
ଆସିକା – ୩୦/୦୯ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆସିକା ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳୀ ଗାଁ ନିକଟ କାଜୁ ଜଙ୍ଗଲରୁ, ନାବାଳକର ମୃତଦେହ ଉଧାର । ତିନିଦିନ ଧରି ନିଖୋଜ ଥିଲେ ସେ । ଆଜି ଖବର ପାଇ ମୃତ ଦେହକୁ ଜବତ କରିବା ସହ, ଘଟଣାର ତଦନ୍ତ ଚଳାଇଛି ପୋଲିସ । ସନ୍ଦେହ ଘେରରେ ନବମ ଶ୍ରେଣୀ ଛାତ୍ର ହତ୍ୟା ଘଟଣା । ହତ୍ୟା ପରେ କାଜୁ ଜଙ୍ଗଲ ନିକଟ ଏକ ବୁଦା ମୂଳରେ, ମୃତ ଦେହକୁ ଫୋପାଡି ଦେଇଥିଲେ ଦୁର୍ବୃତ୍ତ । ସେପଟେ ପୁଅ ତିନିଦିନ ଧରି ନିଖୋଜ ରହିଥିବା ନେଇ, ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ । ପୁଅକୁ ଖୋଜାଖୋଜି ପାଉନଥିଲେ , ପରିବାର ଲୋକେ । ସକାଳୁ ସକାଳୁ ମା’ ଖବର ପାଇଲେ , ଗାଁ ନିକଟ କାଜୁ ଜଙ୍ଗଲ ପାଖରେ, ପୁଅର କ୍ଷତବିକ୍ଷତ ମୃତଦେହ ପଡ଼ିଛି । ପୁଅର ମୃତ ଦେହକୁ ଚିହ୍ନିବା ପରେ , ପୋଲିସରେ ଖବର ଦେଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦେଖିବା ପରେ, ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେଲା । ଏଭଳି ଏକ ଘଟଣା ଘଟିଛି, ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳୀ ଗାଁ ନିକଟ ରାମନାପଲ୍ଲୀ ଗାଁ ରାସ୍ତା ରେ ଘଟିଥିବା ହତ୍ୟାକାଣ୍ଡ । ହତ୍ୟାର ଶିକାର ହୋଇଛି, ଖଣ୍ଡରାବଳୀ ଗାଁର ଅମର ବିଷୋୟୀ ନାମକ ନବମ ଶ୍ରେଣୀର ଛାତ୍ର ।
ଘଟଣା ସ୍ଥଳରୁ ଗଳିତ ମୃତଦେହକୁ ଜବତ କରି, ବ୍ରହ୍ମପୁରକୁ ଏଫଏମଟି କୁ ବ୍ୟବଛେଦ ପାଇଁ ପଠାଇଛି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି, ଭଂଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ, ଏସଡିପିଓ ଡଃ.ଦୀପକ୍ କୁମାର ମିଶ୍ର ଏବଂ ଥାନାଧିକାରୀ ବନବିହାରୀ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ଅପରାହ୍ନରେ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି ପୋଲିସ । ମୃତ ଅମର ର ବାପା ଜଣେ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ ରହି କାମ କରୁଛନ୍ତି । ସେପଟେ ଖଣ୍ଡରାବଳୀ ଗାଁରେ ମା ଓ ଦୁଇ ଭାଇ ରହୁଥିବା ବେଳେ, ଗତ ୨୮ ତାରିଖ ଦିନ, ଆମର ନିଖୋଜ ଥିବା ନେଇ, ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏବେ ପୁଅକୁ ହତ୍ୟା କରାଯାଇଥିବା ନେଇ, ପରିବାର ଏବଂ ସମ୍ପର୍କୀୟ ମାନେ ଅଭିଯୋଗ ଆଣିଛନ୍ତି । ତେବେ ଘଟଣାର ପ୍ରକୃତ କାରଣ କଣ, କିଏ ଏବଂ କାହିଁକି ହତ୍ୟା କଲା, ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ତେବେ ହତ୍ୟାକାରୀ କୁ ଖୁବ୍ ଶୀଘ୍ର ଧରାଯିବ, ଏବଂ ଏନେଇ ତଦନ୍ତ ଚାଲିଛି ବୋଲି , ଅତିରିକ୍ତ ଏସପି ଶ୍ରୀ ଦେ, ସୂଚନା କହିଛନ୍ତି ।