନ ଭଳି ଦେଶମାନଙ୍କ ମଧ୍ୟରେ ପ୍ରବେଶ କରିଛି, ଯେଉଁମାନେ ସ୍ବଦେଶୀ ଟେଲିକମ୍ ଉପକରଣ ନିର୍ମାଣ କରନ୍ତି । ସାରା ଦେଶରେ ସ୍ବଦେଶୀ 4ଜି ନେଟୱର୍କ ରୋଲଆଉଟ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣର ପରିବର୍ତ୍ତନଶୀଳ ପଦକ୍ଷେପକୁ ଦର୍ଶାଉଛି ।
ଏହି ଶୁଭାରମ୍ଭ ସହିତ ଓଡ଼ିଶାର 2472ଟି ଗ୍ରାମ ସମେତ ଦୂରଦୂରାନ୍ତ, ସୀମାନ୍ତ ଏବଂ ଅପହଞ୍ଚ ଅଞ୍ଚଳର 26,700ରୁ ଅଧିକ ଗ୍ରାମ କନେକ୍ଟିଭିଟି ପାଇପାରିବେ । ଏହା 20 ଲକ୍ଷରୁ ଅଧିକ ନୂତନ ଗ୍ରାହକଙ୍କୁ ସେବା ଯୋଗାଇବ । ଏହି ଟାୱାରଗୁଡ଼ିକ ସୌରଶକ୍ତି ଚାଳିତ, ଯାହା ସେମାନଙ୍କୁ ଭାରତର ସର୍ବବୃହତ ସବୁଜ ଟେଲିକମ୍ ସାଇଟ୍ କ୍ଲଷ୍ଟର କରିଥାଏ ଏବଂ ସ୍ଥାୟୀ ଭିତ୍ତିଭୂମିରେ ଏକ ପଦକ୍ଷେପ ଆଗକୁ ବଢାଇଥାଏ । ଏହି 4ଜି ସେବା ପରବର୍ତ୍ତୀ ସମୟରେ 5G, ଏପରିକି 6Gକୁ ମଧ୍ୟ ଅପଗ୍ରେଡ୍ ହୋଇପାରିବ ।ମୋଦିଙ୍କ ବାର୍ତ୍ତା: ନିର୍ଭରଶୀଳତାରୁ ନେତୃତ୍ବ ପର୍ଯ୍ୟନ୍ତପ୍ରଧାନମନ୍ତ୍ରୀ ମୋଦି ଜନତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଏହା ଓଡ଼ିଶା ସମେତ ଭାରତର ଦୂରସଞ୍ଚାର ସେବା ଲାଗି ଏକ ମହତ୍ତ୍ବପୂର୍ଣ୍ଣ ମୁହୂର୍ତ୍ତ । ସେ କହିଛନ୍ତି, “ଭାରତର କମ୍ପାନୀଗୁଡ଼ିକ ଆମକୁ ସେହି ସ୍ଥାନରେ ପହଞ୍ଚାଇଛନ୍ତି, ଯେଉଁ ଦେଶଗୁଡ଼ିକ 4G ସେବାକୁ ସଶକ୍ତ କରିବା ଲାଗି ସ୍ବଦେଶୀ ଜ୍ଞାନକୌଶଳର ବ୍ୟବହାର କରିଛନ୍ତି । BSNL ଯୋଗୁଁ ଭାରତ ଏବେ ବିଶ୍ବସ୍ତରୀୟ ଟେଲିକମ ଉତ୍ପାଦନ କେନ୍ଦ୍ରରେ ସାମିଲ ହେବାକୁ ଅଗ୍ରସର ହେଉଛି । ଏକଦା ସୀମାବର୍ତ୍ତୀ ଅଞ୍ଚଳ ଓ ଅପହଞ୍ଚ ଅଞ୍ଚଳଗୁଡ଼ିକରେ ହାଇସ୍ପିଡ୍ ଇଣ୍ଟରନେଟ୍ ସ୍ବପ୍ନ ପାଲଟିଥିଲା, କିନ୍ତୁ ଏବେ ଏହାଦ୍ବାରା ବେଶ ଉପକୃତ ହେବେ । ଆମ ବୀର ଯବାନମାନେ ମଧ୍ୟ ଏବେ ସୁରକ୍ଷିତ ଇଣ୍ଟରନେଟ୍ ସେବାର ବ୍ୟବହାର କରିପାରିବେ ।”ମୋଦି ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ବିଶ୍ବରେ 2G, 3G ଓ 4G ଆରମ୍ଭ ହୋଇାରିଥିଲା, ସେତେବେଳେ ଆମ ଦେଶ ଭାରତ ବହୁ ପଛରେ ଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଥଟ୍ଟାମଜା ସମ୍ପର୍କରେ ମଧ୍ୟ ଆମେ ସମସ୍ତେ ଅବଗତ । ମାତ୍ର ଆଜି BSNL ଆଜି ଏହା ଗର୍ବର ବିଷୟ ପାଲଟିଛି, କାରଣ କମ୍ପାନୀ ସ୍ବଦେଶୀ 4ଜି ଟେକ୍ନୋଲୋଜିକୁ ବିକଶିତ କରିଛି ।