
ମୁମ୍ବାଇ: ମିଥୁନ୍ ମନହାସ ବିସିସିଆଇର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । ମୁମ୍ବାଇରେ ହୋଇଥିବା ଏଜିଏମ ବୈଠକରେ ଘୋଷଣା ହୋଇଛି । ସେ ରୋଜର ବିନ୍ନିଙ୍କ ସ୍ଥାନ ନେବେ । ରାଜୀବ ଶୁକ୍ଲା ପୂର୍ବ ପରି ତାଙ୍କ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି । କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନର ବର୍ତ୍ତମାନର ଅଧ୍ୟକ୍ଷ ତଥା ଭାରତର ପୂର୍ବତନ ସ୍ପିନର ରଘୁରାମ ଭଟ୍ଟ ବିସିସିଆଇର କୋଷାଧ୍ୟକ୍ଷ ହୋଇଛନ୍ତି । ତାଙ୍କ ଅଧ୍ୟକ୍ଷ ପଦର କାର୍ଯ୍ୟକାଳ ସେପ୍ଟେମ୍ବର ୩୦ରେ ଶେଷ ହେଉଛି । ଦେବଜିତ୍ ସାଇକିଆ ସଚିବ ପଦରେ ବଜାୟ ରହିଥିବାବେଳେ ପ୍ରଭାତେଜ ଭାଟିଆଙ୍କୁ ଯୁଗ୍ମ ସଚିବ ଚୟନ କରାଯାଇଛି ।ଜୟଦେବ ନିରଞ୍ଜନ ଶାହ ଆପେକ୍ସ କାଉନସିଲର ସଦସ୍ୟ ଚୟନ ହୋଇଛନ୍ତି । ଅରୁଣ ସିଂ ଧୂମଲ ଏବଂ ଏମ ଖରୁଲ ଜମାଲ ମଜରୁମଦାରଙ୍କୁ ଗଭର୍ଣ୍ଣିଂ କାଉନସିଲର ସଦସ୍ୟ ଭାବେ ଚୟନ କରାଯାଇଛି ।ତେବେ ଜମ୍ମୁ କଶ୍ମୀରରେ ଜନ୍ମ ଗ୍ରହଣ କରିଥିଲେ ମିଥୁନ୍ । ସେ ଦିଲ୍ଲୀ ପାଇଁ ସର୍ବାଧିକ କ୍ରିକେଟ୍ ମ୍ୟାଚ୍ ଖେଳିଛନ୍ତି । ସେ ମିଡିଲ୍ ଅର୍ଡର ବ୍ୟାଟର ଏବଂ ରଣଜୀ ଟ୍ରଫିରେ ଦିଲ୍ଲୀର ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି । ସେହିଭଳି ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ, ପୁଣେ ୱାରିୟର୍ସ ଏବଂ ସିଏସକେ ଦଳ ପାଇଁ ମଧ୍ୟ ଖେଳିଛନ୍ତି । ସେ ଜମ୍ମୁ-କଶ୍ମୀରର ପ୍ରଥମ ବ୍ୟକ୍ତି, ଯିଏ ବିସିସିଆଇର ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଛନ୍ତି ।ମିଥୁନ ମନହାସ ୧୫୭ ପ୍ରଥମ ଶ୍ରେଣୀ ମ୍ୟାଚ୍, ୧୩୦ ଲିଷ୍ଟ ଏ ମ୍ୟାଚ୍ ଏବଂ ୯୧ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ମିଥୁନ ମନହାସ ଘରୋଇ କ୍ରିକେଟରେ ପ୍ରାୟ ୧୫,୦୦୦ ରନ୍ କରିଛନ୍ତି । ମିଥୁନ ମନହାସ ବର୍ତ୍ତମାନ ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନରେ ପ୍ରଶାସକ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ସେ ଦୁଲୀପ ଟ୍ରଫିରେ ଉତ୍ତର ଜୋନ୍ ପାଇଁ ସଂଯୋଜକ ଥିଲେ । ଆଇପିଏଲ ଫ୍ରାଞ୍ଚାଇଜ୍ ଗୁଜରାଟ ଟାଇଟନ୍ସର ସପୋର୍ଟ ଷ୍ଟାଫ୍ ଭାବରେ କାର୍ଯ୍ୟ କରୁଛନ୍ତି । ୪୫ ବର୍ଷୀୟ ମିଥୁନ ରୋଜର ବିନ୍ନିଙ୍କ ସ୍ଥାନ ନେବେ ।