୨୬ଟି ଉଦ୍ଧାର ମୋବାଇଲ ପ୍ରକୃତ ମାଲିକଙ୍କୁ ଫେରାଇଲା ଭଞ୍ଜନଗର ପୋଲିସ

ଭଞ୍ଜନଗର ୨୮/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): କିଏ ମୋବାଇଲ୍ ହଜାଇଥିଲା ତ ଆଉ କାହାର ରାସ୍ତାରେ ପଡି ଯାଇଥିଲା। ହଜିଲା ଫୋନ୍ ଆଉ ମିଳିବ ବୋଲି ଆଶା ବି ନଥିଲା। ହେଲେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୁଲିସ୍ ସ୍ବତନ୍ତ୍ର ଅଭିଯାନ ସହ ହଜିଲା ଫୋନ୍ କେବଳ ଉଦ୍ଧାର କରିନି, ବରଂ ଅସଲ ମାଲିକଙ୍କୁ ହସ୍ତାନ୍ତର କରିଛି। ଥାନା ପରିସରରେ ରବିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୋଟିଏ କି ଦୁଇଟି ନୁହଁ, ହଜି ଯାଇଥିବା ୨୬ଟି ମୋବାଇଲ୍ ପ୍ରକୃତ ମାଲିକଙ୍କୁ ପୋଲିସ ଫେରାଇଛି। ଦିର୍ଘ ଦିନ ପରେ ମୋବାଇଲ ପାଇ ଲୋକଙ୍କ ମୁହଁରେ ହସ ଫୁଟିଛି।

ରବିବାର ଥାନା ପରିସରରେ ଏହି ମୋବାଇଲ୍ ହସ୍ତାନ୍ତର ମେଳା ଅନୁଷ୍ଠିତ ହୋଇଥିଲା ବେଳେ ଅତିରିକ୍ତ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଧାର ମୋବାଇଲ୍ ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିଛନ୍ତି।ବିଶେଷକରି ପାର୍କ,ବସଷ୍ଟାଣ୍ଡ ସମେତ ସହରର ବିଭିନ୍ନ ଜନଗହଳିପୁର୍ଣ୍ଣ ସ୍ଥାନରେ ଉକ୍ତ ମୋବାଇଲ ଗୁଡିକ ହଜିଥିଲା ବେଳେ ଭଞ୍ଜନଗର ପୁଲିସ୍ ପକ୍ଷରୁ ଆରମ୍ଭ ହୋଇଥିଲା ଏକ ସ୍ବତନ୍ତ୍ର ଅଭିଯାନ। ହଜିଥିବା ମୋବାଇଲ ମାଲିକଙ୍କ ଅଭିଯୋଗକୁ ଗୁରୁତ୍ବର ସହ ନେଇ ସିଇଆଇଆର୍ ସହାୟତାରେ ୩୦ ଟି ମୋବାଇଲ୍ ଉଦ୍ଧାର କରିଥିଲା ପୁଲିସ। ରବିବାର ୨୬ଟି ମୋବାଇଲ ହସ୍ତାନ୍ତର କରାଯାଇଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ଶ୍ରୀ ଦେ ପ୍ରକାଶ କରିଛନ୍ତି।ଭଞ୍ଜନଗର ପୁଲିସ୍‌ର ଏହି ଅଭିଯାନକୁ ସମସ୍ତେ ପ୍ରଶଂସା କରିବା ସହ ଲୋକଙ୍କ ଫୋନ୍‌ ଉଦ୍ଧାର କରି ହସ୍ତାନ୍ତର କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ହଜିଲା ଫୋନ୍ ପାଇ ପୁଲିସ୍‌ର ଉଦ୍ୟମକୁ ସାଧୁବାଦ ଦେବା ସହ ଅଭିଯୋଗକାରୀ ମାନେ ଖୁସି ପ୍ରକଟ କରିଛନ୍ତି।ମୋବାଇଲ ହସ୍ତାନ୍ତର ମେଳାରେ ଭଞ୍ଜନଗର ଏସଡିପିଓ ଡ.ଦିପକ କୁମାର ମିଶ୍ର, ଥାନା ଅଧିକାରୀ ଜିବନାନନ୍ଦ ଜେନା ଙ୍କ ସମେତ ଥାନା କର୍ମଚାରୀ ଉପସ୍ଥିତ ଥିଲେ।