ଗ୍ରାମୀଣ ବିକାଶ ଓ ଡିଜିଟାଲ ସମାବେଶନଦଶନ୍ଧି ଧରି ଭାରତରେ ଥିବା ଦୂରସଞ୍ଚାର ଭିତ୍ତିଭୂମି କେବଳ ଲାଭ ଦେଉଥିବା ସହରାଞ୍ଚଳ ଉପରେ ଧ୍ୟାନ କେନ୍ଦ୍ରିତ କରୁଥିଲା । ଏହାଦ୍ବାରା ଗ୍ରାମାଞ୍ଚଳ, ସୀମାବର୍ତ୍ତୀ ଅଞ୍ଚଳ, ଦ୍ବୀପ, ବିବାଦୀୟ ଅଞ୍ଚଳ ପ୍ରଭାବିତ ହେଉଥିଲା । ମାତ୍ର ଏହି ସ୍ବଦେଶୀ 4ଜି ନେଟୱର୍କ ଦ୍ବାରା ଏହି ଦୂରତାର ଅନ୍ତ ଘଟିବାକୁ ଯାଉଛି ।
ଶିକ୍ଷା: ଗ୍ରାମାଞ୍ଚଳରେ ଥିବା ଛାତ୍ରଛାତ୍ରୀ ଏବେ ଅନଲାଇନ କ୍ଲାସରେ ଯୋଗଦେଇପାରିବେ । ଏହାସହିତ ଡିଜିଟାଲ ଲର୍ଣ୍ଣିଂ ପ୍ଲାଟଫର୍ମର ଆକ୍ସେସ ପାଇପାରିବେ ।ସ୍ବାସ୍ଥ୍ୟ: ଦୂରଦୂରାନ୍ତ ଅଞ୍ଚଳରେ ଟେଲିମେଡିସିନ୍ ଏବେ ଏକ ସଠିକ୍ ବିକଳ୍ପ, ଯାହା ପରିବାର ଏବଂ ରୋଗୀମାନଙ୍କୁ ଯାତ୍ରା ଖର୍ଚ୍ଚ ବିନା ଭିଡିଓ ପରାମର୍ଶରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଏ । ଏବେ ସ୍ବଦେଶୀ 4ଜି ନେଟୱର୍କ ଦ୍ବାରା ଏହା ସମ୍ଭବ ହୋଇପାରିବ ।କୃଷି: ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ଏହି ସ୍ବଦେଶୀ 4ଜି ନେଟୱର୍କ ଦ୍ବାରା ଆମ ଚାଷୀ ଭାଇମାନେ ସଠିକ୍ ସମୟରେ ପାଣିପାଗ, ମଣ୍ଡି ଦର ଓ ସରକାରଙ୍କ ଯୋଜନାର ସଠିକ୍ ଅପଡେଟ୍ ପାଇବେ ।ଉଦ୍ୟୋଗ: ଡିଜିଟାଲ ସେବା ଯେପରିକି UPI ଓ ଇ-କମର୍ସ ଏବେ ଭାରତର କୋଣ ଅନୁକୋଣରେ ପହଞ୍ଚିପାରିବ ।’ସ୍ବଦେଶୀ 4G ନେଟୱର୍କ’ରେ ବ୍ୟବହୃତ ଟେକ୍ନୋଲୋଜିଏହା ହେଉଛି ଭାରତର ଶ୍ରେଷ୍ଠ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଏବଂ କମ୍ପାନୀଗୁଡ଼ିକ ମଧ୍ୟରେ ସହଯୋଗ ମାଧ୍ୟମରେ ନିର୍ମିତ ଏକ ସ୍ବଦେଶୀ ପଦକ୍ଷେପ । ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଟେଲିମାଟିକ୍ସ (C-DOT) ଏହି ସ୍ବଦେଶୀ ନେଟୱର୍କର ସଫ୍ଟୱେର୍ ଏବଂ ଭିତ୍ତିଭୂମି ବିକଶିତ କରିଥିଲା । ରେଡିଓ ଆକ୍ସେସ୍ ନେଟୱର୍କ (RAN) ଏବଂ ବେସ୍ ଷ୍ଟେସନଗୁଡ଼ିକୁ ଡିଜାଇନ ଏବଂ ନିର୍ମାଣ କରିବାରେ ତେଜସ୍ ନେଟୱର୍କସ୍ ଅବଦାନ ରହିଛି, ଯାହା ବ୍ୟବହାରକାରୀମାନଙ୍କୁ ସିଷ୍ଟମ ସହିତ ସଂଯୋଗ କରିଥାଏ ।