
ଭଞ୍ଜନଗର ୨୯/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାରେ ସାର ସଂକଟ ଥମିବାର ନାଁ ଧରୁନି। ସାରକୁ ନେଇ ସବୁଠି ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । କେଉଁଠି କୋଠ ଘରୁ ସାର ଚୋରି ହୋଇଗଲାଣି ତ ଆଉ କେଉଁଠି ଟାୟାର ଜାଳି ରାସ୍ତା ରୋକ କରୁଛନ୍ତି ଚାଷୀ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ସାର ଆସିଥିଲେ ମଧ୍ୟ ଅଣ୍ଟୁନି। ଗତବର୍ଷ ଅପେକ୍ଷା ଚଳିତବର୍ଷ ଭଞ୍ଜନଗର ଉପଖଣ୍ଡରେ ୨୭ ପ୍ରତିଶତରୁ ଅଧିକ ୟୁରିଆ ସାର ଆବଣ୍ଟନ ହୋଇ ସାରିଲାଣି। ହେଲେ ଏଯାଏଁ ୟୁରିଆ ସଂକଟ ଟଳୁନି। ବିଭିନ୍ନ ସ୍ଥାନରେ ଚାଷୀ ୟୁରିଆ ପାଇଁ ରାଜରାସ୍ତାକୁ ଓହ୍ଲାଉଛନ୍ତି। ପ୍ରଶାସନ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସାର ପାଇଁ ଚାଷୀ ରାତି ଉଜାଗର ରହି ଲମ୍ବା ଲାଇନ୍ ଲଗାଉଥିବା ବେଳେ କେଉଁଠି ଜୋତା ତ ଆଉ କେଉଁଠି ଇଟା ପଥର ଓ ଆଧାର କାର୍ଡ ଚାଷୀଙ୍କ ପାଇଁ ଲାଇନ୍ରେ ରହୁଥିବା ଦେଖିବାକୁ ମିଳିଛି।
ସୂଚନା ପ୍ରକାରେ ଚଳିତବର୍ଷ ଗତବର୍ଷ ତୁଳନାରେ ଭଞ୍ଜନଗର ଉପଖଣ୍ଡକୁ ଅଧିକ ୨୭ ପ୍ରତିଶତ ୟୁରିଆ ସାର ଆସିଲାଣି। ତଥାପି ସାର ସଂକଟ ପ୍ରଶାସନକୁ ଚକିତ କରିଛି। ତେଣୁ ଉପଖଣ୍ଡ ଏନଫୋର୍ସ ମେଣ୍ଟ୍ ସ୍କ୍ବାଡ୍ ଏବେ ନିୟମିତ ବ୍ୟବଧାନରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଯେଉଁଠି କିଛି ଅନିୟମିତତା ଦେଖାଦେଉଛି ସେଇଠି ତୁରନ୍ତ ସମ୍ପୃକ୍ତ ଏଜେନ୍ସି କିମ୍ବା ପ୍ୟାକ୍ସ୍ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଉଛି। ଗତବର୍ଷ ଏହି ସମୟ ସୁଦ୍ଧା ଉପଖଣ୍ଡ କୁ ୫୫୧୮.୧୨୫ ଟନ୍ ୟୁରିଆ ସାର ଚାଷୀ ପାଇଥିବା ବେଳେ ଚଳିତବର୍ଷ ଏବେସୁଦ୍ଧା ୭୦୪୬.୫୫ ଟନ୍ ୟୁରିଆ ସାର ଚାଷୀଙ୍କୁ ଦିଆଗଲାଣି। ଫଳରେ ଏବେସୁଦ୍ଧା ମୋଟ ୧୫୨୮.୪୨୫ ଟନ୍ ଅଧିକ ୟୁରିଆ ସାର ଅର୍ଥାତ୍ ୨୭.୭ ପ୍ରତିଶତରୁ ଅଧିକ ୟୁରିଆ ସାର ଚାଷୀଙ୍କୁ ପ୍ରଦାନ କରାଯାଇଛି। ତଥାପି ସଙ୍କଟ ନଟଳିବା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ଗତବର୍ଷ ଉପଖଣ୍ଡର ଆସିକା ବ୍ଲକରେ ୭୧୮.୮୭୫ ଟନ୍ ୟୁରିଆ ଦିଆଯାଇଥିବା ବେଳେ ଚଳିତବର୍ଷ ଏବେ ସୁଦ୍ଧା ସେଠାରେ ୧୨୪୫.୩୭୫ ଟନ୍ ୟୁରିଆ ଚାଷୀଙ୍କୁ ଦିଆଯାଇଛି। ସେହିପରି ଧରାକୋଟରେ ଗତବର୍ଷ ୬୫୮.୧୨୫ ଟନ୍ ଦିଆଯାଇଥିବା ବେଳେ ଓ ଚଳିତବର୍ଷ ୧୦୨୨.୬୨୫ ଟନ୍, ଶେରଗଡରେ ଗତବର୍ଷ ୬୧୭.୭୫ ଦିଆଯାଇଥିବା ବେଳେ ଚଳିତବର୍ଷ ଏବେ ସୁଦ୍ଧା ୮୧୦ ଟନ୍, ସୋରଡ଼ାରେ ଗତବର୍ଷ ୮୪୦.୩୭୫ ଟନ୍ ଦିଆଯାଇଥିବା ବେଳେ ଓ ଚଳିତବର୍ଷ ୯୦୧.୧୨୫ ଟନ୍, ବେଲଗୁଣ୍ଠାରେ ଗତବର୍ଷ ୬୨୭.୭୫ ଟନ୍ ଦିଆଯାଇଥିବା ବେଳେ ଚଳିତବର୍ଷ ୭୮୯.୭୫ ଟନ୍, ଭଞ୍ଜନଗରରେ ଗତବର୍ଷ ୩୧୩.୮୭୫ ଟନ୍ ଦିଆଯାଇଥିବା ବେଳେ ଓ ଚଳିତବର୍ଷ ଏବେସୁଦ୍ଧା ୬୭୭.୯୨୫ ଟନ୍, ବୁଗୁଡ଼ାରେ ଗତ ବର୍ଷ ୯୬୧.୮୭୫ ଟନ୍ ଦିଆଯାଇଥିବା ବେଳେ ଚଳିତବର୍ଷ ଏବେ ସୁଦ୍ଧା ୮୧୦ ଟନ୍ ଓ ଜଗନ୍ନାଥପ୍ରସାଦ ବ୍ଳକରେ ଗତବର୍ଷ ୭୭୯.୬୨୫ ମାଟ୍ରିକ୍ ଟନ୍ ଦିଆଯାଇଥିବା ବେଳେ ଚଳିତବର୍ଷ ୭୮୯.୭୫ ଟନ୍ ୟୁରିଆ ଚାଷୀଙ୍କୁ ପ୍ରଦାନ କରାଯାଇଛି। କେବଳ ବୁଗୁଡ଼ା ବ୍ଳକରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଚାଷୀଙ୍କୁ ୧୫୧.୮୭୫ ଟନ୍ ୟୁରିଆ କମ୍ ମିଳିଥିବାବେଳେ ଅନ୍ୟ ସମସ୍ତ ବ୍ଳକରେ ଗତବର୍ଷ ତୁଳନାରେ ପ୍ୟାକ୍ସ ଗୁଡିକୁ ଅଧିକ ୟୁରିଆ ପ୍ରଦାନ କରାଯାଇଥିବା ଜଣାପଡିଛି।