ଅପରାଧମୁକ୍ତ ହେବ ଅନୁଗୋଳ ସହର, ପାଦରେ ଚାଲି ଚାଲି ପାଟ୍ରୋଲିଂ କରୁଛି ପୋଲିସ

ଅନୁଗୋଳ: ପୋଲିସର କଡ଼ା ନଜରରେ ରହିଛି ଅନୁଗୋଳ ସହର । ଫୁଟ୍ ପାଟ୍ରୋଲିଂ କରୁଛନ୍ତି ପୋଲିସ ଫୋର୍ସ । ଚଳିତ ପାର୍ବଣ ଋତୁରେ ଅନୁଗୋଳ ଜିଲ୍ଲାରେ ତାଳଚେର ଗଣେଶ ପୂଜା ଓ ନାଲ୍‌କୋ ବିଶ୍ବକର୍ମା ପୂଜା ବେଶ୍ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଏବେ ଚାଲିଥିବା ଦଶହରା ଓ ଆଗାମୀ ଲକ୍ଷ୍ମୀପୂଜା ବି ସମ୍ପୂର୍ଣ୍ଣ ଅପରାଧମୁକ୍ତ ରହିବ । ଏନେଇ ଅନୁଗୋଳ ସହରରେ ପୋଲିସର ଫୁଟ୍ ପାଟ୍ରୋଲିଂ ବେଳେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ।ଅନୁଗୁଳ ସହରରେ ୪ ପ୍ଲାଟୁନ୍ ଫୋର୍ସକୁ ନେଇ ଖୋଦ୍ ଏସ୍‌ପି ରାହୁଲ ଜୈନ ଫୁଟ୍ ପାଟ୍ରୋଲିଂ କରି କହିଛନ୍ତି, ଦଶହରା ପାଇଁ ଅନୁଗୁଳ ସହରକୁ ୮ଟି ସେକ୍ଟରରେ ବିଭକ୍ତ କରାଯାଇଛି । ପୁରା ସହରରେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୧୫୦ ହୋମଗାର୍ଡ ମୁତୟନ ହୋଇଛନ୍ତି । ଆଇନଶୃଙ୍ଖଳା ଉପରେ କଡ଼ା ନଜର ରଖିବା ଲାଗି ୫୦ ଅଫିସର, ୩ ଜଣ ଡିଏସ୍‌ପି, ଜଣେ ଅତିରିକ୍ତ ଏସ୍‌ପିଙ୍କୁ ଦାୟିତ୍ବ ଦିଆଯାଇଛି । ସହରର ବିଭିନ୍ନ ଜାଗାରେ ୫୦ଟି ଏଆଇ କ୍ୟାମେରା ଖଞ୍ଜାଯାଇଛି । ପ୍ରତି ମଣ୍ଡପରେ ପୂଜା କମିଟିଗୁଡ଼ିକ ମଧ୍ୟ ସିସିଟିଭି କ୍ୟାମେରା ଲଗାଇଛନ୍ତି ।ପୋଲିସର କଡ଼ା ନଜରରେ ରହିଛି ପୁରା ସହର । ଲୋକଙ୍କ ବିଶ୍ବାସ ଜିତିବା ସହ ଅପରାଧୀଙ୍କୁ ଚେତାଇ ଦେବାକୁ ଫୁଟ୍ ପାଟ୍ରୋଲିଂ କରାଯାଉଛି । ଏଣୁ ଚଳିତ ଦୁର୍ଗାପୂଜା ଓ ଲକ୍ଷ୍ମୀପୂଜା ମଧ୍ୟ ବେଶ ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ।